ଖାଦ୍ୟ ପାଇଁ କରୁଣ ସ୍ଥିତି : ଖାଇବାକୁ ନପାଇ ପୁଲିସକୁ ଘେରିଲେ

ବସ୍ତିରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ସବୁଠି ଲମ୍ବା ଧାଡ଼ି, କିଏ ଖାଇବାକୁ ଦେବ ତାକୁ ଅପେକ୍ଷା

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ‌ହୋଇଥିବା ଲକ୍‌ଡାଉନ୍ ଏବେ ଲୋକଙ୍କ ପେଟକୁ ନାତ ମାରିଲାଣି। ଦିନକୁ ଓଳିଏ ଖାଦ୍ୟ ଯୋଗାଡ଼ କରିବା ବହୁ ଲୋକଙ୍କ ପାଇଁ କାଠିକର ପାଠ ହୋଇଗଲାଣି। ଏପରିକି କିଏ ଖାଦ୍ୟ ଦେଲେ ଖାଇବେ ତାହାକୁ ଅପେକ୍ଷା କରି ବସୁଛନ୍ତି। କେହି ହାତ ଟେକି ଖାଇବାକୁ ନଦେଲେ ଉପାସରେ ଦିନ କଟୁଛି। ରାଜଧାନୀରେ ଖାଦ୍ୟ ପାଇଁ ଏବେ ଏଭଳି ହାହାକାର ପରିସ୍ଥିତି ସୃଷ୍ଟି ହୋଇଯାଇଛି। କେତେକ ସ୍ଥାନରେ ତ କଥା ହାତାହାତି ପର୍ଯ୍ୟନ୍ତ ଗଲାଣି। ସ୍ଥିତି ଏପରି ହେଲାଣି ଯେ ଆଉ କିଛି ଦିନ ଏମିତି ଚାଲିଲେ ରକ୍ତର ସୁଅ ଛୁଟିବ।

ବାତ୍ୟା ଫନି ବେଳେ ଯେତିକି ଦୁଃସ୍ଥିତି ଉପୁଜିନଥିଲା, କରୋନା ତା’ଠାରୁ ଅଧିକ ନିର୍ଯାତନା ଦେଲାଣି। ବସ୍ତିରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ସବୁଠି ଏବେ ଲୋକଙ୍କର ଲମ୍ବା ଧାଡ଼ି ଲାଗୁଛି। କାମଧନ୍ଦା ମିଳୁ ନଥିବାରୁ ସକାଳୁ ଉଠିଲେ ଗୋଟିଏ ଚିନ୍ତା, ଆଜି କିଏ ଖାଇବାକୁ ଦେବ। ଯଦି ଖାଇବାକୁ ଦେବାକୁ କେହି ନ ଆସିବେ, ତେବେ କେଉଁଠିକୁ ଯିବୁ, କାହାକୁ ଖାଇବାକୁ ମାଗିବୁ।

ବସ୍ତି ଅଞ୍ଚଳରେ ଖାଦ୍ୟ ପାଇଁ କିପରି କରୁଣ ସ୍ଥିତି ଉପୁଜିଛି, ତାହା ଆ‌ଜି ମୈତ୍ରୀବିହାରର ବିର୍ସାମୁଣ୍ଡା ବସ୍ତି, ସାଲିଆସାହିର ସୁନାମ କ୍ଲବ ଏବଂ ଜୟଦେବବିହାରସ୍ଥିତ ଶରଣାପଲ୍ଲୀ ବସ୍ତିରେ ଦେଖିବାକୁ ମିଳିଥିଲା। କେଉଁଠି ଲୋକ ଖାଇବାକୁ ଅଧ କିମି ପର୍ଯ୍ୟନ୍ତ ଥାଳି, ଗିନା ଧରି ଛିଡ଼ା ହୋଇଥିଲେ ତ କେଉଁଠି ଖାଇବାକୁ ନ ମିଳିବାରୁ ପୁଲିସକୁ ଘେରାବନ୍ଦୀ କରିଥିଲେ।

ମୈତ୍ରୀବିହାରରେ ୩/୪ବର୍ଷର ଛୁଆଙ୍କଠାରୁ ଆରମ୍ଭ କରି ୬୦ବର୍ଷର ବୟସ୍କାଙ୍କ ପର୍ଯ୍ୟନ୍ତ ଲୋକମାନେ ଲମ୍ବା ଧାଡ଼ି‌ରେ ଛିଡ଼ା ହୋଇଥିଲେ। ଗୋଟିଏ ସ୍ବେଚ୍ଛାସେବୀ ଅନୁଷ୍ଠାନ ଖାଇବାକୁ ଦେବାକୁ କହିଥିବା ବେଳେ ଆସିବାରେ ବିଳମ୍ବ ହେବାରୁ ଲୋକମାନେ ଭୋକ ସମ୍ଭାଳି ନପାରି ଘରୁ ବାହାରି ଆସିଥିଲେ। ଖରାକୁ ‌ବେଖାତିର କରି ଧାଡ଼ିରେ ଛିଡ଼ା ହୋଇଥିଲା। ପେଟର ଭୋକ ଆଗରେ ସାମାଜିକ ଦୂରତା ତୁଚ୍ଛ ଥିଲା। ଜୟଦେବ ବିହାରଛକସ୍ଥିତ ଶରଣାପଲ୍ଲୀ ବସ୍ତିରେ ଲୋକମାନେ ସାମାଜିକ ଦୂରତା ରଖିଥିଲେ। ହେଲେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବା ପରେ ଖାଇବାକୁ ମିଳିଥିଲା। କିନ୍ତୁ ସାଲିଆ ସାହିରେ ସୁନାମ କ୍ଲବ୍‌ ନିକଟରେ ଶତାଧିକ ଲୋକଙ୍କୁ ଖାଇବାକୁ ନମିଳିବାରୁ ହୋହଲ୍ଲା କରିଥିଲେ। ଖାଇବାକୁ ଧାଡ଼ିରେ ଛିଡ଼ା ହେବା ପରେ ବି ନ ମିଳିବାରୁ ଲୋକଙ୍କ ମୁଣ୍ଡ ଖରାପ ହୋଇଯାଇଥିଲା। ଆଜି କ’ଣ ଖାଇ‌ବେ, ସେ ଚିନ୍ତାରେ ବସ୍ତିବାସିନ୍ଦା ଚିତ୍କାର କରିଥିଲେ।

ଘଟଣାସ୍ଥଳରେ ନୂଆପଲ୍ଲୀ ଥାନା ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ହେଁ ଲୋକଙ୍କ ଭୋକ ଆଗରେ ଉପାୟଶୂନ୍ୟ ହୋଇଯାଇଥିଲା। ଏକ ଘରୋଇ ସଂସ୍ଥା କିଛି ଲୋକଙ୍କୁ ଖାଦ୍ୟ ବାଣ୍ଟି ପଳାଇଥିଲା। ହେଲେ ଯେଉଁ ଶତାଧିକ ଲୋକ ଖାଇବାକୁ ପାଇ ନଥିଲେ, ସେମାନଙ୍କୁ କିଏ ଖାଦ୍ୟ ଦେବ ବୋଲି ପୁଲିସକୁ ପ୍ରଶ୍ନ କରିଥିଲେ। ପୁଲିସ ସାମାଜିକ ଦୂରତା ରକ୍ଷା କରିବାକୁ କହିବାରୁ ବସ୍ତିବାସିନ୍ଦା ଘେରି ଯାଇଥିଲେ। କିଛି ଖାଇବା ବ୍ୟବସ୍ଥା କରାଯିବ ବୋଲି କହି ପୁଲିସ କର୍ମଚାରୀ ସେଠାରୁ ଖସି ଆସିଥିଲେ।

କେବଳ ବସ୍ତିବାସିନ୍ଦା ନୁହେଁ, ବହୁ ବାସହରା ବି ଖାଇବା ପାଇଁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଲମ୍ବାଧାଡ଼ିରେ ଛିଡ଼ା ହୋଇଥିଲେ। ଆଜିର ସ୍ଥିତି ଦେଖିବା ପରେ ଲାଗୁଥିଲା, ସରକାର‌ ପ୍ରତିଦିନ ଏତେ ଲକ୍ଷ ଲୋକଙ୍କୁ ଖାଇବାକୁ ଦିଆଗଲା, ଏତେ ଲକ୍ଷ ଲୋକଙ୍କୁ ଖାଇବାକୁ ଦିଆଯିବ ବୋଲି ଯେଉଁ ପ୍ରଚାର କରୁଛନ୍ତି, ତାହା କେବଳ ଭୋକିଲାଙ୍କୁ ଉପହାସ।

ସମ୍ବନ୍ଧିତ ଖବର