ଭୁବନେଶ୍ବର: ସତ୍ୟନଗର ଅଞ୍ଚଳରେ ଥିବା ରାଜକୁମାର ବସ୍ତି ଓ ଦୁର୍ଗା ମଣ୍ଡପ ବସ୍ତିବାସିନ୍ଦା ଆଜି ମଦର ଟେରେସା ମାର୍ଗରେ ରାସ୍ତାରୋକ କରିଥିଲେ। ବାତ୍ୟାରେ ସେମାନଙ୍କ ଘରଦ୍ବାର ଭାଙ୍ଗି ଯାଇଥିବା ବେଳେ ସେମାନଙ୍କ ନିକଟରେ ପିଇବା ପାଣି କି ଖାଦ୍ୟ ନାହିଁ। ଗତ ୩ ଦିନ ଧରି ଅବ୍ୟବସ୍ଥା ଭିତରେ ଦିନ କାଟୁଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ କୌଣସି ସହାୟତା ପ୍ରଦାନ କରାଯାଇଥିବା ସେମାନେ କହିଛନ୍ତି। ନିର୍ବାଚନ ସମୟରେ ସବୁ ଦଳର ରାଜନେତାମାନେ ସେମାନଙ୍କ ନିକଟକୁ ସବୁଦିନ ଆସୁଥିବା ବେଳେ ଏବେ କାହାର ଦେଖା ନ ଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଥିଲେ।
ଆଜି ସକାଳୁ ଏହି ଦୁଇ ବସ୍ତିର ବହୁ ସଂଖ୍ୟାରେ ଲୋକ ସତ୍ୟନଗର ଓଭରବ୍ରିଜ୍ ଉପରେ ରାସ୍ତାରୋକ କରିଥିଲେ। ବାତ୍ୟାରେ ଭାଙ୍ଗି ଯାଇଥିବା ଗଛ ସହିତ ଟାୟାର ମଧ୍ୟ ଜାଳିଥିଲେ। ଯାହାଫଳରେ ଉଭୟ ପଟୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଲୋକମାନେ ରାସ୍ତା ଛାଡ଼ିବାକୁ ବାରମ୍ବାର ଅନୁରୋଧ କରିଥିଲେ ହେଁ, ସେମାନେ ଶୁଣି ନ ଥିଲେ। ଦୁର୍ଗାମଣ୍ଡପ ବସ୍ତିର ସୁନିତା ସାହୁଙ୍କ କହିବା ଅନୁସାରେ, ବାତ୍ୟା ଦିନ ସେମାନଙ୍କ ଘରଦ୍ବାରା ଭାଙ୍ଗିଯିବା ପରେ ସେମାନେ ତୋଷାଳି ପ୍ଲାଜାରେ ଆଶ୍ରୟ ନେଇଥିଲେ। ଘର ଭାଙ୍ଗି ଯାଇଥିବାରୁ ସେମାନଙ୍କ ନିକଟରେ ଖାଇବା ପାଇଁ ମଧ୍ୟ ନ ଥିଲା। ଜଣେ ସ୍ଥାନୀୟ ବାସିନ୍ଦା ଗୋଟିଏ ଦିନ ସେମାନଙ୍କୁ ରନ୍ଧା ଖାଦ୍ୟ ଦେଇଥିଲେ। ମାତ୍ର ଏବେ ସେମାନଙ୍କ ନିକଟରେ ଖାଇବା ପାଇଁ ମଧ୍ୟ କିଛିନାହିଁ। ତେଣୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହରିବୁ ନାହିଁ ବୋଲି ସେ କହିଥିଲେ। ସେହିପରି ରବି ନାମକ ଯୁବକଙ୍କ କହିବା କଥା, ବାତ୍ୟା ଘରଦ୍ବାର ଭାଙ୍ଗି ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସହାୟତା ମିଳିନାହିଁ। ତେଣୁ ରାସ୍ତାରୋକ ଜରିଆରେ ବସ୍ତିବାସିନ୍ଦା ନିଜର ଦାବି ଉପସ୍ଥାପନ କରୁଛୁ ବୋଲି ସେ କହିଛନ୍ତି।