ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ପ୍ରତିବାଦ ସଭା

ଚନ୍ଦ୍ରଶେଖରପୁର: ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ଆଦିବାସୀ ଗାଁ ସିଦୁ କାହ୍ନୁ କ୍ଲବ ପରିସରରେ ସାଲିଆସାହି ବସ୍ତିଭଙ୍ଗା ଷଡ଼୍‌ଯନ୍ତ୍ର ବିରୋଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସାଲିଆସାହି ଆଞ୍ଚଳିକ କମିଟିର ଆବାହକ ସାଲ ମାର୍ଣ୍ଡି କହିଛନ୍ତି ଯେ, ଗତ ଜୁଲାଇ ୨୯ରେ ବସ୍ତି ଭିତରେ ଅଙ୍କା ବଙ୍କା ରାସ୍ତା ତିଆରି କରିବା ପାଇଁ କାମ ଆରମ୍ଭ କରାଯାଇଥିଲା। ଏହାକୁ ବସ୍ତି ତରଫରୁ ଦୃଢ଼ ବିରୋଧ କରାଯାଇଥିଲା। ବସ୍ତି ଭିତରେ ରାସ୍ତା ଗଲେ ୧ହଜାରରୁ ଅଧିକ ଘର ଭାଙ୍ଗିବାକୁ ପଡ଼ିବ।

ଅଙ୍କା ବଙ୍କା ରାସ୍ତା ନିର୍ମାଣ ଦ୍ବାରା ଦୁର୍ଘଟଣା ଘଟିବ। ତେଣୁ ଏଥିରୁ ନିବୃତ ରହି ସରକାରୀ ମହିଳା ପଲିଟେକ୍‌ନିକ୍‌ରୁ ସିଧା ଏକାମ୍ର କାନନ ଗେଟ୍ ନିକଟ ସିଆରପି ରାସ୍ତାରେ ସଂଯୋଗ କରି ସରକାରୀ ଅର୍ଥ ଅପବ୍ୟୟ ରୋକିବାକୁ ଦାବି କରାଯାଇଛି। ସରକାର ଗୋଟିଏ ପଟେ ବସ୍ତି ଲୋକଙ୍କୁ ଜମିପଟା ଦେବା ପାଇଁ ଜାଗା ମିସନ କରିଥିବା ବେଳେ ଅନ୍ୟପଟେ ମିଥ୍ୟା ପ୍ରଲୋଭନ ଦେଖାଇ ପୁଲିସ ବଳ ଲଗାଇ ଗୋଟିଏ ପରେ ଗୋଟିଏ ବସ୍ତି ଭାଙ୍ଗିବାକୁ ଷଡ଼୍‌ଯନ୍ତ୍ର କରୁଛନ୍ତି। ବସ୍ତିର ଅଧିକାରକୁ ରକ୍ଷା କରିବା ପାଇଁ ଆସନ୍ତା ଅଗଷ୍ଟ ୩ତାରିଖରେ ମହିଳା ପଲିଟେକ୍‌ନିକ୍‌-ହାତିଆଶୁଣି ବସ୍ତି ନିକଟରେ ବିକ୍ଷୋଭ କରାଯିବା ନେଇ ସଭାରେ ଘୋଷଣା କରାଯାଇଛି ବୋଲି ଶ୍ରୀ ମାର୍ଣ୍ଡି କହିଛନ୍ତି।

ସମ୍ବନ୍ଧିତ ଖବର