ଆନ୍ଦୋଳନକାରୀଙ୍କ କବ୍‌ଜାରେ ରାଜରାସ୍ତା, ବିନା ଅନୁମତିରେ କେମିତି କଲେ ବିକ୍ଷୋଭ?

ଓଡ଼ିଶାରେ ମଦ ବନ୍ଦ ଦାବିରେ ଓଡ଼ିଶା ନିଶା ନିବାରଣ ଅଭିଯାନ ଏବଂ ନିଯୁକ୍ତି ଦାବିରେ ବିଜେପି ଯୁବ‌େମାର୍ଚ୍ଚା ଆଜି ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଦୁଇ ସଂଗଠନର ଆନ୍ଦୋଳନ ଆଜି ରାଜଧାନୀକୁ ପୂରା ଠପ୍ କରି ଦେଇଥିଲା। ଜାତୀୟ ରାଜପଥରୁ ଆରମ୍ଭ କରି ଜନପଥ, ସଚିବାଳୟ ମାର୍ଗ, ବିଦ୍ୟୁତ ମାର୍ଗ, ପଳାସପଲ୍ଲୀରୁ ନବୀନ ନିବ‌ାସ ପର୍ଯ୍ୟନ୍ତ ସବୁଠି ଆନ୍ଦୋଳନକାରୀ ଖେଦି ଯାଇଥିଲେ। ପୁଲିସ କାହାକୁ କେମିତି ଅଟକାଇବ କିଛି ଜାଣିପାରି ନଥିଲା। ରାସ୍ତା ଉପରେ ଲୋକ ଘଣ୍ଟା ଘଣ୍ଟା ଧରି ଅଟକି ରହିଲେ। ପୁଲିସର ଟ୍ରାଫିକ ପରିଚାଳନାରେ ଅପାରଗତା ଯୋଗୁଁ ସାଧାରଣ ଲୋକ ଦହଗଞ୍ଜ ବି ହେଲେ। ବିକ୍ଷୋଭକାରୀ ବି ନବୀନ ନିବାସ ସମ୍ମୁଖରେ ଧାରଣା ଦେଲେ ଆଉ ଲୋୟର ପିଏମ୍‌ଜିରେ ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ। ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ରାଜଧାନୀ ଏକରକମ ବିକ୍ଷୋଭକାରୀଙ୍କ କବ୍‌ଜାରେ ରହିଯାଇଥିଲା।

ବିନା ଅନୁମତିରେ କେମିତି କଲେ ବିକ୍ଷୋଭ?
ପୁଲିସର ବିନା ଅନୁମତିରେ ଆଜି ବିଜେପି ଯୁବମୋର୍ଚା ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ମିଳିଛି। ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ସୂଚନା ଅନୁସାରେ, ବିଜେପି ଯୁବମୋର୍ଚା ପକ୍ଷରୁ ହଠାତ୍ ଗତକାଲି ସଂଧ୍ୟାରେ ବିଧାନସଭାକୁ ୩ ପଟୁ ଘେରାଉ କରିବା ପାଇଁ ଅନୁମତି ମଗା ଯାଇଥିଲା। ସେସବୁ ୧୪୪ଧାରା ଅଞ୍ଚଳ ହୋଇଥିବାରୁ କମିସନରେଟ୍ ପୁଲିସ ପକ୍ଷରୁ ଏଥିପାଇଁ ଅନୁମତି ଦିଆଯାଇ ନ ଥିଲା। ହେଲେ ଏହାକୁ ଅମାନ୍ୟ କରି ବିଜେପି ଯୁବମୋର୍ଚା ୩ ପଟୁ ବିଧାନସଭାକୁ ଘେରାଉ କରିବାକୁ ବିଭିନ୍ନ ଛକରୁ ବାହରିଥିଲେ। ଅନୁମତି ବିନା ଏଭଳି ବିକ୍ଷୋଭ ବା ଶୋଭାଯାତ୍ରା ‌କରାଯାଇଥିବାରୁ ସେମାନଙ୍କ ବିରୋଧରେ କମିସନରେଟ ପୁଲିସର ଓୟୁଏପି ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏଥିପାଇଁ ବିଧାନସଭାକୁ ସଂଯୋଗ କରୁଥିବା ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ତେବେ ବିନା ଅନୁମତିରେ କିଭଳି ହଜାର ହଜାର ବିକ୍ଷୋଭକାରୀ ଶୋଭାଯାତ୍ରାରେ ଗଲେ ଓ ପୁଲିସ ସହିତ ଧସ୍ତାଧସ୍ତି କଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପାଣି ପାଉଚ୍ ବର୍ଷା, ଟେକା, ଟମାଟୋ ମାଡ଼
ବିଜେପି ଯୁବ‌ମୋର୍ଚ୍ଚା ପକ୍ଷରୁ ଆଜି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ବିକ୍ଷୋଭକାରୀ ଅଶୋଭନୀୟ ଆଚରଣ କରିଛନ୍ତି। ପୁଲିସ୍ ଉପରକୁ ପାଣି ପାଉଚ୍‌ଠାରୁ ଆରମ୍ଭ କରି ଟେକା, ପାଣି ବୋତଲ, ଚପଲ ଓ ଟମାଟୋ ମାଡ଼ ହୋଇଛି। ପୁଲିସ ସହିତ ଧସ୍ତାଧସ୍ତି ହେବା ସମୟରୁ ହିଁ ପାଣି ପାଉଚ୍ ମାଡ଼ ଆରମ୍ଭ ହୋଇଯାଇଥିଲା। ପୁଲିସଠାରୁ ଆରମ୍ଭ କରି ସାମ୍ବାଦିକଙ୍କ ଦେହରେ ପାଣି ପାଉଚ୍ ବାଜିଥିଲା। ଟମାଟୋ ମାଡ଼ରେ କିଛି ପୁଲିସ ଅଧିକାରୀଙ୍କ ପୋଷାକ ରଂଗିନ ହୋଇଯାଇଥିଲା। ମାତ୍ର ବିକ୍ଷୋଭକାରୀଙ୍କ ପଟୁ ଟେକା ମାଡ଼ କରାଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକଙ୍କ ମୁହଁରେ ଟେକା ବାଜିଥିଲା। ଆନ୍ଦୋଳନ ଶେ‌ଷ ହେବା ପର୍ଯ୍ୟନ୍ତ ଏହା ଜାରି ରହିଥିଲା

ଅଧେ ଲଢ଼ିଲେ, ଅଧେ ଦେଖିଲେ
ବିଜେପି ଯୁବମୋର୍ଚା ଡାକରାରେ ଆଜି ହଜାର ହଜାର ଯୁବକ ଲୋୟର ପିଏମ୍‌ଜିରେ ଏକାଠି ହୋଇଥିଲେ। ହେଲେ ବ୍ୟାରିକେଡ୍ ସାମ୍ନାକୁ ଯେତିକି ବିକ୍ଷୋଭକାରୀ ଯାଇଥିଲେ, ସେଥିରୁ ଅନେକ ବିକ୍ଷୋଭକାରୀ ଦୂରରେ ରହି ଏହି ଦୃଶ୍ୟକୁ ଉପଭୋଗ କରିଥିଲେ। ବ୍ୟାରିକେଡ୍ ସାମ୍ନାରେ ଲଢ଼ୁଥିବା ବିକ୍ଷୋଭକାରୀଙ୍କୁ ଗିରଫ କରିବା ପାଇଁ ଗୋଡ଼ାଇବା ସମୟରେ ଦୂରରେ ଥାଇ ଏହାକୁ ଦେଖୁଥିବା ବିକ୍ଷୋଭକାରୀ ମଧ୍ୟ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା‌। ପାର୍ଟି କାର୍ଯ୍ୟାଳୟକୁ ଫେରି ଯିବାକୁ ପୁଲିସ ବାରମ୍ବାର କହିଥିଲେ ହେଁ ସେମାନେ ଶୁଣି ନଥିଲେ କି ଆନ୍ଦୋଳନ କରିବାକୁ ଆସି ନ ଥିଲେ।

ଜନପଥ ରାସ୍ତା ଜାମ୍
ବିଜେପି ଯୁବମୋର୍ଚା ପକ୍ଷରୁ ପାର୍ଟି କାର୍ଯ୍ୟାଳୟରୁ ବାହାରିଥିବା ଶୋଭାଯାତ୍ରା ଜନପଥକୁ କବ୍‌ଜା କରି ଦେଇଥିଲା। ଜନପଥ ସଂପୂର୍ଣ୍ଣ ଜାମ୍ ହୋଇ ଯାଇଥିଲା। ରାମ ମନ୍ଦିର ପଛପଟ ରାସ୍ତାରେ ଶହ ଶହ ଗାଡ଼ି ଚଳାଚଳ କରିବାରୁ ସେଠାରେ ମଧ୍ୟ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ଜନସାଧାରଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।

ଚର୍ଚାରେ ନମୋ ଏଗେନ୍ ଟି-ସାର୍ଟ

ଆଜି ବିକ୍ଷୋଭରେ ଅନେକ ବିକ୍ଷୋଭକାରୀ ନମୋ-ଏଗେନ୍ ଓ ଧର୍ମେନ୍ଦ୍ରଙ୍କ ଫଟୋ ଲାଗିଥିବା ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଗାଢ଼ ନାଲି ରଂଗର ଟି-ସାର୍ଟରେ ‘ନମୋ ଏଗେନ୍’ ଲେଖା ହୋଇଥିବା ବେଳେ ଧଳାରଂଗର ଟି-ସାର୍ଟରେ ଧର୍ମେନ୍ଦ୍ରଙ୍କ ଫଟୋ ଲାଗିଥିଲା। ଜାତୀୟସ୍ତରରେ ‘ନମୋ ଏଗେନ୍’ ଟି-ସାର୍ଟ ଚର୍ଚାରେ ଥିବା ବେଳେ ରାଜଧାନୀରେ ମଧ୍ୟ ଏହା ଚର୍ଚାକୁ ଆସିଛି।

ସମ୍ବନ୍ଧିତ ଖବର