ସୁଇମିଂପୁଲ୍‌ରେ ଛାତ୍ର ମୃତ୍ୟୁ ଘଟଣା : ପୁଲିସ ଅବହେଳା ପାଇଁ ଥାନା ଆଗରେ ଧାରଣା

ଭୁବନେଶ୍ବର : ଭୁବନେଶ୍ବର କ୍ଲବ ସୁଇମିଂପୁଲ୍‌ରେ ଛାତ୍ର ମୃତ୍ୟୁ ଘଟଣାରେ ପୁଲିସର ଅପାରଗତା ପ୍ରତିବାଦରେ ଆଜି ପରିବାରବର୍ଗ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପରିବାରବର୍ଗଙ୍କ ସମେତ ୨୦ରୁ ଊର୍ଦ୍ଧ୍ବ ସ୍ଥାନୀୟ ବାସିନ୍ଦା କ୍ୟାପିଟାଲ ଥାନା ସମ୍ମୁଖରେ ଦୀର୍ଘ ସମୟ ଧାରଣା ଦେଇଥିଲେ। ଅବହେଳା ଯୋଗୁ ଏକମାତ୍ର ପୁତ୍ରର ମୃତ୍ୟୁ ହୋଇଥିବା ବେଳେ ପୁଲିସର ପକ୍ଷପାତିତା ପରିଜନଙ୍କୁ ହତାଶ କରିଛି। ଏହି ଘଟଣାରେ ଅବହେଳା ଯୋଗୁଁ ଭୁବନେଶ୍ବର କ୍ଲବ କର୍ତ୍ତୃପକ୍ଷ ଟ୍ରେନରଙ୍କୁ ନିଲମ୍ବିତ କରି କାମ ଛିଣ୍ଡାଇ ଦେଇଥିବା ବେଳେ ପୁଲିସ ନିରବ ରହିଛି। କ୍ଲବ କର୍ତ୍ତୃପକ୍ଷ ଟ୍ରେନରଙ୍କୁ ନିଲମ୍ବିତ କରିବା ଅବହେଳାକୁ ପ୍ରମାଣିତ କରୁଥିଲେ ମଧ୍ୟ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ତାହା ଆମକୁ ବ୍ୟଥିତ କରୁଛି ବୋଲି ମୃତକର ମା’ ସୁମିତ୍ରା ସାହୁ କହିଛନ୍ତି। କ୍ୟାପିଟାଲ ଥାନା ପୁଲିସ ପରିବାରବର୍ଗଙ୍କୁ ବୁଝାଶୁଝା କରି ଧାରଣାରୁ ଉଠାଇ ଦେଇଛି। କ୍ୟାପିଟାଲ ଥାନା ଇନ୍‌ସ୍‌ପେକ୍ଟର ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି, ଏ ନେଇ ଗତ ଜୁନ୍‌ ୪ ତାରିଖରେ ଏକ ଅପମୃତ୍ୟୁ ମାମଲା(୧୧୪/୧୯) ରୁଜୁ ହୋଇଥିଲା। ଯାହାର ତଦନ୍ତ ଭାର ଏଏସ୍‌ଆଇ ଏ.କେ. ଜେନା ନେଇଛନ୍ତି। ଅଭିଯୋଗକୁ ଆଧାର କରି ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୁଲିସ ସୂଚନା ମୁତାବକ, ଭୁବନେଶ୍ବର କ୍ଲବ ପରିସରରେ ଥିବା ସୁଇମିଂପୁଲ୍‌ରେ ଡୁମୁଡୁମାର ସନ୍ଦୀପ ସାହୁ ପହଁରା ଶିଖିବା ପାଇଁ ଟ୍ରେନର ବୈକୁଣ୍ଠ ରାଉତଙ୍କ ସହ ଯୋଗାଯୋଗ କରିଥିଲେ। ମେ ୨୬ ତାରିଖରେ ସେ ଆଡ୍‌ମିସନ ବାବଦକୁ ୨୪୦୦ ଟଙ୍କା ଓ ଡ୍ରେସ୍‌ ବାବଦକୁ ୬୦୦ ଟଙ୍କା ଏଭଳି ୩ ହଜାର ଟଙ୍କା ଜମା କରିଥିଲେ। ସେବେଠାରୁ ସେ ନିୟମିତ ପହଁରା ଶିଖିବା ପାଇଁ ଆସୁଥିଲେ। ଗତ ଜୁନ୍‌ ୪ ତାରିଖ ସକାଳ ୯ଟା ବେଳେ ସନ୍ଦୀପଙ୍କର ମୃତଦେହ ସୁଇମିଂପୁଲ୍‌ରୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର