ଭୁବନେଶ୍ବର: ସ୍ବତନ୍ତ୍ର କ୍ୟାଡ୍‌ର ପ୍ରଧାନଶିକ୍ଷକ ନିଯୁକ୍ତି ଦାବିରେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଏହି ଆନ୍ଦୋଳନକୁ ଅଭିଭାବକମାନେ ସମର୍ଥନ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଜଣେ ସାଧାରଣ ବର୍ଗର ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। ସ୍ବତନ୍ତ୍ର କ୍ୟାଡ୍‌ରର ହୋଇନଥିବାରୁ ଦୃଷ୍ଟିହୀନ ପିଲାଙ୍କ ସମସ୍ୟା ସେ ଠିକ୍‌ ଭାବେ ବୁଝିପାରିବେନି। ତେଣୁ ସ୍ବତନ୍ତ୍ର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଉ ବୋଲି ବିଦ୍ୟାଳୟ ସଭାପତି ଜୟଶ୍ରୀ ସାହୁ କହିଛନ୍ତି।

Advertisment

ଆଜି ମୁଖ୍ୟ ଫାଟକରେ ତାଲା ପକାଇବା ସହ ଭିତର ଫାଟକରେ ମଧ୍ୟ ତାଲା ପକାଇ ଦେଇଥିଲେ। ଫଳରେ ବିଦ୍ୟାଳୟକୁ ଆସିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ବାହାରେ ଏବଂ ଛାତ୍ରଛାତ୍ରୀ ବିଦ୍ୟାଳୟ ଭିତରେ ଆନ୍ଦୋଳନ କରିଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ ହେଁ କୌଣସି ସମାଧାନର ବାଟ ବାହାରିପାରି ନ ଥିଲା। ପରେ ଭୁବନେଶ୍ବର ବ୍ଲକ୍‌ ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆଶ୍ବାସନା ଦେବା ପରେ ଅଭିଭାବକ ସ୍କୁଲ୍‌ ଗେଟ୍‌ ତାଲା ଖୋଲିଥିଲେ। କିନ୍ତୁ ଯେପର୍ଯ୍ୟନ୍ତ ବିଦ୍ୟାଳୟରେ ସ୍ବତନ୍ତ୍ର କ୍ୟାଡ୍‌ର ପ୍ରଧାନଶିକ୍ଷକ ନିଯୁକ୍ତି ହୋଇନାହାନ୍ତି ସେପର୍ଯ୍ୟନ୍ତ ଛାତ୍ରଛାତ୍ରୀ କ୍ଲାସ୍‌ କରିବେ ନାହିଁ ବୋଲି ଜିଦ୍‌ରେ ଅଟଳ ଅଛନ୍ତି।