ମାଇନ୍ସ ଆଣ୍ଡ ଫରେଷ୍ଟ ୱାର୍କର୍ସ ୟୁନିଅନ୍‌ର ବିକ୍ଷୋଭ: ‘ବନ୍ଦ ଖଣି ଖୋଲ, ପୁନଃନିଯୁକ୍ତି ଦିଅ’

ଭୁବନେଶ୍ୱର: ବନ୍ଦ ପଡ଼ିଥିବା ଖଣି ଖୋଲିବା ଓ ଛଟେଇ ହୋଇଥିବା ଶ୍ରମିକଙ୍କୁ ପୁନଃନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦାବିରେ ଏଆଇଟିୟୁସି ସମର୍ଥିତ କେନ୍ଦୁଝର ମାଇନ୍ସ ଆଣ୍ଡ ଫରେଷ୍ଟ ୱାର୍କର୍ସ ୟୁନିଅନ୍‌(କେଏମ୍‌ଏଫ୍‌ଡବ୍ଲୁୟୁ) ପକ୍ଷରୁ ଲୋୟର ପିଏମ୍‌ଜି ଠାରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଓ ସୁନ୍ଦରଗଡ଼ରୁ ଆସିଥିବା ଶତାଧିକ ଶ୍ରମିକ ଏକ‌ ଶୋଭାଯାତ୍ରାରେ ଯାଇ ସଭାସ୍ଥଳରେ ପହଞ୍ଚିବା ପରେ ଏହି ଦୁଇଟି ଦାବି ଉପସ୍ଥାପନ କରାଯାଇଥିଲା। ସମାବେଶରେ କେଏମ୍‌ଏଫ୍‌ଡବ୍ଲୁୟୁ ସଭାପତି ରାମକୃଷ୍ଣ ପଣ୍ଡା ଅଧ୍ୟକ୍ଷତା କରିବା ଅବସରରେ କହିଥିଲେ, ଆସନ୍ତା ମାର୍ଚ୍ଚ ୩୧ ତାରିଖରେ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ୨୦ଟି ଖଣି ବନ୍ଦ ହୋଇଯିବ। ଏଥିରେ କାମ କରୁଥିବା ୨୦ ହଜାର ଆଦିବାସୀ ଓ ପଛୁଆବର୍ଗ ଶ୍ରମିକ କାମ ହରାଇବେ। କାରଣ ନୂଆ କରି ଲିଜ୍‌ ‌ନେଉଥିବା ମାଲିକ ଏହି ପୁରୁଣା ଶ୍ରମିକମାନଙ୍କୁ ରଖିବା ବାଧ୍ୟତାମୂଳକ ନୁହେଁ। ଏଣୁ ପୁରୁଣା ଶ୍ରମିକଙ୍କୁ ରଖିବା ବାଧ୍ୟତମୂଳକ କରାଯାଉ।

ୟୁନିଅନ ସାଧାରଣ ସମ୍ପାଦକ ମହେଶ୍ବର ରାଉତ, କାର୍ଯ୍ୟକାରୀ ସଭାପତି ବିଦ୍ୟାଧର ମହାନ୍ତ ଓ ସମ୍ପାଦକ କପିଳ ପ୍ରସାଦ ମହାନ୍ତି ପ୍ରମୁଖ କହିଥିଲେ, ଓଡ଼ିଶା ଖଣି ନିଗମ ଓ ଓଏମ୍‌ଡିସି ଭଳି ସରକାରୀ ଖଣି କମ୍ପାନି ଖଣି ବନ୍ଦ ରଖିଛନ୍ତି। ଏଥିପାଇଁ ୧୦ ହଜାର ଶ୍ରମିକ ବେରୋଜଗାର ହୋଇ ବସିଛନ୍ତି। ଏଣୁ ଏହି ବନ୍ଦ ଖଣି ଖୋଲାଯାଉ ବୋଲି ସେମାନେ ଦାବି କରିଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉ‌ପଦେଷ୍ଟା ଦିବାକର ନାୟକ, ସୌରୀବନ୍ଧୁ କର, ସୁର ଜେନା, ହୃଦାନନ୍ଦ ପ୍ରଧାନ, ସନ୍ତୋଷ ମହାନ୍ତ, ମାର୍କଣ୍ଡ ଦେହୁରୀ, ବାଗ୍ରା ଚାତାର, ପ୍ରଦାନ ମୁଣ୍ଡା, ବାଇଧର ମୁଣ୍ଡା, ରାଜାରାମ ମୁଣ୍ଡା, ବଦ୍ରୁ ଜାମା, ବୈଦ୍ୟନାଥ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର