ସ୍କୁଲ ନାମଲେଖାକୁ ନେଇ ବିବାଦ: ଗାନ୍ଧୀ ମୂର୍ତ୍ତି ତଳେ ବସିଲେ ଅଭିଭାବକ

ମନ୍ତ୍ରୀ କହିଲେ, ସେମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା

ଭୁବ‌ନେଶ୍ବର: ସରକାରୀ ବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ନାମଲେଖା‌ ପ୍ରକ୍ରିୟା ଜୁଲାଇ ୧୫ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶା ଅବିଭାବକ ମହାସଂଘ ବିରୋଧ କରିଛି। ଅବିଭାବକଙ୍କୁ ଶୋଷଣ କରାଯିବା ସହ ପିଲାଙ୍କୁ କରୋନାମୁହଁକୁ ଠେଲି ଦିଆଯାଉଛି ବୋଲି ଅଭିଯୋଗ କରି ମହାସଂଘର ସଦସ୍ୟମାନେ ଆଜି ମହାତ୍ମା ଗାନ୍ଧୀ ପାର୍କରେ ଥିବା ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ।

ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଜୁଲାଇ ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି। ଏହାପରେ ବି କାହିଁକି ଓ କାହା ସ୍ୱାର୍ଥରେ ଗଣଶିକ୍ଷା ବିଭାଗ କୋଭିଡ୍‌-୧୯ ନିୟମକୁ ଉଲ୍ଲଂଘନ କରି ଜୁଲାଇ ୧୫ ପୂର୍ବରୁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ନାମ‌ଲେଖା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛି, ତାହା ଜଣାପଡ଼ୁନାହିଁ। ଏହି ନିର୍ଦ୍ଦେଶ ବଳରେ କିଛି ବେସରକାରୀ ସ୍କୁଲ ଅଭିଭାବକଙ୍କୁ ରି-ଆଡମିସନ୍‌ ଫି’ ଆଦାୟ କରିବା, ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଅର୍ଥ ମାଗିବା, ବହି କିଣିବା ପାଇଁ ଫୋନ୍‌, ମେସେଜ, ହ୍ବାଟସ୍‌-ଆପ୍‌ କରିବେ। ନଦେଲେ ପିଲାଙ୍କୁ ପଠାପଢ଼ାରେ ବ୍ୟାଘାତ ପାଇଁ ଧମକ ଦେବେ। ପୂର୍ବବର୍ଷଗୁଡ଼ିକରେ ଏଭଳି କରାଯାଇ ନଥିବା ବେଳେ ଚଳିତବର୍ଷ ବେସରକାରୀ ସ୍କୁଲଗୁଡ଼ିକୁ ବେଆଇନ ନାମଲେଖା ଓ ଫି’ ଆଦାୟ ପାଇଁ ସୁହାଇଲା ଭଳି ନିର୍ଦେଶ ଦିଆଯାଇଛି। ଏହି ନିର୍ଦେଶକୁ ତୁରନ୍ତ ପ୍ରତ୍ୟାହାର କରା ନଗଲେ ମହାସଂଘ ରାସ୍ତାକୁ ଓହ୍ଲାଇବ ବୋଲି ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ କହିଛନ୍ତି। ଏହି ମୌନ ପ୍ରତିବାଦରେ ମହାସଂଘର ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ସହ ଅଧ୍ୟକ୍ଷ ସତ୍ୟବ୍ରତ ପରିଜା, ରଶ୍ମି ରଞ୍ଜନ କାନୁନ୍‌ଗୋ, ସ୍ୱପ୍ନେନ୍ଦୁ ସାମନ୍ତରାୟ, ଲିଲି ଜେନାମଣି ପ୍ରମୁଖ ସାମିଲ ହୋଇଥିଲେ। ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ‌ଯେ ସରକାରୀ ବିଦ୍ୟାଳୟଗୁଡ଼ିକ‌ରେ ନାମଲେଖା ହେଉଛି। ଏହାକୁ ଅବିଭାବକ ମହାସଂଘ କାହିଁକି ବିରୋଧ କରୁଛି, ଜଣାପଡ଼ୁନାହିଁ। ସେମାନେ ଏହାକୁ କାହିଁକି ଘରୋଇ ସ୍କୁଲ ସହ ଯୋଡୁଛନ୍ତି, ମୁଁ ଜାଣିନି। ଏହା ସେମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା ହୋଇପାରେ। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମକୁ ଜୁଲାଇ ୧୫ ସୁଦ୍ଧା ନାମଲେଖା ସାରିବାକୁ ହେବ। ଜୁଲାଇ ୩୧ ପରେ ପରିସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି।

ସମ୍ବନ୍ଧିତ ଖବର