ଓଲା ଚାଳକଙ୍କୁ ମାଡ଼‌ ପ୍ରତିବାଦରେ ପେଟ୍ରୋଲ୍‌ ପମ୍ପ୍‌ରେ ବିକ୍ଷୋଭ

ଚନ୍ଦ୍ରଶେଖରପୁର : ପେଟ୍ରୋଲ ପମ୍ପ କର୍ମଚାରୀମାନେ ମିଳିତ ଭାବେ ଜଣେ ଓଲା କାର୍‌ ଚାଳକଙ୍କୁ ମାଡ଼ ମାରିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଓଲା କାର୍‌ ଚାଳକମାନେ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦେବା ସହ ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରିଥିଲେ। ଏହାସହ ଏ ସଂପର୍କରେ ଚନ୍ଦ୍ରଶେଖରପୁର ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ଚନ୍ଦ୍ରଶେଖରପୁରସ୍ଥିତ ଏକ ପେଟ୍ରୋଲ ପମ୍ପରେ ଆଜି ଏହି ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଜଣେ ଓଲା କାର୍ ଚାଳକ ଉକ୍ତ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଯାଇଥିଲେ। ତେଲପକା ମେସିନ୍‌ର ମିଟର୍‌ ଦ୍ରୁତ ଗତିରେ ଚାଲୁଥିବାରୁ ଚାଳକଜଣଙ୍କ ଧୀରେଧୀରେ ତେଲ ପକାଇବାକୁ ଅନୁରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାରୁ ଟାଙ୍କିର କର୍ମଚାରୀମାନେ ତାଙ୍କୁ ଘେରିଯାଇ ମାଡ଼ ମାରିଥିଲେ। ଏଥିରେ ଚାଳକଙ୍କ ମୁହଁରେ ଗଭୀର ଆଘାତ ଲାଗିଥିଲା। ଏ ସଂପର୍କରେ ଖବର ପ୍ରଘଟ ହେବା ପରେ କିଛି ଓଲା କାର୍‌ ଚାଳକ ପେଟ୍ରୋଲ ପମ୍ପ‌ରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ସେମାନେ ସେଠାରେ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର