କଳିଙ୍ଗ ଷ୍ଟାଡିୟମ ଫାଟକ ଖୋଲିବା ଦାବିରେ ଧାରଣା

ଭୁବନେଶ୍ୱର : ସାଧାରଣ ଲୋକଙ୍କ ପ୍ରତଃ ଓ ସନ୍ଧ୍ୟା ଭ୍ରମଣ ପାଇଁ କଳିଙ୍ଗ ଷ୍ଟାଡିୟମ ଫାଟକ ଖୋଲିବା ଦାବିରେ ଆଜି ନୂଆସାହି ସାମାଜିକ ସଂଗଠନ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ ମୁଖ୍ୟ ଫାଟରେ ଏକ ଶାନ୍ତପୂର୍ଣ୍ଣ ଧାରଣା ଦିଆଯାଇଥିଲା। ସଂଘ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ବାହାନା ଦେଖାଇ କଳିଙ୍ଗ ଷ୍ଟାଡିୟମ୍‌ ଭିତରକୁ ସର୍ବସାଧାରଣଙ୍କ ପ୍ରାତଃ ଓ ସନ୍ଧ୍ୟା ଭ୍ରମଣକୁ ବାରଣ କରାଯାଇଛି। ଭିତରକୁ ପ୍ରବେଶ କରାଉ ନାହାନ୍ତି। ଫଳରେ ଲୋକମାନେ ବିପଜ୍ଜନକ ଅବସ୍ଥାରେ ରାସ୍ତାରେ ପ୍ରାତଃ ଓ ସନ୍ଧ୍ୟାଭ୍ରମଣ କରୁଛନ୍ତି। ଗତ କିଛିଦିନ ତଳେ ପ୍ରାତଃ ଭ୍ରମଣ ବେଳେ ସ୍ଥାନୀୟ ଅଞ୍ଚଳର ଡମ୍ବରୁଧର ବେହେରାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏଥିରେ ତାଙ୍କ ପତ୍ନୀ ଓ ଅନ୍ୟ ଦୁଇଜଣ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଫାଟକ ଖୋଲିବା ନେଇ ଦୁଇଦିନ ମଧ୍ୟରେ ଏକ ପାଞ୍ଚଜଣିଆ ଟିମ୍‌ କ୍ରୀଡ଼ା ମନ୍ତ୍ରୀ, କ୍ରୀଡ଼ାସଚିବ, ମେୟର ଓ ସ୍ଥାନୀୟ ବିଧାୟକଙ୍କୁ ଭେଟି ଏକ ଅନୁରୋଧପତ୍ର ଦିଆଯିବ। ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧପତ୍ର ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଆଗାମୀ ସପ୍ତାହକ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ ସର୍ବସାଧାରଣଙ୍କ ପାଇଁ ଖୋଲାଯିବା ନେଇ ଘୋଷଣା କରା ନଗଲେ ସମସ୍ତ ଯୁବ ସଂଗଠନ ଏକତ୍ର ହୋଇ ରାଜରାସ୍ତାକୁ ଅବରୋଧ କରିବେ। ଦରକାର ପଡ଼ିଲେ ଷ୍ଟାଡିୟମ୍‌ ଗେଟ୍‌ରେ ତାଲା ପକାଯିବ ବୋଲି ସଙ୍ଗଠନର ପକ୍ଷରୁ ଚେତାବନୀ ଦିଆଯାଇଛି। ସଙ୍ଗଠନର କାର୍ଯ୍ୟକାରୀ ସଭାପତି ଆଶୁତୋଷ ମଲ୍ଲିକ, ଉପସଭାପତି ଦେବାଶିଷ ପ୍ରଧାନ, ସହ-ସମ୍ପାଦକ ହାଇଦର ମହମ୍ମଦ ସାଙ୍ଗଠନିକ ସମ୍ପାଦକ ସନ୍ଦୀପ ମହାନ୍ତି, ଶୈଳେନ୍ଦ୍ର ପ୍ରସାଦ ରାୟ, ସୂର୍ଯ୍ୟକାନ୍ତ ବିଶ୍ୱାଳ, ଅନୁଜ ଚନ୍ଦନ ନାୟକ, ସୁଜିତ୍‌ ରାୟ ଓ ରାକେଶ କୁମାର ଜାଲି ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର