ଭୁବନେଶ୍ବର, ୨୩/୭ (ଇମିସ): ପୂର୍ବୋତ୍ତର ରାଜ୍ୟ ମଣିପୁରରେ ପ୍ରାୟ ଅଢ଼େଇ ମାସ ଧରି ଚାଲିଥିବା ହିଂସାକାଣ୍ଡରେ ଦେଶର ଶାନ୍ତି ଓ ସୌହାର୍ଦ୍ଦ୍ୟ ଧୂଳିସାତ ହୋଇଛି। ‌ଦୁଇଜଣ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ କରି ରାସ୍ତାରେ ଚଲାଇବା ଭଳି ବର୍ବର ଘଟଣା ଲୋକଲୋଚନକୁ ଆସିବା ପରେ ‌ସମଗ୍ର ବିଶ୍ବରେ ଭାରତକୁ ନିନ୍ଦିତ ହେବାକୁ ପଡ଼ିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ସଂଗଠନ ପକ୍ଷରୁ ଦୋଷୀ ମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବାକୁ ଦାବି କରାଯାଇଛି। ଏହାସହ କେନ୍ଦ୍ର ଓ ମଣିପୁର ସରକାର ମିଳିତ ଭାବେ ସଂପୃକ୍ତ ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଦାବି କରାଯାଇଛି।

Advertisment

ସର୍ବଧର୍ମ ପ୍ରାର୍ଥନା ଓ ମହମବତି ଶୋଭାଯାତ୍ରା

publive-image

ମଣିପୁରରେ ଶାନ୍ତି ସଦ୍‌ଭାବନା, ଭାଇଚାରା ଓ ମାନବିକତା ପାଇଁ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନଠାରେ ଜାତୀୟ ଯୁବ ପ୍ରକଳ୍ପ (ଏନ୍‌ୱାଇପି) ପକ୍ଷରୁ ସର୍ବଧର୍ମ ପ୍ରାର୍ଥନା ଓ ମହମବତି ଶୋଭାଯାତ୍ରା କରାଯାଇଛି। ଜାତୀୟ ଯୁବ ପ୍ରକଳ୍ପ ତରଫରୁ ଏକାଧିକ ସଦସ୍ୟ, ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ ଏକାଠି ହୋଇ ଶାନ୍ତି ପ୍ରାର୍ଥନା କରିଥିଲେ। ସମଗ୍ର ଭାରତବର୍ଷରେ ଜାତୀୟ ଯୁବ ପ୍ରକଳ୍ପ ଦ୍ୱାରା ୧୦୦ଟି ସ୍ଥାନରେ ଏହି ପ୍ରାର୍ଥନା କରାଯାଇଛି। ମାଷ୍ଟର କ୍ୟାଣ୍ଟିନଠାରେ ଅନୁଷ୍ଠିତ ହୋଇଥିବା ପ୍ରାର୍ଥନା ସଭାରେ ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସଙ୍କ ଆବାହକତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ବ୍ୟତୀତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଜାତୀୟ ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ସୁଶାନ୍ତ କୁମାର ପଟ୍ଟନାୟକ, ବରିଷ୍ଠ ଶିକ୍ଷାବିତ ପ୍ରଫେସର ରଘୁନାଥ ମଣ୍ଡଳ, ହରପ୍ରସାଦ ମହାପାତ୍ର, ରାନୀ ମହାରଣା, କାଳୀଚରଣ ରଣଜିତ, ଅରୂପା ଗୌଡ଼, ପୂଜା ଡାକୁଆ, ରାକେଶ ଚୌଧୁରୀ, ଲକ୍ଷ୍ମୀ ମହାନ୍ତି, ବୁନୁ ଆଚାର୍ଯ୍ୟ, ସିପ୍ରାରାଣୀ ତ୍ରିପାଠୀ, ତୀର୍ଥରୂପକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରକାଶଥାଉକି ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତା ସ୍ୱର୍ଗତ ଏସ୍.ଏନ୍ ସୁବାରାଓଙ୍କ ଆଦର୍ଶ ଓ ପ୍ରେରଣାରେ ଏହି ସମସ୍ତ କାର୍ଯ୍ୟକ୍ରମ ଏକକାଳୀନ ଭାରତବର୍ଷର ୧୦୦ରୁ ଊର୍ଦ୍ଧ୍ବ ସ୍ଥାନରେ ଅନୁଷ୍ଠିତ ହେବା ସହ ଓଡ଼ିଶାର ୧୫ଟି ସ୍ଥାନରେ ଶାନ୍ତି ପାଇଁ ପ୍ରାର୍ଥନା କରାଯାଇଛି।

ରାଷ୍ଟ୍ରପତି ଶାସନ ଜାରି ହେଉ

ମାଷ୍ଟରକ୍ୟାଣ୍ଟିନ ଛକଠାରେ ଓଡ଼ିଶା ଏସ୍‌ସି, ଏସ୍‌ଟି, ପଛୁଆବର୍ଗ ଓ ସଂଖ୍ୟାଲଘୁ ଜଏଣ୍ଟ ଆକ୍ସନ କମିଟି ତରଫରୁ ମଣିପୁରରେ ଘଟଣା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏହି ଘଟଣାର ଦୃଢ଼ ନିନ୍ଦା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ଏହା ମଣିପୁର ସରକାର ଓ କେନ୍ଦ୍ର ସରକାରଙ୍କ ଏକ ମିଳିତ ପ୍ରାୟୋଜିତ ହିଂସା ବୋଲି ମତ ଦେବା ସହିତ ଏହି ଘଟଣାରେ ରାଷ୍ଟ୍ରପତି ତୁରନ୍ତ ହସ୍ତକ୍ଷେପ କରି ମଣିପୁର ସରକାରଙ୍କୁ ବରଖାସ୍ତ କରିବା ସହ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଦାବି ରଖିଥିଲେ। ଏହି ଅବସରରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗ୍ରାମ ମଲିକ, ଅଭିରାମ ମଲ୍ଲିକ, ଲିଟୁ ଦାସ, ମାନସ ଜେନା, ବିଭ୍ରାନ୍ତ ବିଶ୍ୱଜିତ, ଅରବିନ୍ଦ ମଲ୍ଲିକ, ଟିକିନା ପରିଡ଼ା, ତମନ୍ନା ଭୋଇ, ଅନିଲ ମଲ୍ଲିକ, ବନିତା ସାମଲ, ସୁଜାତା, ଫାଦର ଅଜୟ, ଯୁଗଳ କିଶୋର ରଣଜିତ, ଗଙ୍ଗାଧର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ବିକ୍ଷୋଭ

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଆଜି ମାଷ୍ଟରକ୍ୟାଣ୍ଟିନ ଠାରେ ମଣିପୁରରେ ସଂଗଠିତ ହେଉଥିବା ହିଂସା ଓ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ କରି ରାଜରାସ୍ତାରେ ଚଲାଇ ଚଲାଇ ନେବା ଘଟଣା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଘଟଣାର ଦୃଢ଼ ନିନ୍ଦା କରିବା ସହିତ ମହିଳା ମାନଙ୍କର ଆତ୍ମସମ୍ମାନ, ସଭ୍ୟତା, ସଂସ୍କୃତି ଏବଂ ମାନବତାର ବିଭତ୍ସ ହତ୍ୟା କରାଯାଇଥିବା କୁହାଯାଇଛି। ଏହି ପ୍ରତିବାଦ ସଭାରେ ସଭାନେତ୍ରୀ ମିନତି ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ନୟନା ନାୟକ, ବିମଳି ନାୟକ, ଚିନ୍ମୟୀ ରାଉତ, ନିରୁପମା ନାୟକ ପ୍ରମୁ୍‌ଖ ଉପସ୍ଥିତ ଥିଲେ।