ଭୁବନେଶ୍ବର: ଦୁର୍ଗାପୂଜା ସମୟରେ ବାଂଲାଦେଶରେ ଦୁର୍ଗାପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ଭଙ୍ଗାରୁଜା ସହ ହିନ୍ଦୁମନ୍ଦିରରେ ଭଙ୍ଗାରୁଜା ଘଟଣାକୁ ବିଶ୍ବବ୍ୟାପୀ ବିଭିନ୍ନ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଦୁର୍ବୃତ୍ତମାନେ ସେଠାକାର ଇସ୍କନ ମନ୍ଦିରରେ ପୂଜ୍ୟ ପ୍ରଭୁପାଦଙ୍କ ମୂର୍ତ୍ତି ଭାଙ୍ଗିବା ସହ ଧର୍ମଗ୍ରନ୍ଥ ପୋଡ଼ିଥିଲେ। ଏହାସହ ଦୁଇଜଣଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା। ଗତ ୧୫ ତାରିଖରେ ନୂଆଖାଲିର ଚଉମୁହାଣିଠାରେ ହିନ୍ଦୁ ମନ୍ଦିରରେ ଆକ୍ରମଣ କରାଯାଇଥିବା ବେଳେ ୨ଜଣଙ୍କୁ ହତ୍ୟା କରାଯାଇଥିଲା। ରଙ୍ଗପୁରର ପୀରଗଞ୍ଜ ଉପଜିଲ୍ଲାଠାରେ ୨୦ ହିନ୍ଦୁଙ୍କ ଘର ଜାଳି ଦିଆଯାଇଥିଲା। ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ସେଠାକାର ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଆଜି ଭୁବନେଶ୍ବରସ୍ଥିତ ଇସ୍କନ୍ ମନ୍ଦିର ପକ୍ଷରୁ ମହମବତି ଶୋଭାଯାତ୍ରା ଓ କୀର୍ତ୍ତନ କରାଯାଇଥିଲା। ମନ୍ଦିର ସଭାପତି ଉପେନ୍ଦ୍ର ମିଶ୍ର ଦାସ, ଶ୍ବେତପତି ଦାସ, ବରିଷ୍ଠ ଭକ୍ତ ଆତ୍ମାରାମ ଦାସ, ମଦନମୋହନ ଦାସ ପ୍ରମୁଖଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବହୁ ମହିଳା ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇ ଘଟଣାର ତୀବ୍ର ନିନ୍ଦା କରିଥିଲେ। ଶନିବାର ବିଶ୍ବର ୧୫୦ ଦେଶର ୭୦୦ ଇସ୍କନ୍ ମନ୍ଦିରରେ ଏହି ପ୍ରତିବାଦ ସଭା କରାଯାଇଥିବା ଜଣାଯାଇଛି।
ବାଂଲାଦେଶରେ ହିନ୍ଦୁ ମନ୍ଦିର ଓ ଦୁର୍ଗାମୂର୍ତ୍ତି ଭଙ୍ଗାରୁଜାର ପ୍ରତିବାଦ: ଇସ୍କନ୍ ପକ୍ଷରୁ ମହମବତି ଶୋଭାଯାତ୍ରା
/sambad/media/post_attachments/wp-content/uploads/2021/10/fh65fs4h564sfsf1h31sfh321sf32sfhsfhhsfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)