ଭୁବନେଶ୍ୱର: ଜୁନ୍‌ ୧୦ ପୂର୍ବରୁ ମୌସୁମୀ ଭୁବନେଶ୍ୱର ଛୁଇଁବ। କିନ୍ତୁ ଏହା ପୂର୍ବରୁ ରାଜଧାନୀର ଡ୍ରେନ୍‌ ସଫେଇ ଶେଷ ହେବନି। ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ସଫେଇ ଶେଷ ହେବାକୁ ଜୁନ୍‌ ୨୦ ହୋଇଯିବ। ଗଳିକନ୍ଦି ଡ୍ରେନ୍‌ ସଫେଇ ଜୁନ୍‌ ୩୦ ବେଳକୁ ସରିବ ବୋଲି ଆଜି ବିଏମ୍‌ସିର କାଉନସିଲ୍‌ ବୈଠକରେ କୁହଯାଇଛି। ଧାର୍ଯ୍ୟ ସମୟରେ ଡ୍ରେନ୍‌ ସଫା ହେଉ ନଥିବାରୁ ସେମାନଙ୍କ ଅଞ୍ଚଳରେ ପାଣି ଜମୁଛି ବୋଲି ଅଭିଯୋଗ ଆଣି କର୍ପୋରେଟର୍‌ମାନେ ହୋହଲ୍ଲା କରିବା ପରେ ବିଏମ୍‌ସି କର୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଏପରିସ୍ଥଳେ ରାଜଧାନୀବାସୀ ଚଳିତବର୍ଷ ଜଳବନ୍ଦୀ ହେବା ଏକରକମ ଥୟ ହୋଇଯାଇଛି। ବିଏମ୍‌ସି କର୍ତୃପକ୍ଷ ବି ନିଜର ଅସହାୟତା ପ୍ରକାଶ କରି କହିଛନ୍ତି ଯେ, ଆମ ଅଧୀନରେ ଥିବା ଡ୍ରେନ୍‌ ସଫା କରୁଛୁ। କିନ୍ତୁ ପୂର୍ତ ବିଭାଗ, ଇଡ୍‌କୋ, ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଅବହେଳାରୁ ରାଜଧାନୀରେ ଜଳ ନିଷ୍କାସନ ହୋଇପାରୁନି। ଏନେଇ ତିନିଟି ଯାକ ବିଭାଗକୁ ବାରମ୍ବାର ଚିଠି ଲେଖିଲେ ବି କିଛି ଫଳ ମିଳୁନି। ଆମେ ଯେତିକି ପାରୁଛୁ ସେତିକି କରୁଛୁ କହି ବିଏମ୍‌ସି କର୍ତୃପକ୍ଷ ହାତ ଟେକି ଦେଇଛନ୍ତି। ଜାତୀୟ ରାଜପଥରେ ଜଳ ନିଷ୍କାସନ ପାଇଁ ପୂର୍ତ ବିଭାଗ ଏକ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ନାହିଁ ବୋଲି ଜାତୀୟ ରାଜପଥ କର୍ତୃପକ୍ଷ କହିଛନ୍ତି। ଏହାପରେ ଅର୍ଥ ବ୍ୟବସ୍ଥା କରି କାମ ଆରମ୍ଭ କରିବାକୁ ଆଉ ଏକ ବର୍ଷ ଲାଗିଯିବ। ତେଣୁ ଚଳିତବର୍ଷ ବି ଜାତୀୟ ରାଜପଥ ସମସ୍ୟା ଦୂର ହେବନି ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ ସମସ୍ୟା ଦୂର କରିବା ପାଇଁ ପୂର୍ତ ବିଭାଗ ପ୍ରସ୍ତାବ ଦେଇଛି ଯେ, ବରମୁଣ୍ଡାରୁ ପଳାସୁଣୀ ପର୍ଯ୍ୟନ୍ତ ରାସ୍ତାରେ ଜାତୀୟ ରାଜପଥ କଡ଼ରେ ସମାନ୍ତରାଳ ଭାବେ ଅଢେଇ ଫୁଟ୍‌ ଓସାରର ଡ୍ରେନ୍‌ ନିର୍ମାଣ ହେବ। ସିଆରପି ଛକରୁ ବରମୁଣ୍ଡା ପର୍ଯ୍ୟନ୍ତ ପାଣିକୁ ବରମୁଣ୍ଡା ନିକଟରେ ଥିବା ମୁଖ୍ୟ ଡ୍ରେନ୍‌ରେ, ସିଆରପିରୁ ଜୟଦେବ ବିହାର ପର୍ଯ୍ୟନ୍ତ ପାଣିକୁ ଜୟଦେବ ବିହାର ଛକରେ ଥିବା ମୁଖ୍ୟ ଡ୍ରେନ୍‌ରେ, ଜୟଦେବ ବିହାର ଛକରୁ ଆଚାର୍ଯ୍ୟ ବିହାର ଦେଇ ବାଣୀବିହାର ପର୍ଯ୍ୟନ୍ତ ପାଣିକୁ ବାଣୀବିହାର ନିକଟସ୍ଥ ମୁଖ୍ୟ ଡ୍ରେନ୍‌ରେ ଏବଂ ବାଣୀବିହାରରୁ ରସୁଲଗଡ଼ ଦେଇ ପଳାସୁଣି ପର୍ଯ୍ୟନ୍ତ ପାଣିକୁ ଗଙ୍ଗୁଆ ନାଳରେ ପକାଯିବ। ଏହାଦ୍ୱାରା ଜାତୀୟ ରାଜପଥରେ ଆଉ ପାଣି ସମସ୍ୟା ଉପୁଜିବନି। ହେଲେ ଏଥିପାଇଁ ବହୁ ଅର୍ଥ ଆବଶ୍ୟକ ଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ଏତେ ସହଜ ହେବନି।

କର୍ପୋରେଟର୍‌ ସାର୍ଟିଫିକେଟ୍‌ ଦେଲେ ସଫେଇ ସଂସ୍ଥା ଅର୍ଥ ପାଇବେ
କାଳବୈଶାଖୀ ଜନିତ ବର୍ଷାରେ ରାଜଧାନୀ ଉବୁଟୁବୁ ହେବା ପରେ ଆଜି ବିଏମ୍‌ସି କାଉନସିଲ୍‌ ବୈଠକରେ କର୍ପୋରେଟରମାନେ ପାଟିତୁଣ୍ଡ କରିଥିଲେ। ଠିକ୍‌ ସମୟରେ ମୁଖ୍ୟ ଡ୍ରେନ୍‌ ସମେତ ବିଭିନ୍ନ ଗଳିକନ୍ଦି ଡ୍ରେନ୍‌ ସଫା ନ ହେବାରୁ ଏହି ପରିସ୍ଥିତି ଉପୁଜିଲା ବୋଲି କହିଥିଲେ। ଘରୋଇ ସଂସ୍ଥା ସଫେଇ କରୁଥିବାବେଳେ ସେମାନଙ୍କ ଉପରେ କର୍ପୋରେଟରଙ୍କ ନିୟନ୍ତ୍ରଣ ରହୁ ନଥିବାରୁ ଏହି ସମସ୍ୟା ଉପୁଜୁଛି। ଏପରିକି ବିଭିନ୍ନ ଓ୍ଵାର୍ଡରେ ବାରମ୍ବାର ସଫେଇ କାର୍ଯ୍ୟ ବନ୍ଦ ରହୁଛି। ତେଣୁ କର୍ପୋରେଟର୍‌ମାନେ ସାର୍ଟିଫିକେଟ୍‌ ଦେଲେ ସଫେଇ ସଂସ୍ଥାର ବିଲ୍‌ ପାସ୍‌ ହେବ ବୋଲି ନିଷ୍ପତ୍ତି ହୋଇଛି। ଆସନ୍ତା ମାସରୁ ଏହାକୁ ତୁରନ୍ତ ଲାଗୁ କରିବାକୁ ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା କାଉନସିଲ୍‌ ବୈଠକରେ କମିସନର କ୍ରିଷନ କୁମାର, ଅତିରିକ୍ତ କମିସନର ଶୁଭମ୍‌ ସାକ୍‌ସେନା ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

୮୦ କିମି ରାସ୍ତା ଯାନ୍ତ୍ରିକ ଉପାୟରେ ସଫେଇ
ହକି ବିଶ୍ୱକପ୍‌ ପୂର୍ବରୁ ଏବଂ ଏହି ସମୟରେ ରାଜଧାନୀ ଯେପରି ସ୍ୱଚ୍ଛ ରହିବ ସେଥିପାଇଁ ୮୦ କିମି ରାସ୍ତାରେ ଯାନ୍ତ୍ରିକ ଉପାୟରେ ସଫେଇ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୪୦କିମି ଲେଖାଏଁ ଦୁଇଟି ରୁଟ୍‌ କରାଯାଇଛି। ରାଜଧାନୀର ସମସ୍ତ ମୁଖ୍ୟ ରାସ୍ତାରେ ଏହି ବ୍ୟବସ୍ଥା ଉପଲବ୍ଧ ହେବ। ଏଥିପାଇଁ ଟେଣ୍ଡର୍‌ ମାଧ୍ୟମରେ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯିବ ବୋଲି କୁହାଯାଇଛି।

