ସରକାରଙ୍କ ରାଜସ୍ବ ପାଇଁ ଭିକ ମାଗି ଡ୍ରାଫ୍ଟ ପଠାଇଲେ, ମଦ ବନ୍ଦ ପାଇଁ ଆମରଣ ଅନଶନ ୧୨ ଦିନରେ

ଭୁବନେଶ୍ବର: ଯଦି ରାଜସ୍ବ କମିଯିବା ଆଶଙ୍କା କରି ସରକାର ମଦ ବନ୍ଦ କରିବାକୁ ଚାହୁ ନାହାନ୍ତି, ତେବେ ଆମେ ଭିକ ମାଗିବୁ। ସେଇ ଭିକରୁ ମିଳିବା ଅର୍ଥ ରାଜସ୍ବ ବାବଦରେ ପଠାଇବୁ। ରାଜ୍ୟରେ ମଦ ବନ୍ଦ ନେଇ ‘ପିପୁଲ୍‌ ଫର୍‌ ସେବା’ର କର୍ମକର୍ତାମାନେ ଏପରି ଉକ୍ତି ରଖିଛନ୍ତି। ଅନଶନରେ ବସିଥିବା ଆଦିତ୍ୟ ଦାଶ ଏଭଳି ଅଭିନବ ଢଙ୍ଗରେ ଭିକ୍ଷା ମାଗି ମଦ ବନ୍ଦ କରିବାକୁ ଦାବି ଜାରି ରଖିଛନ୍ତି। ଭିକ୍ଷାରୁ ମିଳିଥିବା ଅର୍ଥ ତଥା ସଂଗୃହୀତ ୮୯୪ ଟଙ୍କାର ଡ୍ରାଫ୍ଟ ମଧ୍ୟ ଅର୍ଥ ବିଭାଗକୁ ପଠାଇ ଦେଇଛନ୍ତି। ଦୀର୍ଘଦିନ ଧରି ଅନଶନରେ ବସିବା ପରେ ମଧ୍ୟ ସରକାର ନିରବ ରହିବା ଅନୁଷ୍ଠାନର ସଦସ୍ୟଙ୍କୁ ବ୍ୟଥିତ କରିଛି। ନି‌ଶାବିରୋଧୀ କର୍ମୀ ଓ ବୁଦ୍ଧିଜୀବୀମାନେ ସରକାରଙ୍କ ଏଭଳି ମନୋଭାବକୁ ନିନ୍ଦା କରିଛନ୍ତି। ଏପରିକି ଆନ୍ଦୋଳନରତ ଯୁବକ, ଛାତ୍ର ଓ ମହିଳାମାନଙ୍କ ଆବେଗକୁ ଦୃଷ୍ଟିରେ ରଖି ପରୀକ୍ଷାମୂଳକ ଭାବେ ମଦକୁ ପ୍ରଥମେ ଅନ୍ତତଃ ୧ ବର୍ଷ ଯାଏ ବନ୍ଦ କରି ଓଡ଼ିଶାର ଜନମାନସକୁ ଅନୁଧ୍ୟାନ କରିବାକୁ ସଂଗଠନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ପ୍ରତ୍ୟେକ ଦିନ ବହୁ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଏହି ଆନ୍ଦୋଳନରେ ସାମିଲ୍‌ ହେବା ସହ ନିଜର ସମର୍ଥନ ଜଣାଉଛନ୍ତି।

ସମ୍ବନ୍ଧିତ ଖବର