ଭୁବନେଶ୍ବର: ଅନୁସୂଚିତ ଜାତିର ଯୁବକ ସରୋଜ ଭୋଇଙ୍କ ପ୍ରତି ଅମାନବୀୟ ଅତ୍ୟାଚାର କରିଥିବା ବାଲିପାଟଣା ଥାନା ଅଧିକାରୀ ଓ ଏସ୍‌ଆଇଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରିବା ଦାବିରେ ଆଜି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭୁବନେଶ୍ବର ଡିସିପି ଅଫିସ୍‌ ଘେରାଉ କରାଯାଇଥିଲା। ସତ୍ୟନଗର ଶ୍ମଶାନଠାରୁ ଏକ ଶୋଭାଯାତ୍ରାରେ ବାହାରି କମିଟିର ଶତାଧିକ ସଦସ୍ୟ ଡିସିପି ଅଫିସ୍‌ ଅଭିମୁଖେ ଯାଇଥିଲେ। ଏହାପରେ ସ୍ମାର୍ଟ ଜନପଥକୁ ଅଢ଼େଇ ଘଣ୍ଟା କାଳ ଅବରୋଧ କରିଥିଲେ। ପରେ ୭ଜଣିଆ ଏକ ପ୍ରତିନିଧିଦଳ ଡିସିପିଙ୍କୁ ଭେଟି ୪ଦଫା ଦାବି ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

Advertisment

ବାଲିପାଟଣା ଥାନା ଅର୍ନ୍ତଗତ ଗିରିଙ୍ଗୋ ଗ୍ରାମର ଅନୁସୂଚିତ ଜାତିର ଯୁବକ ସରୋଜ ଭୋଇ ଗତ ଅକ୍ଟୋବର ୩ ତାରିଖ ଦିନ ବାଲିପାଟଣା ହାଟ ପଡ଼ିଆରେ ହେଉଥିବା ମେଲୋଡି ଦେଖିବା ସମୟରେ କିଛି ଲୋକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହି ମାମଲାରେ ବାଲିପାଟଣା ଥାନା ପୁଲିସ ତାଙ୍କୁ ଥାନାକୁ ଧରି ନେଇଥିଲା। ଥାନାରେ ତାଙ୍କୁ ଥାର୍ଡ ଡିଗ୍ରି ଦେଇ ଅତ୍ୟାଚାର କରାଯାଇଥିଲା। ଫଳରେ ସରୋଜଙ୍କ ଗୋଡ଼ କ୍ଷତିଗ୍ରସ୍ତ ହୋଇଥିଲା। ଏନେଇ ସରୋଜଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲେ ହେଁ ପୁଲିସ କୌଣସି ମାମଲା ରୁଜୁ କରିନଥିଲା।

ପରେ ବିଭିନ୍ନ ମହଲରୁ ଚାପ ପଡ଼ିବାରୁ ବାଲିପାଟଣା ଥାନା ଆଇଆଇସି ନିଜ ନାଁରେ ନିଜ ଥାନାରେ ନିଜେ ମାମଲା ରୁଜୁ କରିଥିଲେ। ଏହି ଘଟଣାରେ ଜୋନାଲ୍‌ ଏସିପିଙ୍କୁ ତଦନ୍ତ ଦିଆଯାଇଥିଲା। ମାତ୍ର ଏକ ମାସରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ତଦନ୍ତ ରିପୋର୍ଟ ପ୍ରକାଶ ପାଉନାହିଁ। ସେହିଭଳି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇଥିଲା। ଏହି ଘଟଣାରେ ଥାନା ଅଧିକାରୀ ଓ ଏସ୍‌ଆଇଙ୍କୁ ଚାକିରିରୁ ବହିଷ୍କାର କରିବା, ପୀଡ଼ିତ ସରୋଜ ଭୋଇଙ୍କୁ ୭ଦିନ ମଧ୍ୟରେ ଅନୁସୂଚିତ ଜାତି ଜନଜାତି ଅତ୍ୟାଚାର ଆଇନ୍‌ ଅନୁଯାୟୀ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଓ କ୍ଷତିପୂରଣ ଦିଆଯିବା, ଭୁବନେଶ୍ବର ସହରାଞ୍ଚଳ ପୁଲିସ ଅଧୀନରେ ପଡ଼ି ରହିଥିବା ସମସ୍ତ ଅନୁସୂଚିତ ଜାତି ଅତ୍ୟାଚାର ମାମଲାରେ ଯୁଗ୍ମ ତଦନ୍ତ ରିପୋର୍ଟ ଓ ଅଭିଯୋଗ ଫର୍ଦ୍ଦ ତୁରନ୍ତ କୋର୍ଟରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଅଫିସ୍‌ ଦାଖଲ କରିବାକୁ ଦାବି କରାଯାଇଛି।