ଖଣ୍ଡଗିରି: ରବିବାର ପେଟ୍ରୋଲ୍ ଓ ଡିଜେଲ୍ ଦରବୃଦ୍ଧିକୁ ବିରୋଧ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଚିରିବା ଓ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ କର୍ତ୍ତବ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ରବିବାର ଖଣ୍ଡଗିରି ଥାନା ପୁଲିସ ୬ ଜଣ ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ, ପ୍ରଶାନ୍ତ ସାହୁ, ସାଗର ପଟ୍ଟନାୟକ, ସେକ୍ ଅମୀର ଅହମ୍ମଦ, ରଣଜିତ୍ ପାତ୍ର ଓ ସ୍ୱରୂପ ଦାଶ। ତେବେ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ସେମାନଙ୍କୁ ଜାମିନ୍ ମିଳିଯାଇଛି।
ପୁଲିସ ସୂଚନାନୁସାରେ ଯୁବ କଂଗ୍ରେସ ସଭାପତି ଶ୍ରୀ ମହାରଥୀଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ଶତାଧିକ ଯୁବ କର୍ମୀ ମାଷ୍ଟର କ୍ୟାଣ୍ଟିନ୍ ଛକସ୍ଥିତ କଂଗ୍ରେସ ଭବନରୁ ଏକ ବାଇକ୍ ରାଲିରେ ବାହାରିଥିଲେ। ଲୋୟର୍ ପିଏମ୍ଜି ରାସ୍ତାରେ ଯାଇ ସେମାନେ ଏଜି ଛକ ଓ ଗୋପବନ୍ଧୁ ଛକ ଦେଇ ଡେଲ୍ଟା ଛକରେ ପହଞ୍ଚିଥିଲେ। କାଳେ ବାଟରେ କିଛି ଗଣ୍ଡଗୋଳ ଘଟିବା ଆଶଙ୍କା କରି ପିସିଆର୍ ଭ୍ୟାନ୍-୨ ସେମାନଙ୍କ ପିଛା କରିଥିଲା। ଡେଲ୍ଟା ଛକରେ ଏହି ରାଲି ପଟ୍ଟନାୟକ ପେଟ୍ରୋଲ୍ ପମ୍ପରେ ପହଁଞ୍ଚିଥିଲା ଓ ଯୁବ କଂଗ୍ରେସ କର୍ମୀମାନେ ସେଠାରେ ଲଗାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟରକୁ ଚିରି ପକାଇଥିଲେ। ପିସିଆର୍ ଭ୍ୟାନ୍-୨ର କର୍ମଚାରୀମାନେ ବିକ୍ଷୋଭକାରୀଙ୍କୁ ପୋଷ୍ଟର ଚିରାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ। କିନ୍ତୁ ଯୁବ କଂଗ୍ରେସ କର୍ମୀମାନେ ପୁଲିସ ପରାମର୍ଶକୁ ବେଖାତିର କରି ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ହଟାଇଥିଲେ। ତେଣୁ ପିସିଆର୍ କର୍ମଚାରୀମାନେ ତୁରନ୍ତ ଖଣ୍ଡଗିରି ଥାନାକୁ ଖବର ଜଣାଇଥିଲେ ଓ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଯୁବ କଂଗ୍ରେସ କର୍ମୀମାନଙ୍କ ପକ୍ଷରୁ ହୋଇଥିବା ଏହି ବିକ୍ଷୋଭ ପ୍ରଦର୍ଶନ ପାଇଁ ସେମାନେ ପ୍ରଶାସନିକ କର୍ତ୍ତୃପକ୍ଷଙ୍କଠାରୁ କୌଣସି ପ୍ରକାର ଅନୁମତି ହାସଲ କରି ନଥିଲେ। ତେଣୁ ବିନା ଅନୁମତିରେ ରାଲି କରିବା ଓ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଚିରିବା ଭଳି ଅପରାଧରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।