କଳିଙ୍ଗ ଷ୍ଟାଡିୟମ କଡ଼ରେ ଉଚ୍ଛେଦକୁ ବିରୋଧ

ଠେଙ୍ଗା, ପଥର ଧରି ୫ଘଣ୍ଟା ଜଗିଲେ ସ୍ଥାନୀୟ ବାସିନ୍ଦା, ପାଚେରି ଭାଙ୍ଗିବାରୁ ଉଚ୍ଛେଦକାରୀ ଓ ପୁଲିସକୁ ପଥର ମାଡ଼

ଭୁବନେଶ୍ବର : ନୂଆପଲ୍ଲୀ ୩୭ ନମ୍ବର ଵାର୍ଡସ୍ଥିତ ଶବରସାହି ଖେଳପଡ଼ିଆ ଓ ମଶାଣିକୁ କଳିଙ୍ଗ ଷ୍ଟାଡିୟମ୍‌ରେ ମିଶାଇ ଦିଆଯିବ। ଆଗକୁ ହକି ବିଶ୍ବକପ୍ ଆସୁଥିବାରୁ ଷ୍ଟାଡିୟମ୍‌ର ଯେଉଁ ଜାଗା ସବୁ ଜବରଦଖଲ ରହିଛି, ତା’କୁ ଉଚ୍ଛେଦ କରାଯାଇ ଷ୍ଟାଡିୟମ୍‌ ଅଧୀନରେ ରଖାଯିବ। ସେଥିପାଇଁ କଳିଙ୍ଗ ଷ୍ଟାଡିୟମ୍ କର୍ତୃପକ୍ଷ ଶୁକ୍ରବାର ସ୍ଥାନୀୟ ନୂଆପଲ୍ଲୀ ପୁଲିସ ସହଯୋଗରେ ଉଭୟ ମଶାଣି ଓ ଖେଳପଡ଼ିଆର ପାଚେରି ଭାଙ୍ଗିବାକୁ ଯାଇ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଲୋକେ ପଥର ଫିଙ୍ଗିବା ସହ ଠେଙ୍ଗାବାଡ଼ି ଧରି ଜୋରଦାର୍ ବିରୋଧ କରିଛନ୍ତି। ଖାଲି ଏତିକି ନୁହେଁ; ଶତାଧିକ ମହିଳା, ପୁରୁଷ ପୁଲିସ ଓ ଉଚ୍ଛେଦକାରୀ ଟିମ୍‌କୁ ପ୍ରାୟ ୫ ଘଣ୍ଟା କାଳ ଜଗି ରହିବା ଫଳରେ ଶେଷରେ ଉଚ୍ଛେଦକୁ ସ୍ଥଗିତ ରଖାଯାଇଛି।

ଶୁକ୍ରବାର ସକାଳୁ ସକାଳୁ ଉଚ୍ଛେଦ ଟିମ୍ ଏଠାରେ ପହଞ୍ଚିବା ଖବର ପାଇ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ବିରୋଧ କରିଥିଲେ। ଉତ୍ତ୍ୟକ୍ତ ଜନତା ପୁଲିସ୍ ଉପରକୁ ଓ ଷ୍ଟାଡିୟମ୍ କର୍ତ୍ତୃପକ୍ଷଙ୍କୁ ଟେକା, ପଥର ଫୋପାଡ଼ିଥିଲେ। ଖବର ପାଇ ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ, ଜୋନ୍-୫ ଏସିପି ଅନୀଲ କୁମାର ମିଶ୍ର, ନୂଆପଲ୍ଲୀ ଆଇଆଇସି ଶରତ କୁମାର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ସେମାନଙ୍କ ଅଭିଯୋଗକୁ ଲିଖିତ ଆକାରରେ ବିଭାଗୀୟ ଅଧିକାରୀଙ୍କ ସମେତ ଡିସିପି ଓ ବିଭିନ୍ନ ବିଭାଗକୁ ଦେବାକୁ କହିଥିଲେ। ନୂଆପଲ୍ଲୀର ବରିଷ୍ଠ ନାଗରିକ ଓ ସ୍ଥାନୀୟ ବାସିନ୍ଦା ଘଟଣା ସଂପର୍କରେ ଲିଖିତ ଆକାରରେ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହିତ ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ନିବେଦନ କରିଛନ୍ତି। ତେବେ ଏହି ଖେଳପଡ଼ିଆ ଓ ଶ୍ମଶାନକୁ ନେଇ କଳିଙ୍ଗ ଷ୍ଟାଡିୟମ୍ କ’ଣ କରିବ ସେନେଇ କିଛି ସୂଚନା ମିଳିନାହିଁ। ଏହା ହେଉଛି କଳିଙ୍ଗ ଷ୍ଟାଡିୟମ୍‌ର ଜାଗା ଓ ଏହାକୁ ନେଇ ପାରିପାର୍ଶ୍ବିକ ସ୍ଥିତିର ଉନ୍ନତୀକରଣ କରାଯିବ ବୋଲି କୁହାଯାଉଛି। ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏହି ଜାଗାକୁ ନେଇ କର୍ତ୍ତୃପକ୍ଷ କୋଠା ଓ ପାର୍କିଂ ପାଇଁ ବ୍ୟବହାର କରିବେ। ମାତ୍ର ଏହି ଜାଗାକୁ ଆମ ଗାଁ ଶ୍ମଶାନ ଓ ଖେଳପଡ଼ିଆ ପାଇଁ ଦିଆଯାଇଥିବାରୁ ଆମେ ଏହା କସ୍ମିନ କାଳେ କରାଇଦେବୁ ନାହିଁ ବୋଲି ସେମାନେ କହିଛନ୍ତି।

ଏଇଠୁ ଚନ୍ଦନ ଆରମ୍ଭ କରିଥିଲେ ଫୁଟବଲ୍ ଖେଳ:
୧୫ ବର୍ଷରୁ କମ୍ ଜାତୀୟ ଦଳର ସଦସ୍ୟ ଚନ୍ଦନ ନାୟକଙ୍କ ଘର ହେଉଛି ନୂଆପଲ୍ଲୀ ଶବରସାହିରେ। ସେ ଏହି ଶବରସାହି ପଡ଼ିଆରୁ ଫୁଟବଲ୍‌ ଖେଳ ଆରମ୍ଭ କରି ଜର୍ମାନି ଯାତ୍ରା କରିଥିଲେ। ଜର୍ମାନି ପ୍ରସିଦ୍ଧ ଫୁଟ୍‌ବଲ୍ କ୍ଲବ୍ ବାୟର୍ନ ମ୍ୟୁନିକ୍ ପକ୍ଷରୁ ଖେଳି ସେ ଇତିହାସ ରଚିଥିଲେ। ସେ ବର୍ତ୍ତମାନ ଜଣେ ଚମତ୍କାର ମିଡ୍‌ଫିଲ୍ଡର ଭାବେ ଭାରତର ୧୫ବର୍ଷରୁ କମ୍ ଜାତୀୟ ଦଳର ସଦସ୍ୟ। ଚନ୍ଦନକୁ ଦେଖି କେବଳ ଶବରସାହି ନୁହେଁ; ଆଖପାଖ ମୁଣ୍ଡାସାହି, ଭୋଇସାହିର ପିଲମାନେ ମଧ୍ୟ ଫୁଟ୍‌ବଲ୍ ପ୍ରତି ଆଗ୍ରହ ବଢ଼ାଇଛନ୍ତି। ଭାରତ ପାଇଁ ଖେଳିବାକୁ ସ୍ବପ୍ନ ଦେଖୁଛନ୍ତି। ଆଜି ଯେତେବେଳେ ଏଠାରେ ଉଚ୍ଛେଦ ଅଭିଯାନ ଚାଲିଥିଲା ସାହିର ପିଲାମାନେ ଏକତ୍ରିତ ହୋଇ ଫୁଟ୍‌ବଲ୍ ଖେଳୁଥିଲେ। ଖେଳ ପାଇଁ ପାଟିରେ କହି କହି ଥକିଯିବା ପରେ ଏହି କୁନିପିଲାମାନେ ସତେ ଯେମିତି ଫୁଟ୍‌ବଲ୍‌କୁ ବିରୋଧର ମାଧ୍ୟମ ଭାବେ ପ୍ରଦର୍ଶନ କରିଥିଲେ।

ଶବରସାହିର ଫୁଟ୍‌ବଲ୍‌ର ପରମ୍ପରା ବୁଡ଼ିଯିବ
ଭୁବନେଶ୍ବରରେ ଥିବା କଳିଙ୍ଗ ଷ୍ଟାଡିୟମ୍ ହେଉ ବା କୌଣସି ଖେଳ ପଡ଼ିଆ, ସବୁଠି ପ୍ରତିବନ୍ଧକ ଲଗାଯାଇଛି। ବିଦ୍ୟାଳୟଗୁଡ଼ିକ ସେମାନଙ୍କ ନିଜସ୍ବ ସଂପତ୍ତି ଭଳି ସ୍କୁଲ ସମୟ ସରିବା ପରେ ଗେଟ୍ ତାଲା ପକାଉଛନ୍ତି। ଅନେକ ଜାଗାରେ ଗାଡ଼ି ପାର୍କିଂ ଥିବା କହି ଲୋକେ ପିଲାଙ୍କୁ ଖେଳିବାକୁ ଦେଉନାହାନ୍ତି। ଦିଲ୍ଲୀ ହାଇକୋର୍ଟର ରାଇଟ୍ ଟୁ ପ୍ଲେ ନିୟମ ଅନୁସାରେ ସବୁ ପଡ଼ିଆକୁ ସକାଳେ ୨ ଘଣ୍ଟା ଓ ସନ୍ଧ୍ୟାରେ ୨ ଘଣ୍ଟା ସାଧାରଣ ଲୋକଙ୍କ ଖେଳିବା ପାଇଁ ଛାଡ଼ିବା ଉଚିତ। ମାତ୍ର କଳିଙ୍ଗ ଷ୍ଟାଡିୟମ୍‌ରେ ସେଭଳି ହେଉନାହିଁ। ଅପରପକ୍ଷରେ ଯେଉଁ ପଡ଼ିଆ ସାଧାରଣ ଲୋକଙ୍କ ପାଇଁ ରହିଛି ତା’କୁ ଅକ୍ତିଆର କରି ପିଲାଙ୍କୁ ଖେଳିବାରୁ ବଞ୍ଚିତ କରୁଛନ୍ତି। ନୂଆପଲ୍ଲୀର ବେହେରାସାହି, ମୁଣ୍ଡାସାହି ଓ ଶବରସାହିର ପିଲାମାନେ ଉକ୍ତ ଷ୍ଟାଡିୟମ୍‌ରେ ଫୁଟବଲ୍ ଖେଳନ୍ତି। ଶବରସାହିରୁ ଚନ୍ଦନ ଭଳିଆ ପିଲା ଦେଶ ବାହାରକୁ ଯାଇ ଅନେକ ପିଲାଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ସେହିମାନଙ୍କୁ ଦେଖି ସାଲିଆସାହିର ଆଜି ୩୦୦ରୁ ଅଧିକ ଛୋଟ ପିଲା ଖେଳରେ ମନୋନିବେଶ କରୁଛନ୍ତି।
ଜୟଦେବ ମହାପାତ୍ର,
ଆର୍ଡୋର୍ ଫୁଟ୍‌ବଲ୍ ଏକାଡେମିର ପ୍ରଶିକ୍ଷକ

ସମ୍ବନ୍ଧିତ ଖବର