ତୂଳୀରେ ବିଧାୟକଙ୍କ କ୍ବାର୍ଟର୍ସ ନିର୍ମାଣ ଲାଗି ଗଛ କଟାର ପ୍ରତିବାଦ

ଭୁବନେଶ୍ୱର : ବିଧାୟକଙ୍କ କ୍ବାର୍ଟର୍ସ ନିର୍ମାଣ ଲାଗି ଗଛକଟା ଘଟଣାକୁ ରଚନାତ୍ମକ ଢଙ୍ଗରେ ପ୍ରତିବାଦ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ସ୍କୁଲ ପିଲାଙ୍କ ମଧ୍ୟରେ ଆଜି ‘ଗଛ ହିଁ ଜୀବନ’ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଯେଉଁଠାରେ ଗଛ କଟାଯାଇଛି, ପିଲାମାନେ ସେଠାରେ ଏହି ପ୍ରତିଯୋଗିତାରେ ଭାଗ ନେଇ ସୁନ୍ଦର ଚିତ୍ର ଆଙ୍କିଛନ୍ତି। ‘ଗଛ ନାହିଁ ତ ଜୀବନ ନାହିଁ’, ‘ଗଛ ହିଁ ଜୀବନ ଧାରଣର ମୁଖ୍ୟ ଆୟୁଧ’ ଓ ‘ଗଛ ପାଇଁ ପରିବେଶ ସନ୍ତୁଳନ ହୋଇପାରିବ’ ବୋଲି ପିଲାମାନେ ତାଙ୍କ ଚିତ୍ରାଙ୍କନରେ ନିଖୁଣ ଭାବେ ପ୍ରତିଫଳିତ କରାଇ ଗଛ କଟାରୁ କ୍ଷାନ୍ତ ରହିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାରସ୍ୱରୂପ ଗୋଟିଏ ଲେଖାଏଁ ଗଛ ସହ ପ୍ରମାଣପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ତିବ୍ବତ ସଂସଦର ନିର୍ବସିତ ଉପବାଚସ୍ପତି ଆଚାର୍ଯ୍ୟ ୟେଶୀ ପୁଣ୍ଟସୋକ ଯୋଗଦେଇ ପିଲାଙ୍କୁ ପ୍ରୋତ୍ସାହିତ କରିଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନର ଯୁଗ୍ମଆବାହକ ବାସୁଦେବ ଭଟ୍ଟଙ୍କ ସହ ପ୍ରବକ୍ତା ପ୍ରସନ୍ନ ବିଶୋଇ, ଅସିତ୍ ପାଣିଗ୍ରାହୀ, ସୁଜାତା ପଶାୟତ, ଗୀତାଞ୍ଜଳି ମହାନ୍ତି, ସରିତା ସାମଲ, ସ୍ନେହଲତା ମିଶ୍ର ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ପ୍ରେରଣାର ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ, ବିଶିଷ୍ଟ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ, ମାନବାଧିକାର କର୍ମୀ ଅଭିନ୍ନ ହୋତା, ଗିରିଜା ଦାଶ, ସୁଧୀର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ହାଇକୋର୍ଟଙ୍କ ଆଭିମୁଖ୍ୟକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ସ୍ୱାଗତ କରିବା ସହିତ ଆଗାମୀ ଦିନରେ ଆବଶ୍ୟକ ପଡିଲେ ନ୍ୟାୟିକ ପ୍ରକ୍ରିୟାରେ ସାମିଲ ହେବ ବୋଲି ଆବାହକ ସୁଦର୍ଶନ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର