ଏଜି ବଗିଚାରେ ଟେନି‌ସ୍ କୋର୍ଟ ନିର୍ମାଣକୁ ବିରୋଧ

ଭୁବନେଶ୍ବର: ରାଜଧାନୀସ୍ଥିତ ଏଜି କାର୍ଯ୍ୟାଳୟ ପରିସରରେ ଥିବା ବଗିଚାରେ ‌ଏକ ଟେନିସ୍‌ କୋର୍ଟ ନିର୍ମାଣକୁ ନେଇ ତୀବ୍ର ବିରୋଧ ଆରମ୍ଭ ହୋଇଛି। ଏଜିର ବିଭିନ୍ନ କର୍ମଚାରୀ ସଂଗଠନ ଏହି କୋର୍ଟ ନିର୍ମାଣକୁ ବିରୋଧ କରିବା ସହିତ ନୂଆଦିଲ୍ଲୀସ୍ଥିତ ସିଏଜି କର୍ତୃପକ୍ଷଙ୍କୁ ଏଥିପାଇଁ ଚିଠି ଲେଖିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏଜି କାର୍ଯ୍ୟାଳୟ ପରିସରରେ ଦୀର୍ଘ ୫୦ବର୍ଷ ଧରି ବଗିଚା ରହିଛି। ବୃକ୍ଷଲତାକୁ ନେଇ ବିଭିନ୍ନ ସମୟରେ ହେଉଥିବା ପ୍ରତିଯୋଗିତାରେ ଏଜି ପରିସରରେ ଥିବା ବଗିଚା ପ୍ରମୁଖ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଛି। କର୍ମଚାରୀମାନଙ୍କ ଚିତ୍ତବିନୋଦନ ପାଇଁ ଏହି ବଗିଚା ଏକ ପ୍ରମୁଖ ମାଧ୍ୟମ ରହିଛି। ମାତ୍ର ନିକଟରେ ଏହି ବଗିଚାରେ ଏକ ଲନ୍‌ ଟେନିସ୍ କୋର୍ଟ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଜିର ଅନ୍ୟ ସ୍ଥାନରେ ଯଥେଷ୍ଟ ଜାଗା ରହିଥିଲେ ହେଁ ସେଠାରେ ଏହାକୁ ନିର୍ମାଣ କରା ନ ଯାଇ ବଗିଚାକୁ ଉଜାଡ଼ି କୋର୍ଟ ନିର୍ମାଣକୁ ନେଇ କର୍ମଚାରୀଙ୍କ ମହଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଜିର ଟେବୁଲ‌ ଟେନିସ୍, କ୍ୟାରମ୍ ଓ ବ୍ୟାଡମିଣ୍ଟନ୍‌, ଫୁଟବୁଲ, କ୍ରିକେଟ୍ ଓ ହକିର ଟିମ୍ ରହିଛି ଓ ଏଥିପାଇଁ ନିଯୁକ୍ତି ମଧ୍ୟ ହେଉଛି। ମାତ୍ର ‌ଲନ୍ ଟେନିସ୍ ପାଇଁ କୌଣସି ଟିମ୍ ନାହିଁ କି ଏଥିରେ କୌଣସି ନିଯୁକ୍ତି ହେଉନାହିଁ। ତେବେ କାହା ସ୍ବାର୍ଥରେ ଏହି ଟେନିସ୍ କୋର୍ଟ ନିର୍ମାଣ ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଜି କାର୍ଯ୍ୟାଳୟର ଏକାଧିକ କର୍ମଚାରୀ ସଂଗଠନ ମଧ୍ୟ ଏହି କୋର୍ଟ ନିର୍ମାଣକୁ ବିରୋଧ କରି ଆସୁଛନ୍ତି। ଏପରିକି ଗୋଟିଏ ସଂଗଠନ ସିଏଜିକୁ ଏ ସଂପର୍କରେ ଚିଠି ଲେଖି ଏ ସଂପର୍କରେ ଜଣାଇଛନ୍ତି। ଉପରିସ୍ଥ ଅଧିକାରୀଙ୍କ ନିକଟରୁ କୌଣସି ନିର୍ଦେଶ ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ବଗିଚାରେ ଟେନିସ୍ କୋର୍ଟ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି। କର୍ମଚାରୀଙ୍କ କହିବା ଅନୁସାରେ, ଏଜି କାର୍ଯ୍ୟାଳୟରେ ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ଖେଳାଳି ରହିଥିଲେ ହେଁ ସେମାନଙ୍କ ଅଭ୍ୟାସ ପାଇଁ କୌଣସି ପଡ଼ିଆ ନାହିଁ। ଯେଉଁ ଖେଳର କୌଣସି ଟିମ୍ ନାହିଁ କି ଏଥିପାଇଁ ନିଯୁକ୍ତି ମଧ୍ୟ ହେଉନାହିଁ ତାହାର କୋର୍ଟ ନିର୍ମାଣ କରାଯାଉଛି। ଅନ୍ୟ ସ୍ଥାନରେ ଏହି କୋର୍ଟ ନିର୍ମାଣ କରିବାରେ କୌଣସି ଅସୁବିଧା ନାହିଁ। ମାତ୍ର ଜାଣିଶୁଣି ଉପରିସ୍ଥ ଅଧିକାରୀଙ୍କୁ ଖୁସି କରିବା ପାଇଁ ବଗିଚାକୁ ଉଜାଡ଼ି ଏହି କୋର୍ଟ ନିର୍ମାଣ କରାଯାଉଛି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଏହି ଅଭିଯୋଗ ସଂପର୍କରେ ଏଜି କାର୍ଯ୍ୟାଳୟର ପ୍ରମୁଖ ମହାଲେଖାକାରଙ୍କ ଏ ସଂପର୍କରେ କୌଣସି ମତାମତ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର