ଜଟଣୀ: ଇଡ୍‌କୋ ପକ୍ଷରୁ ଛତାବର ଗ୍ରାମ ଶ୍ମଶାନ ଜାଗାକୁ ଦଖଲ କରି ପାଚେରି ନିର୍ମାଣ କରିବାକୁ ନେଇ ବିବାଦ ଦେଖାଦେଇଛି। ଆଜି ପାଚେରି ନିର୍ମାଣ ଚାଲିଥିବା ବେଳେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଉପସ୍ଥିତିରେ ଗ୍ରାମବାସୀମାନେ ଏକଜୁଟ ହୋଇ ପାଚେରିକୁ ଜେସିବି ଲଗାଇ ଭାଙ୍ଗି ଦେଇଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ।

Advertisment

ସୂଚନା ମୁତାବକ, ଗ୍ରାମବାସୀ ବର୍ଷ ବର୍ଷ ଧରି ଏହି ଶ୍ମଶାନ ଜାଗାକୁ ବ୍ୟବହାର କରି ଆସୁଛନ୍ତି। ତେବେ ପ୍ରଶାସନ ପକ୍ଷରୁ ଉକ୍ତ ଜାଗାକୁ ଇଡ୍‌କୋକୁ ହସ୍ତାନ୍ତର କରାଯାଇଛି। ସଂସ୍ଥା ପକ୍ଷରୁ ଗ୍ରାମ ଶ୍ମଶାନ ଜାଗାକୁ ଦଖଲ କରାଯାଇଥିବା ବେଳେ ଏହାକୁ ଗ୍ରାମବାସୀ ବିରୋଧ କରି ଆସୁଥିଲେ। ଆଜି ଉକ୍ତ ସ୍ଥାନରେ ଇଡ୍‌କୋ ପକ୍ଷରୁ ପାଚେରି ନିର୍ମାଣ କରାଯାଉଥିବା ବେଳେ ଗ୍ରାମବାସୀମ‌ାନେ ବିରୋଧ କରିଥିଲେ। ବିଧାୟକ ଶ୍ରୀ ରାଉତରାୟ ପହଞ୍ଚି ଗ୍ରାମବାସୀଙ୍କୁ ସମର୍ଥନ କରିଥିଲେ। ଏହାପରେ ଘଟଣାସ୍ଥଳରେ ତହସିଲଦାର ରୁମାନା ଜାଫ୍ରୀ, ଅତିରିକ୍ତ ତହସିଲଦାର ରମେଶ ମଲ୍ଲିକ ପ୍ରମୁଖ ପୁଲିସ ଫୋର୍ସ ସହ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ହେଲେ ଗ୍ରାମବାସୀ ଶ୍ମଶାନ ଜମି ଛାଡ଼ିବେ ନାହିଁ ବୋଲି ଜିଦ୍‌ରେ ଅଟଳ ରହିଥିଲେ। ଅପରପକ୍ଷରେ ଉକ୍ତ ଜାଗାକୁ ନେଇ ବିଧାୟକ ଶ୍ରୀ ରାଉତରାୟ, ଜିଲ୍ଲାପାଳ, ତହସିଲଦାର, ଇଡକୋ ଅଧିକାରୀ ପ୍ରମୁଖଙ୍କୁ ଗ୍ରାମବାସୀଙ୍କ ଦାବି ବିଷୟରେ ଅବଗତ କରିଥିଲେ। ଗ୍ରାମବାସୀଙ୍କ ଉପସ୍ଥିତିରେ ଏହାର ସମାଧାନ କରିବାକୁ ସ୍ଥିର କରାଯାଇଛି।