ରାଜଧାନୀରେ ବିକ୍ଷୋଭ, ଧାରଣା ମନା

ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦ୍ଦେଶ, ଅଭି‌ଯୋଗକୁ ଅପେକ୍ଷା ନକରି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : କରୋନା ବ୍ୟାପୁଥିବାରୁ ସର୍ବସାଧାରଣଙ୍କ ସୁରକ୍ଷା ନିମନ୍ତେ ବିଏମ୍‌ସି ପକ୍ଷରୁ ରାଜଧାନୀରେ ବିକ୍ଷୋଭ, ଧାରଣା ପ୍ରଦର୍ଶନ ଉପରେ ରୋକ୍‌ ଲଗାଯାଇଛି। ଏଣିକି କୌଣସି ସଂଗଠନ, ଗ୍ରୁପ୍‌, ରାଜନୈତିକ ଦଳ, ଏକାଧିକ ଲୋକ ବିକ୍ଷୋଭ କି ଧାରଣା କରିପାରିବେନି। ଯଦି କେହି କରୁଥିବାର ଦେଖାଯାଏ ତେବେ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁ ଅଞ୍ଚଳରେ ବିକ୍ଷୋଭ/ଧାରଣା ହେଉଥିବ ସେଠାକାର ସ୍ଥାନୀୟ ଥାନାଧିକାରୀ କାହାର ଅଭିଯୋଗକୁ ଅପେକ୍ଷା ନକରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ। ଆଜି ବିଏମ୍‌ସି କମିସନର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ନିକଟରେ କିଛି ରାଜନୈତିକ ଦଳ, ସଂଗଠନ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସର୍ବସାଧାରଣ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ଥାନାରେ ୫ଟି ଏଫ୍‌ଆଇଆର୍‌ ହୋଇଥିଲା। ପୂର୍ବରୁ ୭ଜଣ ଲୋକ ଏକାଠି ହୋଇ ପ୍ରତିବାଦ କରିବାର ନିୟମ ଥିଲା। କିନ୍ତୁ ବହୁ ଲୋକ ଏକାଠି ହେଉଥିବାରୁ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରହୁନଥିବା ଦେଖିବାକୁ ମିଳିଛି। ତେଣୁ ସର୍ବସାଧାରଣଙ୍କ ସୁରକ୍ଷା ନିମନ୍ତେ ଆସନ୍ତା ନିର୍ଦ୍ଦେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ କେହିବି କୌଣସି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିପାରିବେନି କି ଧାରଣା ଦେଇପାରିବେନି।

ସମ୍ବନ୍ଧିତ ଖବର