ନୂଆପଲ୍ଲୀରେ ରାସ୍ତା କାମକୁ ବିରୋଧ, ଭିତ୍ତିପ୍ରସ୍ତର ପୋତି ବିଏମ୍‌ସି ଚୁପ୍‌

ଖଣ୍ଡଗିରି: ନୂଆପଲ୍ଲୀ ଅଞ୍ଚଳରେ ୩ଟି ରାସ୍ତାରେ ପେଭର୍‌ ବ୍ଲକ୍‌ ପଡ଼ିବାକୁ ନେଇ ତୀବ୍ର ବିରୋଧ ହୋଇଆସୁଛି। ଘରୋଇ ପ୍ଲଟ୍‌ରେ ରାସ୍ତା ଯାଇଥିବା ନେଇ କିଛି ଲୋକ ଦାବି କରି ବିରୋଧ କରୁଥିବାରୁ କାମ ଭିତ୍ତିପ୍ରସ୍ତର ପୋତାରେ ହିଁ ଅଟକି ରହିଛି। ଏହା ଭିତରେ ୫ମାସ ବିତିଯାଇଥିଲେ ବି ବିଏମ୍‌ସି ଚୁପ୍‌ ବସିଥିବା ଅଭିଯୋଗ ହେଉଛି। ଫଳରେ ଦୀର୍ଘ ବର୍ଷ ହେଲା ମରାମତି ହୋଇନଥିବା ୩ ରାସ୍ତାରେ ଯାତାୟାତ କରିବାରେ ସ୍ଥାନୀୟ ଲୋକମାନେ ସମସ୍ୟାରେ ପଡ଼ୁଛନ୍ତି।

ସୂଚନାନୁସାରେ, ପ୍ଲଟ୍‌ ନମ୍ବର ୮୨୬/୩୧୮୮ଠାରୁ ୬୯୦/୪୩୧ ପର୍ଯ୍ୟନ୍ତ, ପ୍ଲଟ୍‌ ନମ୍ବର ୬୬୪ରୁ ୬୪୯ ଓ ୬୪୯ରୁ ୮୨୨ ରାସ୍ତା, କସ୍ତୁରବା ବିଦ୍ୟାଳୟ ଖେଳପଡ଼ିଆରୁ ନୀଳକଣ୍ଠେଶ୍ବର ମନ୍ଦିର ରାସ୍ତା, ଏମିତି ୩ଟି ରାସ୍ତାରେ ପେଭର ବ୍ଲକ୍‌ ପକାଇବା ଲାଗି ଏକା ସମୟରେ ଭିତ୍ତିପ୍ରସ୍ତର ପଡ଼ିଥିଲା। ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମ୍‌ସି ୩୭ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲ୍‌ ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ ମେ’ ୨୯ରେ ଭିତ୍ତିପ୍ରସ୍ତର ପକାଇଥିଲେ। ଦୁଇରୁ ତିନି ମାସ ମଧ୍ୟରେ ରାସ୍ତା କାମ ଶେଷ କରାଯିବ ବୋଲି ଧାର୍ଯ୍ୟ ହୋଇଥିଲା। କିନ୍ତୁ ହଠାତ୍ ସ୍ଥାନୀୟ ଅଞ୍ଚଳର କିଛି ଲୋକ ପ୍ରତିବାଦ କଲେ।

ଘରୋଇ ଜମି ହୋଇଥିବା ଦର୍ଶାଇ ଠିକାଦାରଙ୍କୁ କାମ କରାଇଦେଲେ ନାହିଁ। ଜମିକୁ ନେଇ ସେମାନେ କୋର୍ଟକୁ ଯାଇଛନ୍ତି ବୋଲି ଦାବି କରିଛନ୍ତି। ଏମିତିକି କିଛି ଲୋକ ସେମାନଙ୍କ ପାଚେରି କାନ୍ଥ‌ରେ ଜମି ମାଲିକଙ୍କ ନାଁ, ଜମି ରେକର୍ଡର ହାଲ୍‌ ନମ୍ବର, ଶାବକ ନମ୍ବର ଆଦି ଲଗାଇଛନ୍ତି। ତେବେ ଏନେଇ ସ୍ଥାନୀୟ ଅନ୍ୟ ଲୋକମାନଙ୍କ ଅଭିଯୋଗ ଯେ ୨୦୧୩ ମସିହାରେ ଏହି ରାସ୍ତାର ମରାମତି କାମ ବିଏମ୍‌ସି କରାଇଥିଲା। ସେତେବେଳେ କେହି ଅଭିଯୋଗ କରି ନଥିଲେ କିମ୍ବା ରାସ୍ତା କାମକୁ ବିରୋଧ କରିନଥିଲେ। ଅଥଚ ଏବେ ସେମାନେ ଅଭିଯୋଗ କରୁଛନ୍ତି। ଏଣେ ବିଏମ୍‌ସି ମଧ୍ୟ ଭିତ୍ତିପ୍ରସ୍ତର ପୋତି ଦେଇ ନିରବଦ୍ରଷ୍ଟା ପାଲଟି ଯାଇଛି। ଲୋକେ ଖାଲଖମା ରାସ୍ତାରେ କାଦୁଅ ପଙ୍କରେ ଘାଣ୍ଟି ହେଉଛନ୍ତି।
ଏନେଇ କର୍ପୋ‌ରେଟର୍‌ ବନ୍ଦିତା ପାଲ୍‌ଙ୍କୁ ଯୋଗାଯୋଗ କରିବାରୁ ‌ସେ କହିଛନ୍ତି ଯେ ରାସ୍ତାରେ ଘରୋଇ ଜମି ଥିବା ନେଇ କୌଣସି ମାମଲା କୋର୍ଟକୁ ଯାଇଛି ବୋଲି ସେ ଜାଣି ନାହାନ୍ତି। ତେବେ ସେ ବିରୋଧ ହେଉଥିବା ନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି। ଖୁବ୍‌ ଶୀଘ୍ର ପ୍ରତିବାଦକାରୀଙ୍କ ସହ ଆଲୋଚନା କରାଯିବ ଓ ସମସ୍ୟାର ସମାଧାନ ହେବ ବୋଲି ଶ୍ରୀମତୀ ପାଲ୍ କହିଛନ୍ତି।

ସମ୍ବନ୍ଧିତ ଖବର