କରୋନା ସଂକଟ ବେଳେ ଦୋକାନ ଉଚ୍ଛେଦ, ଆନ୍ଦୋଳନ କରିବ ମୁରବି ମଞ୍ଚ

ପୁରୁଣା ଭୁବନେଶ୍ବର: ସ୍ଥାନୀୟ ତଳ ବଜାର, ହାଟ ସାହି ଓ ହସ୍ପିଟାଲ୍‌ ରୋଡ୍‌ ଅଞ୍ଚଳରେ ଦୋକାନ ଓ ଘର ଭଙ୍ଗା ଯିବା ଅଭିଯାନକୁ ନେଇ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ମହାମାରୀ କରୋନା ପାଇଁ ମାନ୍ଦାବସ୍ଥା ସୃଷ୍ଟି ହୋଇଥିବାରୁ ବ୍ୟବସାୟୀମାନଙ୍କ ଅଣ୍ଟା ଭାଙ୍ଗି ପଡ଼ିଛି। ଏହି ସମୟରେ ଏକାମ୍ର ପ୍ରୋଜେକ୍ଟ ଯୋଜନାରେ ଦୋକାନ ଭଙ୍ଗା କାର୍ଯ୍ୟକ୍ରମ ବ୍ୟବସାୟୀଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏଭଳି ବିପର୍ଯ୍ୟୟବେଳେ ଘର ଓ ଦୋକାନ ଉଚ୍ଛେଦ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ଦାବି କରାଯାଇଛି।

ସୂଚନାନୁସାରେ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ତଳ ବଜାର ଓ ହାଟ ସାହିର ଜମି ମାଲିକଙ୍କ ସହ ଆଲୋଚନା କରିଛି। କେତେକ ଜମି ମାଲିକଙ୍କୁ ଚାଲୁଥିବା ଦୋକାନ ଘର ଖାଲିବାକୁ କୁହାଯାଇଛି। ୭ଦିନରେ ଉଚ୍ଛେଦ ସମ୍ପନ୍ନ ହେବାକୁ ଥିବାରୁ ତୁରନ୍ତ ଦୋକାନ ଓ ଘର ଖାଲି କରିବାକୁ କୁହାଯାଇଛି। ତେବେ କରୋନା ପାଇଁ ତାଲା ବନ୍ଦ ସମୟରେ ବ୍ୟବସାୟ ଓ ରୋଜଗାର ନଥିବାରୁ ଜମି ମାଲିକମାନେ ଦୋକାନ ଘର ନ ଛାଡ଼ିବା ଜିଦ୍‌ରେ ଅଛନ୍ତି। ଏଥିପାଇଁ କୌଣସି ମାଲିକଙ୍କୁ ଆଗୁଆ ଟଙ୍କା ମିଳିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ପ୍ରଥମେ ବ୍ୟବସାୟୀମାନେ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ବିଏମ୍‌ସିର ଅତିରିକ୍ତ ଆୟୁକ୍ତ ଅବନୀକାନ୍ତ ପଟ୍ଟନାୟକ, ଉପାୟୁକ୍ତ ଅଂଶୁମାନ ରଥ ଓ ଉପାୟୁକ୍ତ କମଲ୍‌ଜିତ ଦାସ ଉପସ୍ଥିତ ରହି ରେକର୍ଡ ଯାଞ୍ଚ କରିଥିଲେ। ଲକ୍‌ଡାଉନ୍‌ ସମୟରେ ବ୍ୟବସାୟ ପ୍ରତିଷ୍ଠାନ ଭାଙ୍ଗିବା କେତେଦୂର ଠିକ୍‌ ବୋଲି ଏକାମ୍ର ମୁରବି ମଞ୍ଚ ପ୍ରଶ୍ନ କରିଛି। ଏହି ଦୁଃସମୟରେ ବ୍ୟବସାୟୀଙ୍କୁ ସହାୟତା ଦେବା ବଦଳରେ ପାଲଟା‌ ଦୋକାନ ଭାଙ୍ଗିବାକୁ ଧମକ ଦିଆଯାଇଥିବାରୁ ଏହାର ପ୍ରତିବାଦରେ ମଞ୍ଚ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର