‌ଆମକୁ ମଞ୍ଚ ଦିଅ, ୮ତାରିଖ ରବୀନ୍ଦ୍ର ମଣ୍ଡପ ସମ୍ମୁଖରେ ଧାରଣା ଦେବେ ନାଟ୍ୟ କଳାକାର

ଭୁବନେଶ୍ବର: କଳା ଆମ ପରିବାର ପୋଷେ। ମଞ୍ଚକଳା ବଞ୍ଚିବାକୁ ରାହା ଦେଖାଏ। ମାତ୍ର ୮ମାସ ହେଲା ତାଳିର ଶବ୍ଦ କାନରେ ବାଜି ନାହିଁ। ପେଟର ଦୁଃଖ କାହା ଆଗେ ବଖାଣି ହେଉନାହିଁ। ସରକାର ବି ଯେମିତି ଆମ ପାଇଁ କାଲ ପାଲଟି ଯାଇଛନ୍ତି। ସବୁ ଜୀବିକା ଖୋଲିଦେଲେ, କିନ୍ତୁ କଳାକୁ ତାଲା ପକେଇ ରଖିଛନ୍ତି। କାହିଁକି ଏ ବୈଷମ୍ୟ? ଆଉ କେତେ ଦିନ ସହିବୁ? ଦୀର୍ଘ ୮ ମାସ ହେଲା ମାନସିକ ଓ ଆର୍ଥିକସ୍ତରରେ ସନ୍ତୁଳି ହେଉଥିବା କଳାକାରମାନେ ଏଭଳି ଢଙ୍ଗରେ ବଖାଣିଛନ୍ତି ମନର କ୍ଷୋଭ।

ଲକ୍ଷାଧିକ କଳାକାରଙ୍କ ପରିବାରର ପେଟ ପୋଷେ ରଙ୍ଗମଞ୍ଚ। ନୃତ୍ୟ, ଗୀତ, ନାଟକ ଓ ପାରମ୍ପରିକ କଳା ଜିଇଁବାର ସାହାରା ଦିଏ। କିଛି ବ୍ୟକ୍ତି କଳାକୁ ସୌଖୀନ ଭାବେ ଆଦରି ନେଇଥିଲେ ହେଁ ୮୦ ପ୍ରତିଶତ କଳାକାରଙ୍କ ପାଇଁ ମଞ୍ଚ ହେଉଛି ରୋଜଗାରର ଏକମାତ୍ର ବିକଳ୍ପ। ସଂଗୀତ, ପୋଷାକ, ମେକ-ଅପ୍‌, ସାଉଣ୍ଡ, ଆଲୋକ, ମଞ୍ଚ କଳାରେ ନିୟୋଜିତ କ୍ଷୁଦ୍ର କଳାକାରମାନେ ‌କାମ କଲେ ଚୁଲି ଜଳେ। ହେଲେ କରୋନା ସଂକ୍ରମଣ ବ୍ୟାପିବାର ଭୟ ଦେଖାଇ ଏ ପର୍ଯ୍ୟନ୍ତ ମଞ୍ଚରୁ ତାଲା ଖୋଲା ଗଲା ନାହିଁ। ଯଦିଓ ଅନ୍ୟ ସବୁ କ୍ଷେତ୍ର ଖୋଲି ଦେବାକୁ ସରକାର ନି‌ଷ୍ପତ୍ତି ନେଲେ, ହେଲେ କଳା କ୍ଷେତ୍ର କଥା ଆଲୋଚନା ପରିସରକୁ ମଧ୍ୟ ଆଣିଲେ ନାହିଁ। ୩୫ ହଜାର ଦୁଃସ୍ଥ କଳାକାରଙ୍କୁ ସିନା ଭତ୍ତା ଦେଇ ଘରେ ବସେଇଦେଲେ, କିନ୍ତୁ ଯେଉଁ ଲକ୍ଷାଧିକ ପରିବାର କଳାକୁ ଆଦରି ଘର ଚଳାଉଛନ୍ତି, ସେମାନେ କେମିତି ଅଛନ୍ତି, ଥ‌ରେ ଚିନ୍ତା କଲେ ନାହିଁ। ବୋଧେ ସରକାର ସେମାନଙ୍କୁ କଳାକାର ବୋଲି ଗଣିଲେ ନାହିଁ। ସେମାନଙ୍କର ଯୁକ୍ତି ହେଲା, ଯଦି ସବୁ କ୍ଷେତ୍ର ପାଇଁ କଟକଣା କରାଯାଉଛି, ମଞ୍ଚ ପାଇଁ ବି କରାଯାଉ। କିନ୍ତୁ ମଞ୍ଚ ଖୋଲାଯାଉ।

୮ତାରିଖ ରବୀନ୍ଦ୍ର ମଣ୍ଡପ ସମ୍ମୁଖରେ ଧାରଣା
ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି କଳାକାରଙ୍କ ଦୁଃଖ ଜଣାଇଲୁ। ଅନ୍ତତଃ ଚଳିବା ପାଇଁ ନିତାନ୍ତ ଆର୍ଥିକ ସହଯୋଗ ଲୋଡ଼ୁଥିବା ୧ହଜାର କଳାକାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲୁ। ନଚେତ ମଞ୍ଚ ଖୋଲି କାମ କରିବାକୁ ସୁଯୋଗ ଦେବାକୁ ନଭେମ୍ବର ୧ରୁ ପ୍ରେକ୍ଷାଳୟ ଖୋଲିବାକୁ ଅନୁରୋଧ କରିଥିଲୁ। କିନ୍ତୁ ସରକାର ଶୁଣିଲେ ନାହିଁ। ତେଣୁ ଆସନ୍ତା ୮ ତାରିଖ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ସମ୍ମୁଖରେ ନାଟ୍ୟ ବ୍ୟକ୍ତିତ୍ବମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବେ।

ହରେନ୍‌ ସାହୁ (ସଭାପତି, ଓଡ଼ିଶା ନାଟ୍ୟ ସଂଘ)

୨ଶହ ନାଟ୍ୟ ଦଳ, ୫ ହଜାର କଳାକାରଙ୍କ ପ୍ରତି ପାତରଅନ୍ତର କାହିଁକି
ରାଜ୍ୟରେ ୨ଶହରୁ ଅଧିକ ନାଟ୍ୟ ଦଳ ଥିବା ବେଳେ ୫ ହଜାରରୁ ଅଧିକ ବ୍ୟକ୍ତି ଏହି କଳାରେ ସମ୍ପୃକ୍ତ। ପେସାଦାର ନାଟକ ଅପେକ୍ଷା ସରକାରୀ ବିଭାଗ କିମ୍ବା ଅନ୍ୟ ସଂସ୍ଥା ପକ୍ଷରୁ ନାଟକ କରାଯାଉଥିବା ‌ବେଳେ କିଛି ମହିଳା କଳାକାର ସେଥିରେ ଅଭିନୟ ପୂର୍ବକ ୨ଟି ନାଟକ ପାଇଁ ୧୫ ହଜାର ଟଙ୍କା ପାଖାପାଖି ରୋଜଗାର କରି ଦିଅନ୍ତି। ଏହା ବ୍ୟତୀତ ସଂଗୀତ, ଆଲୋକ, ସାଉଣ୍ଡ, ପୋଷାକ, ମେକଅପ୍‌ ଓ ମଞ୍ଚକଳାରେ ନିୟୋଜିତ କଳାକାରମାନେ ମଞ୍ଚ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ୮ମାସ ହେଲା ସେମାନଙ୍କ କଥା ବିଚାରକୁ ବି ନନେବା ଯନ୍ତ୍ରଣାଦାୟକ।
ଧୀର ମଲ୍ଲିକ (ନାଟ୍ୟ ନିର୍ଦେଶକ, ଅଭିନେତା)

କାହିଁକି ଆଖି ବୁଜି ଦେଉଛନ୍ତି?
କଳାକାର ଓ ଦର୍ଶକ ତିଆରି କରେ ମଞ୍ଚ। କଳାକାରଟିଏ ସୃଜନ ଦେଖାଇବାର ସୁଯୋଗ ନିଏ। କଳାକୁ ନେଇ ରାଜ୍ୟର ସମୃଦ୍ଧି ବୋଲି କୁହାଯାଏ। ମାତ୍ର ସଙ୍କଟ କାଳରେ କଳାକାର ଓ ସେମାନଙ୍କ ଅବସ୍ଥା କଥା ପାସୋରିଦେବା କେତେଦୂର ଯୁକ୍ତିଯୁକ୍ତ। ସବୁ କ୍ଷେତ୍ର ପାଇଁ କଟକଣା ସହ ସୁଯୋଗ ଅଛି, କିନ୍ତୁ କଳାକାରଙ୍କ ବେଳକୁ କାହିଁକି ଆଖି ବୁଜି ଦେଉଛନ୍ତି?
ଗୁରୁ ରାମହରି ଦାସ (କଣ୍ଠଶିଳ୍ପୀ)

କଟକଣା ମାନିବୁ, ମଞ୍ଚ ଖୋଲ
ଶହେ ଜଣରେ ଜଣେ କଳାକାର ଚାକିରି କରୁଥାଏ କିମ୍ବା ଅନ୍ୟ ବୃତ୍ତି ସହ ଜଡ଼ିତ ଥାଏ। ଅନ୍ୟମାନେ କଳାକୁ ହିଁ ଜୀବନ ଓ ଜୀବିକା ଭାବେ ଆଦରି ନେଇଛନ୍ତି। ତେଣୁ ଯେତେବେଳେ କଟକଣା ମଧ୍ୟରେ ବିଭିନ୍ନ କ୍ଷେତ୍ରକୁ ବିଚାର ନିଆଗଲା, ସେଠାରେ କଳାକାରଙ୍କୁ ବାଦ୍‌ ଦିଆଯିବା ଯନ୍ତ୍ରଣା ଦାୟକ। ମଞ୍ଚ ଦେଲେ ଆମେ ସମସ୍ତ କଟକଣା ସହ କଳା ପ୍ରଦର୍ଶନର ପ୍ରତିଶ୍ରୁତି ଦେଉଛୁ।
ରୂପକ ପରିଡ଼ା (କଣ୍ଠଶିଳ୍ପୀ)

କଟକଣା ସହ ଅନୁମତି ମିଳୁ
କଳାକାରମାନେ ଖରାପ ସ୍ଥିତି ଦେଇ ଗତି କରୁଛନ୍ତି। ଯେତେ ଜଲ୍‌ଦି ପୂର୍ବାବସ୍ଥାକୁ ଫେରିବେ, କଳାକାରମାନେ ରାହା ପାଇବେ। ତେବେ ଏମିତି ନହେଉ, ଯେମିତି କରୋନା ସଂକ୍ରମଣ ଆହୁରି ବଢ଼ିଯିବ। ତେଣୁ କଟକଣା ସହ ସବୁ ଦିଗକୁ ବିଚାରକୁ ନିଆଯାଇ କଳାକାରଙ୍କୁ ମଞ୍ଚ ଯୋଗାଇ ଦେଲେ ଭଲ ହେବ।
ସୁଜାତା ମହାପାତ୍ର (ଓଡ଼ିଶୀ ନୃତ୍ୟଶିଳ୍ପୀ)

ସମ୍ବନ୍ଧିତ ଖବର