ତୈଳଦର ବୃଦ୍ଧି ପ୍ରତିବାଦ: ପେଟ୍ରୋଲ ଟାଙ୍କିରେ ଦସ୍ତଖତ ସଂଗ୍ରହ କଲା କଂଗ୍ରେସ

ଯୁବ କଂଗ୍ରେସର କୋକେଇ ଶୋଭାଯାତ୍ରା

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଅହେତୁକ ମୂଲ୍ୟବୃଦ୍ଧି ବିରୋଧରେ ରାଜ୍ୟ କଂଗ୍ରେସ ପକ୍ଷରୁ ଚଳିତ ୭-୧୭ ତାରିଖ ପର୍ଯ୍ୟନ୍ତ ବିରୋଧ ଓ ପ୍ରଦିବାଦ ସଭା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜଧାନୀର ସମସ୍ତ ପେଟ୍ରୋଲ ଟାଙ୍କି ସମ୍ମୁଖରେ କଂଗ୍ରେସ କର୍ମୀ ଜନସାଧାରଣଙ୍କର ମତାମତ ଓ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସ ଓ ବ୍ଲକ ସଭାପତିମାନଙ୍କ ନେତୃତ୍ବରେ ଏହି ଦସ୍ତଖତ ଅଭିଯାନ ହୋଇଥିଲା। ସପ୍ତାହାନ୍ତ ସଟ୍‌ଡାଉନ ସତ୍ତ୍ବେ ପେଟ୍ରୋଲ ଟାଙ୍କିକୁ ତେଲ ପକାଇବାକୁ ଆସୁଥିବା ଗ୍ରାହକ ନିଜର ମତାମତ ଦେବା ସହିତ ତୈଳ ଦରବୃଦ୍ଧିକୁ ନେଇ ଅ‌ସନ୍ତୋଷ ପ୍ରକାଶ କରିଥିଲେ।

ତୈଳଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ ବୃଦ୍ଧି ପାଇଛି। ଘର ଚଳାଇବା ବି କଷ୍ଟକର ହୋଇପଡ଼ିଲାଣି। କରୋନା ମହାମାରୀରେ ଲୋକମାନେ ଜୀବିକା ହରାଇଥିବାବେଳେ ତୈଳଦର ବୃଦ୍ଧି ବେଡ଼ି ଉପରେ ‌କୋରୋଡ଼ା ମାଡ଼ ଭଳି ହେଲାଣି। ତେଣୁ କେନ୍ଦ୍ର ସରକାର ତୈଳଦର ବୃଦ୍ଧିକୁ ଯଥାଶୀଘ୍ର ହ୍ରାସ କରନ୍ତୁ ବୋଲି ଗ୍ରାହକମାନେ ମତ ଦେଇଥିଲେ। ଏହି ଦସ୍ତଖତ ସଂଗ୍ରହ ଅଭିଯାନରେ ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଏଆଇସିସି ସମ୍ପାଦକ ଜି. ରୁଦ୍ରରାଜୁ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ଅମୀୟ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ର ଓ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

ଯୁବ କଂଗ୍ରେସର କୋକେଇ ଶୋଭାଯାତ୍ରା

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ବର ଯୁବ କଂଗ୍ରେସ ପକ୍ଷରୁ କେକେଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଏକ କୋକେଇ ଶୋଭାଯାତ୍ରା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଲୋୟର ପିଏମଜି ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଯୁବ କଂଗ୍ରେସର କର୍ମୀମାନେ ଗାଡ଼ିକୁ କେକେଇରେ ରଖି ପ୍ରତିବାଦ କରିଥିଲେ। ଯୁବ କଂଗ୍ରେସ କହିବାନୁଯାୟୀ, ଦେଶର ୨୫୦ରୁ ଅଧିକ ସହରରେ ପେଟ୍ରୋଲ ଲିଟର ପିଛା ଶହେ ଅତିକ୍ରମ କରିଛି। ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଛି। ରାଜ୍ୟରେ ବିଜେପି-ବିଜେଡି ଭିତରେ ଅଘୋଷିତ ମେଣ୍ଟ ଆଜି ପଦାରେ ପଡ଼ିଛି। ବିଜେଡି ପକ୍ଷରୁ ତୈଳଦର ବୃଦ୍ଧିର ପ୍ରତିବାଦ କରାଯାଉ ନାହିଁ। ଦଳର କର୍ମୀ ଓ ନେତାମାନେ ରାଜାରାସ୍ତା ବଦଳରେ ଏସି ରୁମରେ ଶୋଇଛନ୍ତି ବୋଲି କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଉଭୟ ଦଳ ଦରବୃଦ୍ଧି ନିୟନ୍ତ୍ରଣରେ ବିଫଳ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ। ଏହି କାର୍ଯ୍ୟକ୍ରମରେ ବିଶ୍ବରଞ୍ଜନ ଦାସ, ରଞ୍ଜିତ ପାତ୍ର, ଆର୍ଯ୍ୟବୀର ଲେଙ୍କା, ସ୍ବାଗତ କର, ବୀରେନ ଦଳାଇ, ନଳିନୀକାନ୍ତ ନାୟକ, ବିକି ଚକ୍ରବର୍ତ୍ତୀ, ଆଦିତ୍ୟ ପରିଡ଼ା, ଆଶୁତୋଷ ଲେଙ୍କା ଓ ଅନ୍ୟମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର