ଖଣ୍ଡଗିରି: ତୁରନ୍ତ ଲାଇନ୍ ଦିଅ ନ ହେଲେ ସେସୁ ଅଫିସରେ ନିଅାଁ ଜଳିବ। ଆଜି ରାତିକ ଭିତରେ ଦିଅ, ନ ହେଲେ ସେସୁ ଅଫିସ୍ ପୋଡ଼ିଦବୁ। ଶୁକ୍ରବାର ଅପରାହ୍ଣରେ ଏମିତି ଧମକ ଦେଇ ଉତ୍ତ୍ୟକ୍ତ ଲୋକେ ଡୁମୁଡୁମା ସେସୁ କାର୍ଯ୍ୟାଳୟ ସମ୍ମୁଖରେ ହଙ୍ଗମା କରିଥିଲେ। ପରିସ୍ଥିତି ବିଗିଡ଼ିବା ପୂର୍ବରୁ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଏକ ବଡ଼ ଧରଣର ଗଣ୍ଡଗୋଳକୁ ରୋକା ଯାଇପାରିଥିଲା। ପୁଲିସ ଉପସ୍ଥିତିରେ ବିଦ୍ୟୁତ୍ ବିଭାଗର ଉପରିସ୍ଥ ଅଧିକାରୀମାନେ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ରାଜଧାନୀର କିଛି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ମାତ୍ର ଡୁମୁଡୁମା ଅଞ୍ଚଳରେ ଏ ପର୍ଯ୍ୟନ୍ତ ମରାମତି କାମ ଆରମ୍ଭ ହୋଇନାହିଁ। ଭାଙ୍ଗି ପଡ଼ିଥିବା ଓ ନଇଁ ପଡ଼ିଥିବା ବିଦ୍ୟୁତ୍ ଖମ୍ବ ମରାମତି ପାଇଁ କିଛି ବି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ଏହି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ମିଳିବାରେ ବିଳମ୍ବ ହେବ ବୋଲି ଜଳଜଳ ହୋଇ ଦିଶିଯାଉଛି। ଏହା ହିଁ ଲୋକଙ୍କ କ୍ରୋଧର ମୂଳ କାରଣ ବୋଲି କୁହାଯାଉଛି। ଏ ନେଇ ସ୍ଥାନୀୟ ଲୋକେ ବାରମ୍ବାର ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ସହ ଯୋଗଯୋଗ କରିଥିଲେ ବି ମରାମତି କାମ ଆରମ୍ଭ ହୋଇ ନଥିଲା। ତେଣୁ ଆଜି ଲୋକେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ଶହ ଶହ ଲୋକେ ସେସୁ କାର୍ଯ୍ୟାଳୟ ନିକଟରେ ପହଞ୍ଚି ପାଟିତୁଣ୍ଡ କରିବା ସହ ଅଫିସ ଭିତରେ ପଶି ଭଙ୍ଗାରୁଜା କରିବାକୁ ବାହାରିପଡ଼ିଥିଲେ। ଖବର ପାଇ ଜୋନ୍-୩ ଏସିପି ପ୍ରାଣବନ୍ଧୁ ରାଉତ ଓ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ବିଭାଗୀୟ ଅଧିକାରୀଙ୍କ କହିବା କଥା ଗତ ଦୁଇ ଦିନ ହେଲା ଏହି ଅଞ୍ଚଳରେ ମରାମତି କାମ କିଛି କିଛି ଆରମ୍ଭ କରାଯାଇଛି। ପର୍ଯ୍ୟାୟକ୍ରମେ ମରାମତି କାମ କରାଯାଉଛି। ମାତ୍ର କର୍ମଚାରୀ ଅଭାବରୁ ସବୁ ଅଞ୍ଚଳରେ ମରାମତି କାମ ହୋଇପାରିନାହିଁ। ତେବେ ଦୁଇ ଦିନ ଭିତରେ ଏହି ସମସ୍ୟା ସମାଧାନ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଯାଉଛି ବୋଲି ସେମାନେ କହିଛନ୍ତି।