ଭୁବନେଶ୍ବର: ‘ମୁଁ ଜଣେ ରୁଷୀୟ ଶରଣାର୍ଥୀ। ଯୁଦ୍ଧକୁ ମୁଁ ବିରୋଧ କରେ। ରୁଷ୍ ରାଷ୍ଟ୍ରପତି ପୁଟିନ୍ଙ୍କ ବିରୋଧୀ ମୁଁ। ମୋର ଘର ଦ୍ବାର ନାହିଁ। ଦୟାକରି ମୋତେ ସାହାଯ୍ୟ କର।’ ନିଜକୁ ରୁଷ୍ ନାଗରିକ ଭାବେ ପରିଚୟ ଦେଇ ଭୁବନେଶ୍ବରରେ ବୁଲୁଛନ୍ତି ଆଣ୍ଡ୍ରୁ ନାମକ ଜଣେ ବୟସ୍କ ବ୍ୟକ୍ତି। ମାସାଧିକ କାଳ ହେଲା ଭୁବନେଶ୍ବର ରେଳ ଷ୍ଟେସନ ନିକଟରେ ବୁଲୁଛନ୍ତି। ଏଥିସହ ଆଖାପାଖ ଅଞ୍ଚଳରେ ବି ତାଙ୍କୁ ଦେଖିବାକୁ ମିଳୁଛି। କାନ୍ଧରେ ଗୋଟିଏ ବ୍ୟାଗ୍ ପକାଇଛନ୍ତି। ସହଯୋଗ ଓ ରୁଷିୟ ଶରଣାର୍ଥୀ ଲେଖିଥିବା ଏକ ପ୍ଲାକାର୍ଡକୁ ହାତରେ ଧରି ଛିଡ଼ା ହୋଇ ରହୁଛନ୍ତି। କେବେଠାରୁ ଏଠାରେ ଛିଡ଼ା ହୋଇ ରହୁଛନ୍ତି କେହି ବି ସଠିକ୍ ଭାବେ କହିପାରୁ ନାହାନ୍ତି। ତଥାପି ମାସେ ହେଲା ପ୍ରତିଦିନ ସକାଳ ୧୦ଟା ବାଜିବା କ୍ଷଣି ରେଳ ଷ୍ଟେସନ ପ୍ରବେଶ ପଥରେ ବୋର୍ଡ ଧରି ସହାୟତା ମାଗୁଛନ୍ତି। କେଉଁଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ତ ଆଉ କେଉଁଦିନ ସନ୍ଧ୍ୟା ପର୍ଯ୍ୟନ୍ତ ସେମିତି ଛିଡ଼ା ହେଉଛନ୍ତି।
ଷ୍ଟେସନରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କହିଛନ୍ତି ଯେ ଆମେ ପ୍ରତିଦିନ ତାଙ୍କୁ ଏଠାରେ ଦେଖିବାକୁ ପାଉଛୁ। ରୁଷିୟ ବୋଲି ସେ ନିଜକୁ ପରିଚୟ ଦେଇ ସହାୟତା ମାଗୁଥିବାରୁ ଷ୍ଟେସନକୁ ଆସୁଥିବା ଯାତ୍ରୀମାନେ ମଧ୍ୟ ସହଯୋଗ କରୁଛନ୍ତି। କିଏ ୫୦୦ ଟଙ୍କା ଦେଉଛନ୍ତି ତ ଆଉ କିଏ ୧୦୦। ଯେତେ ପଚାରିଲେ କୌଣସି ଉତ୍ତର ଦେଉନାହାନ୍ତି। ବରଂ କେବଳ ସହାୟତା ଲୋଡ଼ୁଛନ୍ତି।
ଆଣ୍ଡ୍ରୁକୁ ପଚାରିବାରୁ ସେ କହିଲେ ପୁଟିନ୍କୁ ବିରୋଧ କରୁଛି। ଯୁଦ୍ଧ ବିରୋଧରେ ସ୍ବର ଉଠାଇବାକୁ ମୋ ଜୀବନ ପ୍ରତି ଭୟ ରହିଛି। ତେଣୁ ଭାରତ ଚାଲିଆସିଛି। ମୋତେ ସହାୟତା ଯୋଗାଇ ଦିଆଯାଉ ବୋଲି କହିଥିଲେ। ଆଉ ଯେତେ ଯାହା ପଚାରିଲେ ମଧ୍ୟ କୌଣସି ଠିକ୍ ଉତ୍ତର ନ ଦେଇ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ।
ଗୋଟିଏ ପଟେ ରାୟଗଡ଼ାରେ ଦୁଇ ରୁଷିୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଯେଉଁଥିରେ ଜଣେ ସାଂସଦ ରହିଛନ୍ତି, ଯିଏ କି ରୁଷିଆର ୟୁକ୍ରେନ୍କୁ ଆକ୍ରମଣ ନେଇ ତୀବ୍ର ସମାଲୋଚନା କରିଥିଲେ। ଯୁଦ୍ଧକୁ ମଧ୍ୟ ବିରୋଧ କରିଥିଲେ। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଶରଣାର୍ଥୀ ଆଣ୍ଡ୍ରୁଙ୍କ ଏଭଳି ପ୍ରତିବାଦକୁ ନେଇ ରାଜଧାନୀରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏସମ୍ପର୍କରେ ଜିଆରପି ଥାନା ଅଧିକାରୀ ଜୟଦେବ ବିଶ୍ବଜିତ୍ କହିଛନ୍ତି ଯେ ସମ୍ପୃକ୍ତ ରୁଷିୟ ଶରଣାର୍ଥୀଙ୍କୁ ସେଠାରୁ ଉଦ୍ଧାର କରି ଦୁଇ ଥର ନିକଟସ୍ଥ ବିଏମ୍ସି ଆଶ୍ରୟ ସ୍ଥଳକୁ ନିଆଯାଇଛି। ତା’ପରେ ବି ସେ ସେଠାରୁ ପଳାଇ ଆସୁଛନ୍ତି। ଏନେଇ ଆମେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛୁ।