ଚନ୍ଦ୍ରଶେଖରପୁର : ବିଜୁ ଜନତା ଦଳରୁ ନିଲମ୍ବିତ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଥେରୁବାଲିସ୍ଥିତ ଇମ୍ଫା ବିରୋଧରେ ଆନ୍ଦୋଳନର କୌଣସି ସମାଧାନ ବାହାରୁ ନଥିବା ବେଳେ ଭୁବନେଶ୍ୱରରେ ଥିବା ଓର୍‌ଟେଲର ମୁଖ୍ୟ କାର୍ଯ୍ୟାଳୟ ଆଗରେ ଆଜିଠୁଁ ଆରମ୍ଭ ହୋଇଛି ଆମରଣ ଅନଶନ। ସି-୧ କମର୍ସିଆଲ କମ୍ପ୍ଲେକ୍ସ୍‍, ବିଡିଏ ଚନ୍ଦ୍ରଶେଖରପୁରରେ ଥିବା ଓର୍‌ଟେଲର ମୁଖ୍ୟ କାର୍ଯ୍ୟାଳୟକୁ ଏଠାରୁ ଉଚ୍ଛେଦ ଦାବିରେ ସିଟିଜେନ୍ସ କମିଟିର ସାଧାରଣ ସଂପାଦକ ଅଜିତ ଦାଶ ଆଜିଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଏହି ସ୍ଥାନରେ ମଲ୍‌ଟି ସପିଂ କମ୍ପ୍ଲେକ୍ସ୍‍ ନିର୍ମାଣ କରି ଓ୍ଵାର୍ଡ ନଂ-୧୩ ଅଧୀନରେ ଥିବା ବିଡିଏ କଲୋନିର ସମସ୍ତ ଉଠାଦୋକାନୀ, ବରିଷ୍ଠ ନାଗରିକ, ଅସହାୟ ମହିଳା, ବେକାର ଯୁବକ ଯୁବତୀ, ସ୍ୱୟଂ ସହାୟକ ଗୋଷ୍ଠୀକୁ ମାଗଣାରେ ଦୋକାନ ଘର ପ୍ରଦାନ କରିବାକୁ ଶ୍ରୀ ଦାଶ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ବହୁତଳ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କଲେ ରାଜ୍ୟ ସରକାର ଅଧିକ ରାଜସ୍ୱ ପାଇପାରିବେ ବୋଲି ସେ କହିଛନ୍ତି। ଆଜିର ଅନଶନକୁ ସ୍ଥାନୀୟ ବ୍ୟବସାୟୀ ସଂଘ, ବୁଦ୍ଧିଜୀବୀ ସମର୍ଥନ କରୁଥିବା ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଯେ, ଖାଲି ପଡ଼ିଥିବା ଏହି ପ୍ଲଟ୍‌ରେ ୨୦୦୪ ମସିହାରେ ଓର୍‌ଟେଲ କୋଠା ନିର୍ମାଣ କରିବା ସହିତ ଏହାର କାର୍ଯ୍ୟାଳୟ ଚଳାଇ ଆସୁଛି।

ତେବେ ଆଜି ସନ୍ଧ୍ୟାବେଳକୁ ଆନ୍ଦୋଳନ ସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଓର୍‌ଟେଲ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ଆନ୍ଦୋଳନକାରୀମାନେ ତାଲା ପକାଇଦେଇଥିଲେ। ଏହାସହିତ ଓର୍‌ଟେଲର ଏହି ଅଫିସ୍‌କୁ ଦଖଲକୁ ନେବା ଘୋଷଣା କରିଥିଲେ ଅନଶନକାରୀ ଶ୍ରୀ ଦାଶ। ଚଞ୍ଚକତା କରି ଏହି ପ୍ଲଟ୍‌କୁ ହାତେଇଥିବା ଓର୍‌ଟେଲକୁ ତୁରନ୍ତ ଏଠାରୁ ଉଚ୍ଛେଦ କରିବାକୁ ସେ ଦାବି କରିଥିଲେ।

ଅନ୍ୟପକ୍ଷରେ ଅଫିସ୍‌ ଭିତରେ ଓର୍‌ଟେଲ୍‌ର କର୍ମଚାରୀମାନେ ଏକପ୍ରକାର ବନ୍ଦୀ ହୋଇ ରହିଥିଲେ। ଏକ ପିସିଆର୍‌ ଭ୍ୟାନ୍‌ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ତାଲା ଫିଟିଥିଲା। କିନ୍ତୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କର୍ମଚାରୀମାନେ ଭିତର ପଟୁ ତାଲା ପକାଇ ବାହାରକୁ ଆସି ନଥିଲେ। ଏ ନେଇ ଓରଟେଲ୍‌ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି।