ରାସ୍ତା ସମସ୍ୟା ସାମଧାନ ଦାବିରେ ବିକ୍ଷୋଭ କାଲି ବିଧାୟକ, ଆଜି ସାଂସଦ

ପୁରୁଣା ଭୁବନେଶ୍ବର: ସୁନ୍ଦରପଦା-ସରକାନ୍ତରା ରାସ୍ତାର ତୁରନ୍ତ ମରାମତି ଦାବି କରି ଆର୍‌ସିଏମ୍‌ ଟାଟା ପ୍ରେଜେକ୍ଟ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ କରାଯାଇଥିଲା। ଗତକାଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ସ୍ଥାନୀୟ ଲୋକ ସୁନ୍ଦରପଦାର ଟାଟାର ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟଠାରେ ଏହି ବିକ୍ଷୋଭ କରିଥିଲେ। ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ସେଠାରେ ପ୍ରତିବାଦ କରିଥିଲେ। ରାସ୍ତା କାମ ନହେବା ପର୍ଯ୍ୟନ୍ତ ପ୍ରୋଜେକ୍ଟ କାମ ବନ୍ଦ କରିବାକୁ ଉଭୟ ନେତା ଦାବି କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରପଦା-ସରକାନ୍ତରା ପର୍ଯ୍ୟନ୍ତ ପ୍ରାୟ ୩କିଲୋମିଟର ରାସ୍ତାର ଅବସ୍ଥା ଏବେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ୪ଟି ବ୍ଲକ୍‌ର ଶତାଧିକ ଲୋକ ଏହି ରାସ୍ତାରେ ନିର୍ଭର କରୁଥିବା ସହ ଏମ୍‌ସ ହସ୍ପିଟାଲକୁ ଏହି ରାସ୍ତା ଦେଇ ମଧ୍ୟ ଯିବା ଆସିବା କରୁଛନ୍ତି। ତେବେ ପ୍ରଶାସନିକ ଉଦାସୀନତା ଯୋଗୁଁ ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ଆର୍‌ସିଏମ୍‌ ଟାଟା ପ୍ରେଜେକ୍ଟର ବହୁ ଗାଡ଼ି ଯିବା ଆସିବା କରୁଥିବା ବେଳେ ରାସ୍ତା ଗୁଡ଼ିକ ଅଧିକ ନଷ୍ଟ ହୋଇଛି ବୋଲି ସ୍ଥାନୀୟ ଲୋକ ଦୀର୍ଘ ଦିନ ହେଲା ଅଭିଯୋଗ କରିଆସୁଛନ୍ତି। ଏହି ରାସ୍ତାର ମରାମତି ନହେବା ପର୍ଯ୍ୟନ୍ତ ଆର୍‌ସିଏମ୍‌ ଟାଟା ପ୍ରେଜେକ୍ଟ କାର୍ଯ୍ୟକୁ ବନ୍ଦ କରିବା ନେଇ ଗତକାଲି ବିଧାୟକ ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ବିକ୍ଷୋଭ କରାଯାଇଥିଲା। ପ୍ରୋଜେକ୍ଟର ଜେ‌ନେରାଲ ମ୍ୟାନେଜରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଆଜି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ, ବିଜେପି ନେତା ବିଶ୍ୱରଂଜନ ବଡ଼ଜେନାଙ୍କ ସମେତ ବହୁ ମୁରବୀ ସାମିଲ ହୋଇ ବିକ୍ଷୋଭ କରିଥିଲେ। ଏବେ ସେଠାରେ ପ୍ରୋଜେକ୍ଟ କାର୍ଯ୍ୟ ବନ୍ଦ ରହିଥିବା ଜଣାପଡିଛି। ଏନେଇ ଆର୍‌ସିଏମ୍‌ ଟାଟା ପ୍ରେଜେକ୍ଟ ମ୍ୟାନେଜରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧିତ ଖବର