ଜୁନ୍‌ରେ କାର୍ଯ୍ୟକ୍ଷମ ହେବ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର୍‌
ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା, ସିଟି ବସ୍‌ ଚଳାଚଳ, ଅଗ୍ନିଶମ ସେବା, ବିଏମ୍‌ସି ଓ ବିଡିଏର ବିଭିନ୍ନ ସେବା, ରାଜଧାନୀରେ ଉପଲବ୍ଧ ହେଉଥିବା ସମସ୍ତ ଜରୁରୀକାଳୀନ ସେବାକୁ ଗୋଟିଏ ଛାତ ତଳେ ନିୟନ୍ତ୍ରଣ କରାଯିବ। ସିସିଟିିଭି ମାଧ୍ୟମରେ ପୂରା ସହର ଉପରେ ନଜର ରହିବ। ଏଥିପାଇଁ ନିର୍ମାଣ ହେଉଛି କମାଣ୍ଡ କଣ୍ଟ୍ରୋଲ ସେଣ୍ଟର। ଏହି ସେଣ୍ଟର୍‌ଟି ସତ୍ୟନଗରରେ ହେବାକୁ ଥିବା ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟରେ ନିର୍ମାଣ ହେବାକୁ ଥିଲେ ହେଁ ଏବେ ଏହା ଭବାନି ମଲ୍‌ରେ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଛି। ପ୍ରାୟ ୧୦ହଜାର ବର୍ଗଫୁଟ ଅଞ୍ଚଳରେ ଏହାକୁ ନିର୍ମାଣ କରାଯାଇଛି। ଏଥିରେ ପ୍ରାୟ ୨୦ରୁ ଅଧିକ ବଡ଼ ବଡ଼ ଏଲ୍‌ସିଡି ପରଦା ଲାଗିଥିବାବେଳେ ତୁରନ୍ତ ବାର୍ତା ପହଞ୍ଚାଇବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି।

ରାଜଧାନୀରେ ଲାଗିବ ଅଟୋମେଟିକ୍‌ ଟଏଲେଟ୍‌
ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରେ ଅଟୋମେଟିକ୍‌ ଏବଂ ସେମି ଅଟୋମେଟିକ୍‌ ଟଏଲେଟ୍‌ ଲାଗିବ। ଏଥିପାଇଁ ୧୫ଦିନ ମଧ୍ୟରେ ଆର୍‌ଏଫ୍‌ପି ପ୍ରସ୍ତୁତ କରିବାକୁ ବିଏମ୍‌ସି ସିଟି ଇଞ୍ଜିନିୟରଙ୍କୁ କୁହାଯାଇଛି। ଆଉ ଅକ୍ଟୋବର ସୁଦ୍ଧା ଏହି ଟଏଲେଟ୍‌ ବିଭିନ୍ନ ସ୍ଥାନରେ ଲାଗିବ। ମିଳିଥିବା ସୂଚନା ଅନୁଯାୟୀ, ଫରେଷ୍ଟ ପାର୍କ ଏବଂ ଆଇଜି ପାର୍କରେ ଅଟୋମେଟିକ୍‌ ଟଏଲେଟ୍‌ ଲାଗିବ। ଏଠାରେ ଜଣେ କଏନ୍‌ ଗଳାଇ ବ୍ୟବହାର କରିପାରିବେ। ଏଠାରେ ଅଟୋମେଟିକ୍‌ ଫ୍ଲସ୍‌, ଶୌଚାଳୟ ସଫା କରିବାର ବ୍ୟବସ୍ଥା ରହିବ। ସେହିପରି ନିର୍ମାଣ ହେବାକୁ ଥିବା ସିଟି ବସ୍‌ ବସଷ୍ଟାଣ୍ଡରେ ସେମି ଅଟୋମେଟିକ୍‌ ଟଏଲେଟ୍‌ ଲାଗିବ। ଏଠାରେ ଲୋକ କଏନ୍‌ ଗଳାଇ ସୁବିଧା ପାଇବେ। କିନ୍ତୁ ସଫା କରିବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ମାନୁଆଲ୍‌ ଉପାୟରେ ହେବ।