ସପ୍ତମ ବେତନ ପାଇଁ ନାବାର୍ଡ ସୁପାରିସକୁ ବିରୋଧ, କେନ୍ଦ୍ର ସମବାୟ ବ୍ୟାଙ୍କ୍‌ କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର: ସପ୍ତମ ବେତନ କମିସନ୍‌ଙ୍କ ସୁପାରିସକୁ କେନ୍ଦ୍ର ସମବାୟ ବ୍ୟାଙ୍କ୍‌ କର୍ମଚାରୀଙ୍କ ପାଇଁ ଲାଗୁ କରିବାକୁ ସମବାୟ ନିବନ୍ଧକଙ୍କୁ ନାବାର୍ଡ କରିଥିବା ସର୍ତ୍ତମୂଳକ ସୁପାରିସକୁ ନିଖିଳ ଉତ୍କଳ କେନ୍ଦ୍ର ସମବାୟ ବ୍ୟାଙ୍କ୍‌ କର୍ମଚାରୀ ମହାସଂଘ ବିରୋଧ କରିଛି। ଏହି ସର୍ତ୍ତ ମୁତାବକ ରାଜ୍ୟରେ ଥିବା ସମସ୍ତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌ କର୍ମଚାରୀମାନେ ସପ୍ତମ ବେତନ କମିସନ ସୁପାରିସ ମୁତାବକ ଦରମା ପାଇବା ପାଇଁ ଯୋଗ୍ୟ ବିବେଚିତ ହେଉ ନଥିବାରୁ ଏହି ବିରୋଧ ହୋଇଛି। ଦେଶର ଅନ୍ୟ କୌଣସି ରାଜ୍ୟରେ ଏଭଳି ସୁପାରିସ ନାବାର୍ଡ କରି ନଥିବା ବେଳେ ଓଡ଼ିଶାରେ କାହିଁକି କରିଛି ବୋଲି ମହାସଂଘ ପ୍ରଶ୍ନ ଉଠାଇବା ସହ ସୁପାରିସରୁ ସର୍ତ୍ତ ପ୍ରତ୍ୟାହାର କରିବା‌ ପାଇଁ ଦାବି କରିଛି। ଏହି ଦାବିରେ ଆଜି ରାଜ୍ୟରେ ଥିବା ୧୭ଟି ବ୍ୟାଙ୍କ୍‌ର ଶତାଧିକ କର୍ମଚାରୀ ନାବାର୍ଡ କ୍ଷେତ୍ରୀୟ ଅଫିସ୍‌ ସମ୍ମୁଖରେ ଧାରଣା‌ରେ ବସିଥିଲେ। ଯଦି ସୁପାରିସରେ ଥିବା ସର୍ତ୍ତକୁ ଅପସାରଣ କରା ନଯାଏ ତେବେ ଆଗାମୀ ଦିନରେ କୌଣସି କର୍ମଚାରୀ କାମରେ ଯୋଗଦେବେ ନାହିଁ। ସ୍ବଳ୍ପ ତଥା ଦୀର୍ଘକାଳୀନ ଋଣ ଲଗାଣ ମଧ୍ୟ ବନ୍ଦ କରିଦିଆଯିବ ବୋଲି ମହାସଂଘ ଚେତାବନୀ ଦେଇଥିଲା। ସଭାପତି ଅରୁଣ ଦେ’ଙ୍କ ନେତୃତ୍ବରେ ସମ୍ପାଦକ ବିଷ୍ଣୁ ପ୍ରସାଦ ମହାନ୍ତି, ଅଟଳ ବିହାରୀ ଶତପଥୀ, ପ୍ରକାଶ ଚନ୍ଦ୍ର ବାରିକ, ପ୍ରବୋଧ ମିଶ୍ର, ସନ୍ଦୀପ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଶତାଧିକ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ। ତେବେ ଅପରାହ୍‌ଣରେ ଏହି ସବୁ ବିବାଦୀୟ ସର୍ତ୍ତଗୁଡ଼ିକୁ ଅପସାରଣ କରାଯିବା ନେଇ ନାବାର୍ଡ ସାଧାରଣ ପରିଚାଳକ ବି. ନାଗେଶ୍ବର ରାଓ ଧାରଣାରତ କର୍ମଚାରୀମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ‌ସେମାନେ ଧାରଣାରୁ ହଟିଛନ୍ତି। ଦାବି ମୁତାବକ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ନିବନ୍ଧକଙ୍କୁ ଚିଠି ଲେଖାଯାଇଛି ବୋଲି ନାବାର୍ଡ ସାଧାରଣ ପରିଚାଳକ କହିବା ପରେ ସେମାନେ ନିବନ୍ଧକଙ୍କୁ ଭେଟିଛନ୍ତି। ଏ ନେଇ ସଂପାଦକ ବିଷ୍ଣୁ ପ୍ରସାଦ ମହାନ୍ତି କହିଛନ୍ତି, ୨୦୧୧ ମସିହାରୁ ରହିଥିବା ନିୟମ ମୁତାବକ ଯେଉଁ ବ୍ୟାଙ୍କ୍‌ ‘କାପାସିଟି ଟୁ ପେ’ ସର୍ତ୍ତାବଳୀ ପୂରଣ କରୁଥିବେ ସେମାନଙ୍କର କର୍ମଚାରୀ ଦରମା ହାର ପରିବର୍ତ୍ତନ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି। କିନ୍ତୁ ଏବେ ସପ୍ତମ ବେତନ କମିସନ ସୁପାରିସ ଲାଗୁ କରିବା ପାଇଁ ନିବନ୍ଧକଙ୍କୁ ଏଥର କେତେକ ସର୍ତ୍ତ ରଖି ନାବାର୍ଡ ସୁପାରିସ କରିଥିଲା। ଯାହାକୁ ଆମେ ବିରୋଧ କରିଥିଲୁ। ‌ତେବେ ‌ନାବାର୍ଡ ନିବନ୍ଧକଙ୍କୁ ଏ ବାବଦରେ ଚିଠି ଲେଖିଛି। ଏହା କାର୍ଯ୍ୟକାରୀ ନ ହେଲେ ପୁଣି ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର