ବସ୍ତିବାସିନ୍ଦାଙ୍କୁ ଗିରଫର ପ୍ରତିବାଦ, ମଞ୍ଚେଶ୍ବର ଥାନା ଘେରାଉ

ଭୁବନେଶ୍ବର: ଛାତ୍ରୀଙ୍କୁ ଅସଦାଚରଣ କରିବା‌ ଅଭିଯୋଗରେ ଶିକ୍ଷକ ଲଣ୍ଡା ହେଲେ, ଜେଲ୍‌ ବି ଗଲେ। ଶିକ୍ଷକଙ୍କ ପତ୍ନୀଙ୍କ ପାଲଟା ଅଭିଯୋଗ କ୍ରମେ ଧୀରିକୁଟି ବସ୍ତି ଲାଇନ୍‌ ସାହିର ସୁବାସ ସର୍ଦ୍ଦାରଙ୍କୁ ପୁଲିସ ଗିରଫ କରିବା ପରେ ପରିସ୍ଥିତି ଉଗ୍ର ରୂପ ଧାରଣ କରିଛି। ସୁବାସଙ୍କୁ ଗିରଫ ପ୍ରତିବାଦରେ ଶତାଧିକ ମହିଳା ଆଜି ରାତି ସାଢ଼େ ୯ଟା ବେଳେ ମଞ୍ଚେଶ୍ବର ଥାନା ଘେରାଉ କରିବା ଫଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କ ସହ ମିଶି ବସ୍ତିବାସିନ୍ଦାଙ୍କୁ ବାନ୍ଧିଛି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ଗିରଫ ସୁବାସଙ୍କୁ ଛାଡ଼ିବା ପାଇଁ ଦାବି କରି ମହିଳାମାନେ ଥାନା ସମ୍ମୁଖରେ ବସିରହିଛନ୍ତି। ଘଟଣାସ୍ଥଳରେ କମିସନରେଟ୍‌ ପୁଲିସ ୫ ନମ୍ବର ଜୋନ୍‌ ଏସିପି ଅନିଲ କୁମାର ମିଶ୍ର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି। ହେଲେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ। ‌ସୁବାସ କୋର୍ଟ ଚାଲାଣ ହୋଇଥିବାରୁ ବସ୍ତିବାସିନ୍ଦାଙ୍କ ଦାବି ମୁତାବକ ଛାଡ଼ିବା ପୁଲିସ ପକ୍ଷରେ ସମ୍ଭବ ହୋଇନାହିଁ। ଅନ୍ୟପଟେ ମହିଳାମାନେ ଥାନାକୁ ଆସିବା ପୂର୍ବରୁ ସମ୍ପୃକ୍ତ ଶିକ୍ଷକଙ୍କ ଘର ଉପରକୁ ଢେଲା ମାଡ଼ କରିଛନ୍ତି। ଭୟରେ ଶିକ୍ଷକଙ୍କ ପତ୍ନୀ ଘର ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଧୀରିକୁଟି ସାହିରେ ଜଗନ୍ନାଥ ଟିଉଟରିଆଲ ନାମକ ଏକ କୋଚିଂ ସେଣ୍ଟର ରହିଛି। ଏହାକୁ ପରିଚାଳନା କରୁଥିବା ଶିକ୍ଷକ ନାରାୟଣ ଖୁଣ୍ଟିଆ ଗତ ୨୮ ତାରିଖ ରାତିରେ ତାଙ୍କ ପତ୍ନୀଙ୍କ ସହ ଜଣେ ଛାତ୍ରୀଙ୍କ ଘରକୁ ଟ୍ୟୁସନ୍‌ ଫି’ ମାଗିବାକୁ ଯାଇଥିବା ବେଳେ ସେଠାରେ ଛାତ୍ରୀଙ୍କ ବାପା-ମା’ ତାଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଏହା ଜାଣିବା ପରେ କଛି ଯୁବକ ଶିକ୍ଷକଙ୍କୁ ଆକ୍ରମଣ କରିବା ସହ ଲଣ୍ଡା କରି କରି ଚୂନକାଳି ଲଗାଇ ବସ୍ତିରେ ବୁଲାଇଥିଲେ। ଏହାର ଭିଡିଓ ରେକର୍ଡିଂ କରି ଭାଇରାଲ ମଧ୍ୟ କରିଥିଲେ। ମଞ୍ଚେଶ୍ବର ଥାନାରେ ଛାତ୍ରୀଙ୍କ ପରିବାରବର୍ଗ ଅଭିଯୋଗ କରିବାରୁ ଶିକ୍ଷକ ବନ୍ଧା ହୋଇ ଜେଲ୍‌ ଯାଇଥିଲେ। ପରେ ଶିକ୍ଷକଙ୍କ ପତ୍ନୀ ଅନ୍ୟ ଏକ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ଛାତ୍ରୀଙ୍କର ଟିଉସନ ଫି’ ବାକି ଥିଲା। ଆମେ ଆଦାୟ କରିବାକୁ ଯାଇଥିବା ବେଳେ ଏଭଳି ଆକ୍ରମଣର ଶିକାର ହେବା ସହ ଲଣ୍ଡା କରି ଦିଆଯାଇଥିଲା। ଏଥିରେ କୋଚିଂ ସେଣ୍ଟର ସମେତ ନିଜର ସମ୍ମାନ ହାନି ହୋଇଥିବାରୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଆଧାର କରି ପୁଲିସ ପାଖାପାଖି ୨୦ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ମିଳିଥିବା ଶେଷ ସୂଚନା ଅନୁଯାୟୀ ବସ୍ତିବାସିନ୍ଦାମାନେ ଅଭିଯୋଗ କରିଥିଲେ ଯେ, ସେମାନେ ଅନୁସୂଚିତ ଜନଜାତି ବର୍ଗର ହୋଇଥିବା ବେଳେ ପୁଲିସ ଶିକ୍ଷକଙ୍କ ବିରୋଧରେ କୋହଳ ଦଫା ଲଗାଇଛି। ‌ତେବେ ପୁଲିସ ସେମାନଙ୍କୁ ଜାତି ପ୍ରମାଣପତ୍ର ଦେଲେ ଦଫାରେ ପରିବର୍ତ୍ତନ କରିବ ବୋଲି ପ୍ରତିଶ୍ରୁତି ଦେବାରୁ ବସ୍ତିବାସିନ୍ଦାମାନେ ଆନ୍ଦୋଳନରୁ ଓହରିଥିଲେ।

ସମ୍ବନ୍ଧିତ ଖବର