ଭୋକିଲା ପେଟକୁ ହାଡ଼ଭଙ୍ଗା ଶୀତ

ମଧ୍ୟରାତ୍ରିରେ ଲୋୟର୍‌ ପିଏମ୍‌ଜିରୁ...

ଗଛମୂଳ ପାଲଟିଛି ମହିଳାଙ୍କ ଆଶ୍ରୟ

ଭୁବନେଶ୍ୱର : ଭୋକିଲା ପେଟ। ତା ସାଙ୍ଗକୁ ହାଡ଼ଭଙ୍ଗା ଶୀତ। ଛାତି ଥରାଇ ଦେଉଛି। ଥର ଥର ହୋଇ ଓଠ ଓ ଦାନ୍ତ ଆପେ ଆପେ ଚାପି ହୋଇଯାଉଛି। ତଳ କାଲୁଆକୁ ଉପର କାଲୁଆ। ସେଥିକୁ ପୁଣି କାକର ଦାଉ ସାଧୁଛି। ଗଛମୂଳ ଟିକିଏ ଭରସା। କିନ୍ତୁ ଏତେ ଲୋକଙ୍କ ପାଇଁ ଗଛ କାହିଁ! ତେଣୁ ମୁକୁଳା ଆକାଶ ତଳେ ରାସ୍ତାକଡ଼ରେ ଶୋଇବାକୁ ପଡ଼ୁଛି। ଜାକିଜୁକି ହୋଇ ଶୋଇଲେ ବି ତ୍ରାହି ନାହିଁ। ରାତି ବଢ଼ିଲେ ଶୀତର ତାତି ବଢ଼ୁଛି। ମଝିରେ ମଝିରେ ଥଣ୍ଡା ପବନ ମାନମୁଣ୍ଡା ଝାଇଁ ଝାଇଁ କରି ଦେଉଛି। ନିସ୍ତାର ନାହିଁ କେଉଁ ଦିଗରୁ। ତଥାପି ମନ ବୁଝୁନି। କାଳେ ସରକାର ଶୁଣିବେ। ଏମିତି ଆଶା ନେଇ ପଡ଼ିରହିଛନ୍ତି ହଜାର ହଜାର ମହିଳା ଲୋୟର ପିଏମ୍‌ଜିରେ। ହକ୍‌ ପାଇଁ, ପେଟ ପାଇଁ ଏହି ଲଢ଼େଇ ଆଗରେ ହାଡ଼ଭଙ୍ଗା ଶୀତ ପାଲଟି ଯାଇଛି ତୁଚ୍ଛ। ସେମାନଙ୍କୁ ଏଭଳି ଏକ ଶୀତୁଆ ରାତିରେ ଭେଟିଥିଲା ସମ୍ବାଦ ଟିମ୍‌।

କାଠିକୁଟା ଅଳିଆ ନିଅାଁ ପାଇଁ ତ୍ରାହି

କିଛି ବାଟରେ ଦେଖିଲୁ ଦୁଇ ଚାରି ଜଣ ମହିଳା ଅଳିଆ ଜାଳି ନିଅାଁ ପୋଉଁଛନ୍ତି। କାହିଁକି ଶୋଇନ ବୋଲି ପଚାରିବାରୁ ସେମାନେ କାନ୍ଦ କାନ୍ଦ ହୋଇଗଲେ। ଶୋଇବା ପାଇଁ ତଳେ କିଛି ପକାଇବାକୁ ନଥିବାରୁ ସେମାନେ ଏମିତି ବସି ବସି ରାତି କାଟିବେ ବୋଲି କହିଲେ। ସରକାରଙ୍କୁ କଡ଼ା ସମାଲୋଚନା କରି କଟକରୁ ଆସିଥିବା ମିନତି ଜେନା କହିଲେ, ସରକାର ଶୀତତାପ ନିୟନ୍ତ୍ରିତ ଘରେ ଉଷୁମୁରେ ଶୋଇଥିବେ। ମାତ୍ର ତାଙ୍କ ରାଜ୍ୟର ମା’ ମାଉସୀମାନେ କେମିତି ରାଜରାସ୍ତାରେ ସଢ଼ୁଛନ୍ତି, ସେମାନେ ଦେଖିପାରୁନାହାନ୍ତି। ବାବୁ, ଏଠି ବୁଲା କୁକୁର, ବୁଲା ଗାଇଗୋରୁ ବୁଲୁଛନ୍ତି, କୁଢ଼ କୁଢ଼ ଅଳିଆ ଆବର୍ଜନା ପଢ଼ିଛି, ପରିସ୍ରା ଗନ୍ଧରେ ନାକ ଫାଟି ପଡ଼ୁଛି, କେମିତି ନିଦ ହେବ ବୋଲି ପାଲଟା ପ୍ରଶ୍ନ କଲେ କେନ୍ଦ୍ରାପଡ଼ାରୁ ଆସିଥିବା ସୁକାନ୍ତି ଦାସ। ଏଇ ହେଉଛି ନବୀନ ସରକାରର ମା’ଙ୍କ ପ୍ରତି ସମ୍ମାନ ବୋଲି ସେ ମୁହଁ ମୋଡ଼ି ଛିଗୁଲେଇ ହୋଇକହିଲେ। ଏତେ କଷ୍ଟ ପାଇଲାଣୁ ଯେତେବେଳେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଉଠିବୁନି ବୋଲି ସେ କଡ଼ା ଭାଷାରେ ଜଣାଇ ଦେଇଥିଲେ। ଆସନ୍ତାକାଲି ସରକାର ତାଙ୍କ ଦାବି ଉପରେ କିଛି କରିବେ ବୋଲି ଆଶା କରାଯାଉଛି। ତେଣୁ ବହୁ ଭରସା କରି ଅପେକ୍ଷା କରିଛୁ ବୋଲି ସେମାନେ କହିଥିଲେ।

ବୁଟ ମଟର ସିଝାରେ ରାତି ଭୋଜନ

ସୋମବାର ରାତି ୧୧ଟା। ଲୋୟର ପିଏମ୍‌ଜିରେ ପହଞ୍ଚିଥିଲା ସମ୍ବାଦ ଟିମ୍‌। ରାଜ୍ୟ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପାଚିକା ସଂଘର ହଜାର ହଜାର ମହିଳା ରାସ୍ତା କଡ଼ରେ ଶୋଇଥିଲେ ଜାକିଜୁକି ହୋଇ। ଅଧାରୁ ଅଧିକ ମହିଳାଙ୍କ ଆଖିରେ ନିଦ ନଥିଲା। ଅତିଶୟ ଥଣ୍ଡାରେ ସେମାନେ ଶୋଇ ପାରି ନଥିଲେ। ତେଣୁ ମୁହଁକୁ ଆଣ୍ଠୁ ଭିତରେ ଜାକି ବସି ରହିଥିଲେ। କିଛି କିଛି ମହିଳା କାଠିକୁଟା ଗୋଟାଇ ନିଅାଁ ଜାଳି ବସିଥିଲେ। ହାତ ମୁହଁ ସେକି ହେଉଥିଲେ। ସେମାନଙ୍କ ଭିତରେ ବହୁସଂଖ୍ୟାରେ ବୟସ୍କ ମହିଳା ଥିଲେ। କେତେଜଣ ଛୋଟି ପିଲାଙ୍କୁ କୋଳରେ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଥିଲା। କାହାରି ଦେହରେ ନଥିଲା ଖଣ୍ଡେ ଭଲ ଚଦର। ମାସିକ ହଜାରେ ଟଙ୍କାରେ ଖଟୁଥିବା ଏହି ଗରିବ ମହିଳାମାନେ ଭଲ ଚଦର ବା ପାଆନ୍ତେ କୁଆଡ଼ୁ ବୋଲି କହିଲେ ନୟାଗଡ଼ରୁ ଆସିଥିବା ସୁଲୋଚନା ଦେଇ। କନ୍ଧମାଳରୁ ଆସିଥିବା ସାବିତ୍ରୀ ପ୍ରଧାନଙ୍କ କହିବା କଥା ଖିଆପିଆ ଠିକ୍‌ ନାହିଁ। ଦିନରେ ଗଣ୍ଡେ ହୋଟେଲରେ ଖାଇଥିଲୁ। ପଇସା ଅଭାବରୁ ରାତିରେ ବୁଟ ମଟର ସିଝା ଖାଇ କାମ ଚଳେଇ ନେଉଛୁ। ୪ ଦିନ ହେଲା ଏମିତି ଚାଲିଛି। ସାଙ୍ଗରେ ଘରୁ ଆଣିଥିବା ଚୁଡ଼ା ମୁଢ଼ି ସରିଗଲାଣି। ତେଣୁ ଭୋକିଲା ପେଟରେ ରାତି କାଟିବାକୁ ପଡ଼ୁଛି। ଫଳରେ ଶୀତ ଅଧିକ ଦାଉ ସାଧୁଛି। ଗାଧୁଆ ପାଧୁଆ ଓ ଶୌଚ ପାଇଁ ବହୁ ଅସୁବିଧା ହେଉଛି।

ଗ୍ରିନ୍‌ କାର୍ଡଧାରୀ ମହିଳା ଓ ଗୃହରକ୍ଷୀ ସଂଘ

ସମାନ ଅବସ୍ଥା ଦେଖିବାକୁ ମିଳିଲା ଧାରଣାରତ ଗ୍ରିନ୍‌ କାର୍ଡଧାରୀ ମହିଳା ସଂଘ ଓ ରାଜ୍ୟ ଗୃହରକ୍ଷୀ ସଂଘ ନିକଟରେ। ସବୁଜପତ୍ରିକା ଧାରୀ ଶତାଧିକ ମହିଳା ବି ଖୋଲା ଆକାଶ ତଳେ ପଡ଼ିଥିଲେ ଶୀତରେ ଥରିଥରି। କେହି ସରକାରକୁ ଗାଳି କରୁଥିଲା ତ କେହି ମନରେ ଆଶା ବାନ୍ଧି ବସିଥିଲା। ସେମାନଙ୍କ ହକ୍‌ ପାଇଁ ସେମାନେ ଏମିତି ଶୀତକୁ ସହିବେ ପଛେ ଧାରଣାରୁ ହଟିବେ ନାହିଁ ବୋଲି ଜିଦ୍‌ ଧରି ବସିଥିଲେ।

ରାଜଧାନୀରେ ହଜିଗଲେ ରେବତୀ

ଧାରଣାସ୍ଥଳରେ ହଜି ଯାଇଛନ୍ତି ରେବତୀ ନାଗ। ବୌଦ୍ଧ ଜିଲ୍ଲା ଆମ୍ବଗାଁରୁ ପାଚିକା ସଂଘରେ ଆସିଥିବା ରେବତୀ ଆଜି ସନ୍ଧ୍ୟାରୁ କେଉଁ ଆଡ଼େ ହଜି ଯାଇଛନ୍ତି। ସ୍ୱାମୀ ତପ୍ତେଶ୍ୱର ନାଗ ଓ ତାଙ୍କ ସାଥୀମାନେ ଖୋଜି ଖୋଜି ନୟାନ୍ତ ହେଲେଣି। ମୋବାଇଲ୍‌ ଫୋନ୍‌ ବନ୍ଦ। ବିଚାରୀ ଗାଉଁଲି ମହିଳା ରେବତୀ ରାଜଧାନୀରେ କେଉଁଠି ବାଟବଣା ହେଲେ କିଛି ଜଣାପଡ଼ିନି। ପୁଲିସର ସହାୟତା ନେଇଛନ୍ତି, ହେଲେ କିଛି ଫଳ ମିଳି ନଥିଲା। ରେବତୀ ପାଇଁ ପାଗଳ ପ୍ରାୟ ହୋଇ ଯାଇଥିଲେ ସ୍ୱାମୀ ତପ୍ତେଶ୍ୱର।

ସମ୍ବନ୍ଧିତ ଖବର