ଦଳିତ ଅତ୍ୟାଚାରୀଙ୍କୁ ଗିରଫ ଦାବି: ଓଡ଼ିଶା ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ

1

ଭୁବନେଶ୍ବର: ରାଜ୍ୟରେ ଦେଖାଯାଉଥିବା ଦଳିତଙ୍କ ଉପରେ ଅତ୍ୟାଚାରକୁ ରୋକିବା ଓ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଆଜି ଓଡ଼ିଶା ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଥିଲା। ସୁରକ୍ଷା ମଞ୍ଚ ପକ୍ଷରୁ ୩ଶହରୁ ଅଧିକ ପୀଡ଼ିତ ନ୍ୟାୟ ଦାବିରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଏକ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ବାହାରିଥିଲେ। ରାସ୍ତାରେ ପୁଲିସ ସେମାନଙ୍କୁ ଅଟକାଇବାରୁ ସେମାନେ ଲୋୟର ପିଏମ୍‌ଜିରେ ଅନଶନରେ ବସିଛନ୍ତି।

ମଞ୍ଚ ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକ ମଧ୍ୟରେ ନାଥପୁର ଓ ଜାକେଡ଼ା ଗ୍ରାମର ସମସ୍ତ ପୀଡ଼ିତ ଦଳିତ ପରିବାରଙ୍କୁ ଆଇନ ଅନୁଯାୟୀ ଗ୍ରାମରେ ଥଇଥାନ କରିବା, ଅତ୍ୟାଚାର କରିଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ୪୮ଘଣ୍ଟା ଭିତରେ ଗିରଫ କରିବା, ନାଥପୁରରେ ବୋମାମାଡ଼ ମାମଲାରେ ଅବହେଳା ପ୍ରଦର୍ଶନ କରିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ପୀଡ଼ିତ ପରିବାରକୁ ବାସ ଉପଯୋଗୀ ଜମି ଯୋଗାଇବା, ବାସଗୃହ ନିର୍ମାଣ ପାଇଁ ଅନୁଦାନ ଦେବା, ଚାଷ ଜମି ଯୋଗାଇବା, କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ତ ଲୁଟ୍‌ ସାମଗ୍ରୀର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ରାଶି ପ୍ରଦାନ କରିବା ଓ ଦଳିତଙ୍କ ଉପରେ କରାଯାଇଥିବା ମିଥ୍ୟା ମାମଲାକୁ ପ୍ରତ୍ୟାହାର କରିବା ଆଦି ରହିଛି।

ସୂଚନାଯୋଗ୍ୟ, ନଭେମ୍ବର ୭ରେ ନାଥପୁରର ଦଳିତଙ୍କ ଘର ଉପରେ ସ୍ଥାନୀୟ ୩୫ ମୌଜାର ସବର୍ଣ୍ଣମାନେ ବୋମାମାଡ଼ କରିଥିଲେ। ସେହିପରି ନୟାଗଡ଼ ଜାକେଡ଼ା ଗ୍ରାମର ଦଳିତମାନଙ୍କୁ ଆକ୍ରମଣ କରି ଗାଁରୁ ତଡ଼ି ଦେବାରୁ ସେମାନେ ୭ ମାସ ହେଲା ଗାଁ ବାହାରେ ରହୁଛନ୍ତି। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଦଳିତମାନଙ୍କୁ ଏଭଳି ନିର୍ଯ୍ୟାତନା ଦେବା ଆଇନବିରୋଧୀ ବୋଲି ରାଜ୍ୟ ସଭାପତି ବିଦ୍ୟାଧର ଦେହୁରୀ କହିଛନ୍ତି। କାର୍ଯ୍ୟକ୍ରମରେ ଗୋପାଳ ଚନ୍ଦ୍ର ନାୟକ, ସୁରେଶ ଚନ୍ଦ୍ର ନାୟକ, ଦେବରାଜ ନାଏକ, ଅଶୋକ କୁମାର ନାୟକ, ଅରୁଣ କୁମାର ସ୍ବାଇଁ, ସେକ୍ ଇକ୍‌ବାଲ ହୁସେନ୍‌, ଅଞ୍ଜଳି ସ୍ବାଇଁ, ସଭାପତି ଟୁକୁ ମାଝୀ, ନୟାଗଡ଼ ଜିଲ୍ଲା ସଭାପତି ମଥୁରୀ ସ୍ବାଇଁ, ରାଉତ ନାୟକ, ଆମ୍ବେଦକର ବିଚାର ମଂଚର ଦୈତାରୀ ନାଏକ, ବାନାମ୍ବର ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର