‘ଫନି’ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି, ବସ୍ତି ସୁରକ୍ଷା ମଞ୍ଚର ବିକ୍ଷୋଭ

ଭୁବନେଶ୍ବର: ରିଲିଫ କୋଡ୍‌ରେ ସଂଶୋଧନ କରି ‘ଫନି’ କ୍ଷତିଗ୍ରସ୍ତ ବସ୍ତିବାସିନ୍ଦା, ଜମିପଟ୍ଟା ନଥିବା ଦଳିତ, ଆଦିବାସୀ, ମତ୍ସ୍ୟଜୀବୀ ପରିବାରଙ୍କୁ ଗୃହ ନିର୍ମାଣ ସହ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ଦାବିରେ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଞ୍ଚ ସଭାନେତ୍ରୀ ହେନା ବାରିକଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କ୍ଷତିଗ୍ରସ୍ତ ପରିବାର ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ପରେ ସେଠାରେ ଦାବି ପୂରଣ ପାଇଁ ଧାରଣା ଦେଇଥିଲେ।

ଏକ ପ୍ରତିନିଧିମଣ୍ଡଳୀ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବ୍ୟକ୍ତିଗତ ସଚିବଙ୍କୁ ଭେଟି ୧୩ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବା ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ବିକ୍ଷୋଭରେ ମଞ୍ଚର ସାଧାରଣ ସମ୍ପାଦିକା ପ୍ରମିଳା ‌ବେହେରା, କୃଷ୍ଣ ମୋହନ ପ୍ରଧାନ, ମୁନା ନାୟକ, ବଟକୃଷ୍ଣ ରାଉତ, ବିଶ୍ବପ୍ରିୟା କାନୁନ୍‌ଗୋ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର