ଭୁବନେଶ୍ୱର: ‘ଓଡ଼ିଶାରେ ବିଜେପି ସରକାରକୁ ଆସିବାର ୨୪ ଘଣ୍ଟା ମଧ୍ୟରେ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ।’ ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଲେ। ହେଲେ ଆଜି ପର୍ଯ୍ୟନ୍ତ ୧ ଟଙ୍କା ମଧ୍ୟ ଫେରସ୍ତ କରିପାରିଲେ ନାହିଁ।  ଯଦି ସରକାର ଖୁବ୍‌ ଶୀଘ୍ର ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନକରନ୍ତି ତେବେ ଆଗକୁ ବଡ଼ ଆନ୍ଦୋଳନ ହେବ। ଆର୍ଥିକ  ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତମଞ୍ଚ ପକ୍ଷରୁ ଆଜି ଭୁବନେଶ୍ୱର ୟୁନିଟ୍‌-୧ ସ୍ଥିତ ନବୋଦୟ ଯୁବ ସଂଗଠନର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଚେତାବନୀ ଦିଆଯାଇଛି।

Advertisment

କୁହାଯାଇଛି ‌ଯେ, ସରକାର ତୁରନ୍ତ ତହସିଲ୍ ଜରିଆରେ ପ୍ରତ୍ୟେକ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ, ଅସାଧୁ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ, ସ୍ୱତନ୍ତ୍ର ଅଦାଲତରେ ବିଚାର ସରିଥିବା ସମସ୍ତ ଠକସଂସ୍ଥାର ସମସ୍ତ ସ୍ଥାବର, ଅସ୍ଥାବର  ସମ୍ପତ୍ତି ଜବଦ କରି ଜମାକାରୀଙ୍କୁ ଟଙ୍କା ଫେରସ୍ତ ବ୍ୟବସ୍ଥା କରନ୍ତୁ। ଜମାକାରୀଙ୍କୁ ତହସିଲ୍ ଜରିଆରେ ଚିହ୍ନଟ କରି ହରାଇଥିବା ଟଙ୍କାର ପରିମାଣ ସହ ପ୍ରତ୍ୟେକ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରମାଣପତ୍ର ଦିଆଯାଉ। କେନ୍ଦ୍ର ସରକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜବତ କରାଯାଇଥିବା ସମ୍ପତ୍ତି ରାଜ୍ୟର କର୍ପସ ଫଣ୍ଡକୁ ହସ୍ତାନ୍ତର କରାଯାଉ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ସାହାରା ରିଫଣ୍ଡ କମିସନ ଓଡ଼ିଶାର ସାହାରା ଜମାକାରୀଙ୍କ ଆବେଦନଜନିତ ସମସ୍ୟା ସମାଧାନ ପାଇଁ ଓଡ଼ିଶାରେ ତାଙ୍କ ଶାଖା ଖୋଲିବା ବ୍ୟବସ୍ଥା କରାଯାଉ। ଜବତ ହୋଇଥିବା ସମସ୍ତ ସମ୍ପତ୍ତି ଖୋଲା ବଜାରରେ  ନିଲାମ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉ। ଜମାକାରୀ ଚିହ୍ନଟ ଓ ଟଙ୍କା ଫେରସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ଟାସ୍କଫୋର୍ସ ଗଠନ କରାଯାଉ ଓ ଏହି ଟାସ୍କଫୋର୍ସରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ପ୍ରତିନିଧିମାନଙ୍କୁ ସ୍ଥାନିତ କରି ଜିଲ୍ଲାସ୍ତରରେ ମାସିକ ଓ ରାଜ୍ୟସ୍ତରରେ ତ୍ରୈମାସିକ ସମୀକ୍ଷା କରାଯାଉ। 

ସାମ୍ବାଦିକ ସମ୍ମିଳନୀରେ ଜମାକାରୀ ମିଳିତମଞ୍ଚର ରାଜ୍ୟ ସଭାପତି ଜୟନ୍ତ ଦାସ, ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ, ଉପଦେଷ୍ଠା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ, ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ଉପସଭାପତି ବିଭୂଦତ୍ତ ମିଶ୍ର, ଅଖିଳ ମୋହନ ଲେଙ୍କା, ଯୁଗ୍ମ ସମ୍ପାଦକ ପ୍ରଦୀପ କୁମାର ମହାରଣା ଓ ଚଣ୍ଡାଳ ପ୍ରଧାନ, ସାହାରା ଜମାକାରୀ ମଞ୍ଚର ବିଜୟ କୁମାର ପାଢ଼ୀ, ସଂଜୀବ ପଣ୍ଡା, ରମେଶ ମହାନନ୍ଦିଆ, ତପନ କୁମାର ସିଟ୍‌, ଲକ୍ଷ୍ମଣ ନାୟକ, ଗଙ୍ଗା ଧୁରିଆ, ରଞ୍ଜନ ନାୟକ ଓ ସଦାନନ୍ଦ ଗୁଣ୍ଠା ପ୍ରମୁଖ ଉପସ୍ଥିତ ଥିଲେ।