ଭୁବନେଶ୍ବର: ବାଣୀବିହାରରେ ୨ ଛାତ୍ରଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଏବଂ ପରେ ଖଣ୍ଡା, ଭୁଜାଲି ବୁଲାଇ ଆତଙ୍କ ସୃଷ୍ଟି ଘଟଣା ପରେ ଆଜି ପୁଣି କ୍ୟାମ୍ପସ୍ ଅଶାନ୍ତ ହୋଇଛି। ଗତକାଲି ଥାନାରେ ଅଭିଯୋଗ କରିଥିବା ଛାତ୍ର ସଂଗଠନ ଗଣ୍ଡଗୋଳକାରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଭିସିଙ୍କ କ୍ବାର୍ଟର ସମ୍ମୁଖରେ ଧାରଣାରେ ବସିଛନ୍ତି। ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଆଜି ଅପରାହ୍ନରେ ଭିସି ସବିତା ଆଚାର୍ଯ୍ୟଙ୍କ ବାଣୀବିହାରସ୍ଥିତ କ୍ବାର୍ଟର ସମ୍ମୁଖରେ ନାରାବାଜି କରିଥିଲେ। ଅଧଘଣ୍ଟା ପରେ ଶ୍ରୀମତୀ ଆଚାର୍ଯ୍ୟ ଛାତ୍ରଙ୍କ ଗହଣକୁ ଆସି ସେମାନଙ୍କ ସମସ୍ୟା ବୁଝିଥିଲେ। ଆଗାମୀ ଦିନରେ ଅଶାନ୍ତି ସୃଷ୍ଟିକାରୀ ଛାତ୍ରଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ। ଏହାବ୍ୟତୀତ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ର ପଛ ଗେଟ୍ ଭିଏସ୍ଏସ୍ନଗରକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଅଣଛାତ୍ର କ୍ୟାମ୍ପସ୍ ପରିସରକୁ ଆସି ଆଡ଼ା ଜମାଉଥିବା ଅଭିଯୋଗ ହୋଇଛି। ତେଣୁ ଉକ୍ତ ଗେଟ୍କୁ ସବୁଦିନ ପାଇଁ ବନ୍ଦ କରିବାକୁ ଛାତ୍ରମାନେ ଦାବି କରିଥିଲେ। ଏହି ସମସ୍ତ ଦାବିକୁ ବିଚାରକୁ ନେଇ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ଭିସି ଶ୍ରୀମତୀ ଆଚାର୍ଯ୍ୟ ପ୍ରତିଶ୍ରୁତି ଦେବା ପରେ ଛାତ୍ରମାନେ ଆନ୍ଦୋଳନରୁ ଓହରିଥିଲେ। ଅପରପଟେ କ୍ୟାମ୍ପସ୍ ପରିସରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିବା ଘଟଣାକୁ ୨୪ଘଣ୍ଟା ବିତିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସହିଦନଗର ଥାନା ପୁଲିସ କାହାକୁ ଗିରଫ କରିପାରିନାହିଁ।
ବାଣୀବିହାରରେ ଖଣ୍ଡା ବୁଲାଇବା ଘଟଣା: ଭିସିଙ୍କ କ୍ବାର୍ଟର ସମ୍ମୁଖରେ ଧାରଣା
/sambad/media/post_attachments/wp-content/uploads/2021/11/40-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)