ଆମ ଜନତା ଅଧିକାର ସଂଗଠନର ଚେତାବନୀ: ୩୧ ସୁଦ୍ଧା ଜଗନ୍ନାଥଙ୍କ ଟଙ୍କା ଫେରାଅ, ନଚେତ ସତ୍ୟାଗ୍ରହ

ଭୁବେନଶ୍ବର: ଚଳିତମାସ ଶେଷ ସୁଦ୍ଧା ୟେସ୍ ବ୍ୟାଙ୍କରେ ଜମାଥିବା ଶ୍ରୀଜଗନ୍ନାଥଙ୍କ ଟଙ୍କା ଫେରାଇବାକୁ ଦାବି କରିଛି ଆମ ଜନତା ଅଧିକାର ସଂଗଠନ। ନଚେତ୍ ଆସନ୍ତା ଉତ୍କଳ ଦିବସରୁ ସତ୍ୟାଗ୍ରହ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଆବାହକ ମନୋଜ ଜେନା କହିଲେ, ୟେସ୍ ବ୍ୟାଙ୍କର ଦେବାଳିଆ ପରିସ୍ଥିତିରେ ଏଥିରେ ଜମା ଥିବା ଶ୍ରୀଜଗନ୍ନାଥଙ୍କ ୫୪୫‌କୋଟି ଟଙ୍କା ଫେରିବ କି ନାହିଁ, ତାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଜଗନ୍ନାଥଙ୍କ ହୁଣ୍ଡିରେ ଆଦାୟ ଅର୍ଥକୁ କେବଳ ଜାତୀୟକରଣ ବ୍ୟାଙ୍କରେ ରଖିବାର ନିୟମ ଥିବା ବେଳେ ସରକାରଙ୍କ କିଛି ଅସାଧୁ ଅଧିକାରୀ କୋଟି କୋଟି ଟଙ୍କାର କିକବ୍ୟାକ୍ ନେଇ ଏହି ଟଙ୍କାକୁ ୟେସ୍ ବ୍ୟାଙ୍କରେ ରଖିଥିଲେ। ଏଭଳି ପରିସ୍ଥିତିରେ ଟଙ୍କା ଫେରିବା ଆଶା କ୍ଷୀଣ। ଯେଉଁ ଅଧିକାରୀମାନେ ଏଭଳି କାର୍ଯ୍ୟରେ ସଂପୃକ୍ତ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଟଙ୍କା ଫେରି ପାଇବା ପର୍ଯ୍ୟନ୍ତ ସାମୂହିକ ଦୀପଦାନ କରିବା ପାଇଁ ଆହ୍ବାନ କରାଯାଇଛି। ଶ୍ରୀଜଗନ୍ନାଥଙ୍କ ଟଙ୍କା ନ ଫେରିଲେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ‌ରେ ସହ ଆବାହକ ବାସୁଦେବ ଭଟ୍ଟ, ସଂପାଦକ ଲଲାଟେନ୍ଦୁ ଶତପଥୀ, ପ୍ରସନ୍ନ ବ‌ିଷୋୟୀ, ଜଗବନ୍ଧୁ ଜେନା, ରାଜୀବ ପଟ୍ଟନାୟକ ଓ ସତ୍ୟବ୍ରତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର