ଭୁବନେଶ୍ବର: ଆସନ୍ତା ଜାନୁଆରି ୮ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଦେବ‌ ନବନିର୍ମାଣ କୃଷକ ସଂଗଠନ। ଚାଷୀ ସୁରକ୍ଷା ଭତ୍ତା ନେଇ ରାଜ୍ୟ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ ନ କରିବା ପ୍ରତିବାଦରେ ସଂଗଠନ ପକ୍ଷରୁ ଏଭଳି ଧାରଣା ପାଇଁ ଡାକରା ଦିଆଯାଇଛି। ଏହାସହ ଚଳିତ ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ସଂଗଠନର ୨ହଜାର କର୍ମକର୍ତା ତାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

Advertisment

ଆଜି ସଂଗଠନ ପକ୍ଷରୁ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ, ଚାଷୀ ସୁରକ୍ଷା ଭତ୍ତା ବାବଦରେ ରାଜ୍ୟ ସରକାର ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବା ପରେ ଦୁଇଥର ବୈଠକ ଅନୁଷ୍ଠିତ ହୋଇଛି। କିନ୍ତୁ ସୁରକ୍ଷା ଭତ୍ତା ନେଇ କୌଣସି ଆଲୋଚନା ହୋଇନାହିଁ। ଏହାର ପ୍ରତିବାଦରେ ସଂଗଠନର ମୁଖ୍ୟ ଅକ୍ଷୟ କୁମାର ଅନଶନରେ ବସିବା ସହ ପରବର୍ତୀ ସମୟରେ ଚାଷୀ ନେତୃମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଏହାସତ୍ତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂଗଠନ ସହିତ କୌଣସି ଆଲୋଚନା କରାଗଲା ନାହିଁ। କିନ୍ତୁ ଆସନ୍ତା ୮ ତାରିଖରେ ବିଜେଡି ପକ୍ଷରୁ ଦିଲ୍ଲୀଠାରେ ଧାନର ମୂଲ୍ୟ ନେଇ ସମାବେଶ ଡାକରା ଦିଆଯାଇଛି। ତେଣୁ ଏହାର ପ୍ରତିବାଦରେ ସଂଗଠନ ରାଜଭବନ ସମ୍ମୁଖରେ ଧାରଣା ଦେବ। ଅପରପ‌କ୍ଷେ ସ୍ବାମୀନାଥନ୍‌ କମିଟି ସୁପାରିଶକୁ ଲାଗୁ କରିବାକୁ ଦେଇଥିବା ପ୍ରତିଶ୍ରୁତିକୁ ପ୍ରଧାନମନ୍ତ୍ରୀ ଭୁଲି ଯାଇଛନ୍ତି। ଗତବର୍ଷ ଧାନର ମୂଲ୍ୟ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସଚେତନ କରିବା ପାଇଁ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହାସତ୍ତ୍ବେ ସ୍ବାମୀନାଥନ କମିଟି ସୁପାରିଶକୁ ଲାଗୁ କରିବାରେ କେନ୍ଦ୍ର ସରକାର ଭୁଲି ଯାଇଛନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମଧ୍ୟ ସଂଗଠନ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ କୁମାର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ ଓ ରଶ୍ମିରଂଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।