ଦେବଦେବୀଙ୍କ ମୂର୍ତ୍ତିରେ ରାସାୟନିକ ରଙ୍ଗ ଉପରେ ଲଗାମ ଲାଗୁ

‌‌ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ‘ପ୍ରେରଣା’ର ଦାବି

ଭୁବନେଶ୍ୱର: ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ମୂର୍ତ୍ତି ବଜାର ଚଳଚଞ୍ଚଳ ହୋଇଉଠିଛି। ତେବେ ଏହି ମୂର୍ତ୍ତିଗୁଡ଼ିକରେ କୃତ୍ରିମ ତଥା ବିଷାକ୍ତ ରାସାୟନିକ ରଙ୍ଗ ବ୍ୟବହାର କରାଯାଉଥିବାରୁ ତାହା ପରିବେଶ ଉପରେ କୁ-ପ୍ରଭାବ ପକାଉଛି। ତେଣୁ ଏଥର ଯେପରି ଦେବଦେବୀଙ୍କ ମୂର୍ତ୍ତିରେ ରାସାୟନିକ ରଙ୍ଗ ବ୍ୟବହାର ନ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦାବି କରିଛି ‘ପ୍ରେରଣା’।

ଏହି ମର୍ମରେ ଅନୁଷ୍ଠାନର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ ବୋର୍ଡର କାର୍ଯ୍ୟାଳୟକୁ ଏକ ଦାବିପତ୍ର ଦେଇଥିବା ଜଣାଯାଇଛି। ସେ କହିଛନ୍ତି ଯେ ମୂର୍ତ୍ତିଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ କାରିଗରମାନେ ସେଥିରେ ଆର୍ସେନିକ, ପାରଦ, କ୍ରୋମିୟମ, କାଡ଼ମିୟମ, ସୀସା ଆଦି ବିଷାକ୍ତ ପଦାର୍ଥମିଶା କେମିକାଲ ବୋଳୁଛନ୍ତି। ମୂର୍ତ୍ତିଗୁଡ଼ିକୁ ଚିକ୍କଣ କରିବା ପାଇଁ ପ୍ଲାଷ୍ଟର ପ୍ୟାରିସ୍‌ର ବ୍ୟବହାର କରାଯାଉଛି। ଏହା ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ। ଏହାସହ ଏଥର ମୂର୍ତ୍ତିଗୁଡ଼ିକୁ ନଦୀ କିମ୍ବା ପୁଷ୍କରଣୀରେ ବିସର୍ଜନ କରିବା ପାଇଁ ଅନୁମତି ନ ଦେବାକୁ ଶ୍ରୀ ଶ୍ରୀଚନ୍ଦନ ଅନୁରୋଧ କରିଛନ୍ତି। ଏଥିପାଇଁ ବିଏମ୍‌ସି ଅସ୍ଥାୟୀ ପୁଷ୍କରଣୀ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର