ସେସୁ ବିକ୍ରିକୁ ବିରୋଧ, ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ: ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)କୁ ଟାଟା ପାୱାର କମ୍ପାନିକୁ ବିକ୍ରି କରାଯିବାକୁ ବିରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ସମାଜସେବୀ ଧୋ‌ବେଇ ସାହୁଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ୨୦୧୭ ସେପ୍ଟେମ୍ବର ୧୬ରେ ସେସୁକୁ କିଣିବାକୁ ଆଗ୍ରହୀ ସଂସ୍ଥାଗୁଡିକ ନିକଟରୁ ଆବେଦନ ଆହ୍ବାନ କରାଯାଇଥିଲା। ଏହି ବିଜ୍ଞପ୍ତି ଆଧାରରେ ଟାଟା ପାୱାର ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲା। ଟାଟା ପାୱାର ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା। ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରି କମିସନ (ଓଇଆରସି) ୨୦୧୯ ଡିସେମ୍ବର ୨୦ ‌ରେ ଟାଟା ପାୱାର ସପକ୍ଷରେ ଏକ ଲେଟର ଅଫ୍ ଇଣ୍ଡେଣ୍ଟ୍‌ (ଏଲଓଆଇ) ଜାରି କରିଥିଲା। ଏପରି ପଦକ୍ଷେପ ଫଳରେ ସେସୁର ୫୧ ପ୍ରତିଶତ ଅଂଶଧନ ଟାଟା ପାୱାରକୁ ଟ୍ରାନ୍ସଫର କରାଯିବ। ଏପରି ପଦକ୍ଷେପ ଇଲେକ୍ଟ୍ରିସିଟି ଆଇନ, ୨୦୦୩ର ଧାରା ୨୪ର ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସେସୁରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ କର୍ମଚାରୀ ସଂଘର ସଂସ୍ଥାରେ ୧୦ ପ୍ରତିଶତ ଅଂଶଧନ ରହିଥିବା ବେଳେ ଏଭଳି ନିଷ୍ପତ୍ତି ପୂର୍ବରୁ ଏଭଳି ଅଂଶୀଦାରଙ୍କ ସହିତ କୌଣସି ଆଲୋଚନା କରାଯାଇ ନଥିଲା। ସେସୁ ବିକ୍ରି ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ସହିତ ୨୦୧୯ ଡିସେମ୍ବର ୨୦ର ଏଲ୍‌ଓଆଇକୁ ରଦ୍ଦ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଏଥି ସହିତ ସେସୁର ପରିଚାଳନା ଭାର ସରକାର ଗ୍ରହଣ କରନ୍ତୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ଶକ୍ତି ବିଭାଗ, ସେସୁ, ଗ୍ରିଡକୋ, ଓଇଆରସି ଓ ଟାଟା ପାୱାର୍‌କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର