ଟ୍ରମ୍ପଙ୍କ ଭାରତଗସ୍ତକୁ ଭୁବନେଶ୍ବରରେ ବିରୋଧ

ଭୁବନେଶ୍ବର: ଭାରତର ଗରିବ ଜନସାଧାରଣଙ୍କ ଅର୍ଥରୁ ତଥା ରାଜକୋଷରୁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରି ମୋଦି ସରକାର ଆମେରିକା ରା‌ଷ୍ଟ୍ରପତି ଡୋନ‌ାଲ୍ଡ ଟ୍ରମ୍ପଙ୍କୁ ଯେଉଁ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି ତାକୁ ବିରୋଧ କରି ଆଜି ଏସ୍‌ୟୁସିଆଇ (କମ୍ପ୍ୟୁନିଷ୍ଟ) ପକ୍ଷରୁ ‌ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ କରାଯାଇଛି।

ଏଥିପାଇଁ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ଭୁବନେଶ୍ବର ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍‌ଠାରେ ଆଜି ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଭାରତକୁ ବିକାଶଶୀଳ ଦେଶମାନଙ୍କ ତାଲିକାରୁ ବାଦ୍‌ ଦେଇ ବିକଶିତ ରାଷ୍ଟ୍ର ତାଲିକାରେ ଭର୍ତ୍ତି କରିବା ଫଳରେ ଭାରତ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହେବା, ଇରାକ୍‌ ଉପରେ ଆକ୍ରମଣ କରି ହଜାର ହଜାର ଲୋକଙ୍କୁ ହତ୍ୟା କରିବା, ଆମେରିକା ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ଯୁଦ୍ଧ ଘାଟି ପ୍ରତିଷ୍ଠା କରି ଆତଙ୍କ ସୃଷ୍ଟି କରିବା ଆଦି କାରଣରୁ ଟ୍ରମ୍ପଙ୍କୁ ବିରୋଧ କରାଯାଉଥିବା ସଂଗଠନ ପକ୍ଷରୁ କୁହାଯାଇଛି। ଏହି ପ୍ରତିବାଦ ସଭାରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ)ର ଭୁବନେଶ୍ବର ସମ୍ପାଦକ କମ୍ରେଡ ପୂର୍ଣ୍ଣଚନ୍ଦ୍ର ବେହେରା, ସଂଗଠକ ରାଜେନ୍ଦ୍ର ଶର୍ମା, ସନ୍ତୋଷ ରଥ, ନିରଞ୍ଜନ ମହାନ୍ତି, ନସିମ ସରକାର, ପ୍ରଭାମଞ୍ଜରୀ ବ୍ରହ୍ମ ଓ ବିଜୟାଲକ୍ଷ୍ମୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆମେରିକାର ସାମ୍ରାଜ୍ୟବାଦୀ ନୀତିକୁ ଦୃଢ଼ ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର