ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ମାମଲା: ଶବ ଧରି ରାସ୍ତାରେ ବସିଲା ପରିବାର

ଖଣ୍ଡଗିରି: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ ମାମଲାରେ ମୃତକଙ୍କ ପରିବାର ଲୋକେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଜି ସେମାନେ ନୂଆପଲ୍ଲୀ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରେ ମୃତଦେହ ରଖି ବସି ରହିଥିଲେ। ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଥିଲେ। ଖବର ପାଇ ଏସିପି ଅନୀଲ ମିଶ୍ର ଓ ନୂଆପଲ୍ଲୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତମାଣ୍ଡୋ ଥାନାରେ ୩୦୨ ଧାରାରେ ମାମଲା ରୁଜୁ କରାଯାଇଛି ଓ ପୁଲିସ ତଦନ୍ତ ମଧ୍ୟ ଜାରି ରହିଛି ବୋଲି ସେମାନଙ୍କୁ କହିଥିଲେ। ନିଶା ନିବାରଣ କେନ୍ଦ୍ରର କର୍ମଚାରୀମାନଙ୍କୁ ଓ ଅନ୍ୟ ଅନ୍ତେବାସୀମାନଙ୍କୁ ପଚରାଉଚରା ଚାଲିଛି ବୋଲି ପୁଲିସ ଅଧିକାରୀମାନେ ଆନ୍ଦୋଳନକାରୀଙ୍କୁ କହିବା ପରେ ସେମାନେ ମୃତଦେହ ରାସ୍ତାରୁ ହଟାଇଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ପ୍ରଚୁର ନିଶା ସେବନ କରୁଥିବା ନୂଆପଲ୍ଲୀ ଗଡ଼ସାହିର ଅକ୍ଷୟ ମାଝି(୪୭)ଙ୍କୁ ଗତ ମଙ୍ଗଳବାର ଦିନ ତମାଣ୍ଡୋ ଥାନା କଳିଙ୍ଗବିହାରସ୍ଥିତ କମ୍ୟୁନିଟି ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ(ସିଏଫ୍ଆଇ)ନିଶା ନିବାରଣ କେନ୍ଦ୍ରରେ ଛଡ଼ା ଯାଇଥିଲା। ବୁଧବାର ରାତିରେ ଅକ୍ଷୟ ପୁଣି ନିଶା ଖାଇବାକୁ ଜିଦ୍ କରି ପାଟିତୁଣ୍ଡ କରିଥିଲେ। କିନ୍ତୁ କର୍ମଚାରୀମାନେ ତାଙ୍କୁ ଆୟତ୍ତ କରିବା ସହ ନିଶା ପ୍ରତିଷେଧକ ଔଷଧ ଖୁଆଇ ଶୁଆଇ ଦେଇଥିଲେ। ପରଦିନ ସକାଳୁ ତାଙ୍କର ମୃତ୍ୟୁ ଘଟିଥିଲା। ଅକ୍ଷୟଙ୍କୁ କେନ୍ଦ୍ରର କର୍ମଚାରୀମାନେ ପିଟି ପିଟି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।

ଛୁ’ମାରିଲେ ୫୦ ଅନ୍ତେବାସୀ
ଉକ୍ତ ନିଶା ନିବ‌ାରଣ କେନ୍ଦ୍ରରୁ ଆଜି ପ୍ରାୟ ୫୦ଜଣ ଅନ୍ତେବାସୀ ଖସି ପଳାଇଛନ୍ତି। ଅକ୍ଷୟଙ୍କ ମୃତ୍ୟୁକୁ ନେଇ ଗତକାଲିଠାରୁ ଲାଗି ରହିଥିବା ଉତ୍ତେଜନା ମଉକାରେ ନିଶାରୁ ମୁକ୍ତି ପାଇଁ ଆସିଥିବା ଏହି ଅନ୍ତେବାସୀମାନେ ଚମ୍ପଟ ମାରିଛନ୍ତି। ଆଜି ସକାଳୁ ନୂଆପଲ୍ଲୀ ଅଞ୍ଚଳର ଲୋକେ ଉକ୍ତ କେନ୍ଦ୍ର ଉପରେ ଆକ୍ରମଣ କରିବେ ବୋଲି ଖବର ପାଇ କର୍ମଚାରୀମାନେ ତମାଣ୍ଡୋ ଥାନାକୁ ସୁରକ୍ଷା ମାଗିବାକୁ ଆସିଥି‌ଲେ। ମାତ୍ର ଦୁଇଜଣ ଆଟେଣ୍ଡାଣ୍ଟ କେନ୍ଦ୍ରକୁ ଜଗି ରହିଥିଲେ। ଏହି ମଉକାରେ ପ୍ରାୟ ୫୦ ଜଣ ଅନ୍ତେବାସୀ ଏକାଠି ହୋଇ ଦୁଇ ଆଟେଣ୍ଡାଣ୍ଟଙ୍କୁ ଠେଲାପେଲା କରି ବାହାରକୁ ଚାଲି ଆସିଥିଲେ। ସେମାନେ ସିଧା ତମାଣ୍ଡୋ ଥାନାରେ ପହଞ୍ଚିଥିଲେ ଓ କେନ୍ଦ୍ରର କର୍ମଚାରୀମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର