୪ ଦଫା ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବାଲିପାଟଣା: ୪ ଦଫା ଦାବି ନେଇ ଆଜି ବ୍ଲକ ବିଜେଡି ପକ୍ଷରୁ ବାଲିପାଟଣା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅନୁଷ୍ଠିତ ହୋଇଯାଇଛି। ବାଲିଘାଟ ନିଲାମଠାରୁ ଆରମ୍ଭ କରି ବାତ୍ୟା ଫନି ସହାୟତା ବଣ୍ଟନରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ବ୍ଲକ ବିଜେଡି ସଂଗଠନ ତରଫରୁ ଏହି ଧାରଣା ଦିଆଯାଇଥିଲା। ତେବେ ଖୋଦ୍‌ ଶାସକ ଦଳର କର୍ମୀମାନଙ୍କ ଦ୍ବାରା ଆୟୋଜିତ ଏହି ଧାରଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନାଯୋଗ୍ୟ, ମୁଖ୍ୟତଃ ୪ଟି ପ୍ରସଙ୍ଗକୁ ନେଇ ଏହି ଧାରଣା ଦିଆଯାଇଥିଲା। ବାତ୍ୟା ଫନି ଟଙ୍କା ବଣ୍ଟନ, ଜମି କବଲା, ବାଲିଘାଟ ନିଲାମ ଏବଂ ସାଧାରଣ ଲୋକଙ୍କୁ ତହସିଲ କର୍ମଚାରୀଙ୍କ ଦୁର୍ବ୍ୟବହାରକୁ ବିରୋଧ କରି ବିଜେଡି ପକ୍ଷରୁ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ। ବ୍ଲକ ବିଜେଡି ଯୁବ ସଭାପତି ରଂଜିତ କୁମାର ଜେନା ଏବଂ ଅନୁସୂଚିତ ଯୁବ ମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଶତାଧିକ ମହିଳା ଏବଂ ପୁରଷ ଆଜି ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ ଫନି ବାତ୍ୟାକୁ ୧୮ ମାସ ବିତିଲାଣି। ରାଜସ୍ୱ ନିରୀକ୍ଷକ ଦଲାଲଙ୍କୁ ହାତ କରି ମିଛ ରିପୋର୍ଟ ପ୍ରସ୍ତୁତ କଲେ ଓ ବହୁ ବଡ଼ବଡ଼ିଆଙ୍କୁ ବାତ୍ୟା ଟଙ୍କା ବାଣ୍ଟିଦେଲେ। କିନ୍ତୁ ପ୍ରକୃତ ହିତାଧିକାରୀ ଏବଂ ଗରିବ ଲୋକେ ଏଥିରୁ ବାଦ୍‌ ପଡିଛନ୍ତି। ସେହିଭଳି କିଛି ଦିନ ତଳେ ବାଲିଘାଟ ନିଲାମ ହୋଇଛି। ଅଧିକ ଟଙ୍କାର ଟେଣ୍ଡର ପକାଇଥିବା ଲୋକଙ୍କୁ ବାଦ୍‌ ଦିଆଯାଇଛି। ଅଥଚ କମ ଟଙ୍କାର ଟେଣ୍ଡର ପକାଇଥିବା ବ୍ୟକ୍ତି ଘାଟ ନିଲାମ ହାତେଇଛନ୍ତି। ତେଣୁ ବାଲିଘାଟ ଟେଣ୍ଡରରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ। ସେହିଭଳି ଜମି କବଲା କରୁଥିବା ଲୋକଙ୍କୁ ପଟ୍ଟା ମିଳିବାରେ ବିଳମ୍ବ କରାଯାଉଛି। ସେଥିପାଇଁ ମଧ୍ୟ କର୍ମଚାରୀ ମାନେ ଲାଞ୍ଚ ମାଗୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଏ ନେଇ ବାଲିପାଟଣା ତହସିଲଦାର ସୁନିତା ଜେନାଙ୍କ କହିବା କଥା ଫନି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ହୋଇଛି। ବାଲି ଘାଟ ନିଲାମ କ୍ଷେତ୍ରରେ ଟେଣ୍ଡର ମୂଲ୍ୟ ଏବଂ ଟେଣ୍ଡର ପକାଇଥିବା ବ୍ୟକ୍ତିଙ୍କ ସମ୍ପତ୍ତିକୁ ନିୟମାନୁସାରେ ପ୍ରାଧାନ୍ୟ ଦିଆଯାଇଛି। କିଛି ଲୋକ ଅଧିକ ଟଙ୍କାରେ ଟେଣ୍ଡର ଆବେଦନ କରିଥିଲେ ମଧ୍ୟ ସେମାନଙ୍କ ସମ୍ପତ୍ତି ମୂଲ୍ୟ କମ୍‌ ଥିଲା। ତେଣୁ ସେମାନଙ୍କୁ ବାଦ୍ ଦିଆଯାଇଛି। ଜମି କବଲା ବା ପଟ୍ଟା ପ୍ରଦାନ ବିଳମ୍ବ ହେଉଥିବା ନେଇ ତାଙ୍କୁ କିଛି ଅଭିଯୋଗ ମିଳିନାହିଁ ବୋଲି ଶ୍ରୀମତୀ ଜେନା କହିଛନ୍ତି। ତେବେ ସାଧାରଣ ଲୋକଙ୍କୁ କର୍ମଚାରୀଙ୍କ ଦୁର୍ବ୍ୟବହାର ଘଟଣା ସମ୍ପର୍କରେ ଆଜି ଏକ ଜରୁରୀ ବୈଠକ ବସିଥିଲା। ସମସ୍ତ କର୍ମଚାରୀଙ୍କୁ ଲୋକଙ୍କ ସମସ୍ୟା ବୁଝିବା ଏବଂ ଉତ୍ତମ ବ୍ୟବହାର ପ୍ରଦର୍ଶନ କ୍ଷେତ୍ରରେ ଗୁରତ୍ୱ ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି। ଧାରଣାରେ ଅନୁସୂଚିତ ଯୁବ ମୋର୍ଚ୍ଚା ଉପସଭାପତି ପ୍ରକାଶ ସେଠୀ, ସମ୍ପାଦକ କରୁଣାକର ଭୋଇ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର