ଭୁବନେଶ୍ବର: ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ତୀବ୍ର କରିଛି ବିଜୁ ଜନତା ଦଳ। ଗତକାଲି ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଥିବା ବେଳେ ଆଜି ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ବିଜୁ ମହିଳା ଜନତା ଦଳ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଇଣ୍ଡିଆନ ଅଏଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭରେ ହଜାର ହଜାର ମହିଳା ସାମିଲ ହୋଇ ରନ୍ଧନ ଗ୍ୟାସ, ଡିଜେଲ, ପେଟ୍ରୋଲ, ଖାଇବା ତେଲ ବୃଦ୍ଧି ବିରୋଧରେ ବିଷୋଦ୍ଗାର କରିବା ସହ ଧାରଣାରେ ବସି ରହିଥିଲେ।
ବିଧାୟକ ଶ୍ରୀ ରାଉତ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଫଳ ଅର୍ଥନୀତି ପରିଚାଳନା ଯୋଗୁଁ ଆଜି ଗ୍ୟାସ୍ ଦାମ ହୁ’ ହୁ’ ହୋଇ ବଢ଼ି ଚାଲିଛି। ମାତ୍ର କିଛି ମାସ ମଧ୍ୟରେ ଗ୍ୟାସ ସିଲିଣ୍ଡର ମୂଲ୍ୟ ୪୦୦ରୁ ଏକ ହଜାର ଟଙ୍କାରେ ପହଞ୍ଚିଲାଣି। ପେଟ୍ରୋଲ ଲିଟର ପିଛା ମୂଲ୍ୟ ୭୦ରୁ ୧୧୦ ଟଙ୍କା ହୋଇଥିବା ବେଳେ ଡିଜେଲ ୬୦ରୁ ୧୧୦ରେ ପହଞ୍ଚିଛି। ଏବେ ଯେଉଁଭଳି ଭାବେ ବୃଦ୍ଧି ପାଇଛି, ଆଗକୁ ୧୫୦ ଛୁଇଁବା କିଛି ବି ଅସମ୍ଭବ ନୁହେଁ। ସୋରିଷ ତେଲ ଲିଟର ପିଛା ମୂଲ୍ୟ ୨୦୦ ଟଙ୍କାରେ ପହଞ୍ଚିଛି। ରିଫାଇନ୍ ବି ୧୭୦ ଉପରକୁ ଚାଲି ଗଲାଣି। ବିଜୁ ଜନତା ଦଳ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ଯୋଗଦେଇ ତୈଳ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦକ କସ୍ତୁରୀ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ କୁନାଲ ରାଉତ, ପୂର୍ବତନ କର୍ପୋରେଟର୍ ମୋନାଲିସା ସାହୁ, ଭାରତୀ ସିଂ, ପ୍ରଣତି ନାୟକ, ମମତା ରାଉତ, ସ୍ବର୍ଣ୍ଣଲତା ରାୟ, ରଶ୍ମିତା ମହାନ୍ତି, ସୁମିତା ଦାସ, ସୁକାନ୍ତି ସୁବୁଦ୍ଧି, ଜ୍ୟୋତ୍ସ୍ନାରାଣୀ ରାଉତରାୟ, ବାସନ୍ତୀ ସିଂ, ମାନସୀ ସୁନ୍ଦରାୟ, ଝୁନୁବାଲା ଦେଇ ପ୍ରମୁଖ ସାମିଲ ହୋଇଥିଲେ।
ସେହିଭଳି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳର କର୍ମୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରାସ୍ତାରେ ଚୁଲି ଜାଳିଛନ୍ତି। ଗ୍ୟାସ୍ ଦରବୃଦ୍ଧି ପାଇଁ କାଠ ଚୁଲି ଜାଳିଥିବା ବେଳେ ଖାଇବା ତେଲ ଦର ବୃଦ୍ଧି ବିରୋଧରେ ବିନା ତେଲରେ ରୋଷେଇ କରିଥିଲେ। ଶତାଧିକ ମହିଳା ରାଜୀବ ଭବନଠାରୁ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପ୍ରତିବାଦ ସଭା ଚାଲିଥିବା ବେଳେ କିଛି ମହିଳା କର୍ମୀ ରାସ୍ତା ଉପରେ ମାଟି ଚୁଲିରେ କାଠ ଜାଳି ବିନା ତେଲରେ ରୋଷେଇ କରିଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା, ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର, ସୁଲତା ଦେଓ, ଛାତ୍ର ବିଜେଡ଼ି ମହାସଚିବ ଇପ୍ସିତା ସାହୁ ପ୍ରମୁଖ ଦରଦାମ୍ ବୃଦ୍ଧି ଅସହ୍ୟ ହେବା ପ୍ରସଙ୍ଗରେ ନିଜନିଜ ବକ୍ତବ୍ୟ ରଖିଥିଲେ। ଏହି ପ୍ରତିବାଦ ସଭାରେ କିନ୍ନର ନେତ୍ରୀ ମୀରା ପରିଡ଼ା, ଲଗ୍ମାଦୀପା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ବିଜୁ ମହିଳା ଜନତା ଦଳ ଏକାମ୍ରର ସଭାନେତ୍ରୀଙ୍କ ମହାମାୟା ସ୍ବାଇଁଙ୍କ ନେତୃତ୍ବରେ ଶତାଧିକ ମହିଳା ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭରେ ଏକାମ୍ରର ମହିଳା ନେତ୍ରୀ ପୁଷ୍ପା ଦାସ, ଛବି ଦାସ, ରୁନୁ ଜେନା, ବିନୟନୀ ଜେନା, ଅନିତା ରାଣୀ ମହାନ୍ତି, ବନ୍ଦନା ସାହୁ, ଉଷାରାଣୀ ମହାନ୍ତି, ସାରଳା ସ୍ବାଇଁ, କେ. ଶାନ୍ତି, ସୀମା ନାୟକ, ମମତା ରଥ, ଲକ୍ଷ୍ମୀ ପରିଜା, ରେଣୁବାଳା ଦାସ ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/3fx4h654f65h4s65sfhhfhfhhf.jpg)