ସାଇନାଥ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ, ହାଇକୋର୍ଟ ନିର୍ଦେଶ ପାଳନ ଦାବି

୯ ଦିନ ହେଲା ତାରପୋଲିନ ତଳେ ବିତୁଛି ଜୀବନ

ଭୁବନେଶ୍ବର : ବଳପୂର୍ବକ ବସ୍ତି ଉଚ୍ଛେଦ ପ୍ରତିବାଦରେ ଆଜି ସାଇନାଥ ବସ୍ତିବାସିନ୍ଦା ମାଷ୍ଟରକ୍ୟାଣ୍ଟିନ୍‌ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବସ୍ତି ଉଚ୍ଛେଦ କରାନଯିବା କିମ୍ବା ଉଚ୍ଛେଦ ପୂର୍ବରୁ ଆଇନ ଅନୁଯାୟୀ ଥଇଥାନ ନେଇ ହାଇକୋର୍ଟ ନିର୍ଦ୍ଦେଶ ପାଳନ କରିବାକୁ ସେମାନେ ଦାବି କରିଥିଲେ। ବସ୍ତିବାସିନ୍ଦାଙ୍କ ଏହି ବିକ୍ଷୋଭକୁ ବସ୍ତି ସୁରକ୍ଷା ମଞ୍ଚ ସମର୍ଥନ ଜଣାଇଥିଲା।

ବସ୍ତିର ସ୍ବାଗତିକା ବେହେରାଙ୍କ ଅଭିଯୋଗ ଅନୁଯାୟୀ, ଗତ ୩ ତାରିଖରେ ଗୁରୁତର ଅବସ୍ଥାରେ ତାଙ୍କ ସ୍ବାମୀ ଏମ୍‌ସରେ ଚିକିତ୍ସାଧୀନ ଥିବା ବେଳେ ବିଏମ୍‌ସି ବୁଲଡୋଜର୍‌ ଲଗାଇ ତାଙ୍କ ଘର ଭାଙ୍ଗି ଦେଇଥିଲା। ଘର ଭାଙ୍ଗିବା ପୂର୍ବରୁ ତାଙ୍କ ପାଖକୁ କୌଣସି ନୋଟିସ୍‌ ମଧ୍ୟ ଆସି ନଥିଲା। ପଡ଼ୋଶୀ ଘରେ ରହୁଥିବା ୩ ବର୍ଷର ତାଙ୍କ କୁନି ଝିଅଟି ଆଜି ପର୍ଯ୍ୟନ୍ତ ସେହି ଦୃଶ୍ୟକୁ ଭୁଲି ପାରିନାହିଁ। ସାଇନାଥ ବସ୍ତି କମିଟି କହିଛି, ଆଚାର୍ଯ୍ୟ ବିହାରରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ କେବଳ ସ୍ବାଗତିକାଙ୍କ ଘର ନୁହେଁ, ୨୪ ଘରକୁ ଭାଙ୍ଗି ଦିଆଯାଇଥିଲା। ସେହିପରି ଦୀପିକା ଭତ୍ରା ପରିବାର ବିରୋଧ କରିବାରୁ ତାଙ୍କ ପରିବାରକୁ ଘୋଷାରି ଆଣି ମାଡ଼ ମାରିବା ସହ ଅସଦାଚରଣ କରାଯାଇଥିଲା। ପରେ ତାଙ୍କ ଘର ଭାଙ୍ଗି ଦିଆଯାଇଥିଲା। ଏ ସଂକ୍ରାନ୍ତରେ ମଞ୍ଚେଶ୍ବର ଥାନାରେ ଏତଲା ମଧ୍ୟ ଦିଆଯାଇଛି। ଉଚ୍ଛେଦ ପୂର୍ବରୁ ବିସ୍ଥାପିତ ପରିବାରଙ୍କୁ ନୋଟିସ, ଥଇଥାନର ନିୟମ ରହିଥିଲେ ମଧ୍ୟ ଏହାକୁ ପାଳନ କରାଯାଇନାହିଁ। ଫଳରେ ବସ୍ତିର ପାଖାପାଖି ୧୫୭ ପରିବାର ୯ ଦିନ ହେଲା ତାରପୋଲିନ୍‌ ତଳେ ଜୀବନ ବିତାଉଛନ୍ତି। ଏହି ପରିପ୍ରେକ୍ଷୀରେ ମାର୍ଚ ୮ ତାରିଖରେ ବସ୍ତିବାସିନ୍ଦାଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଆଧାରରେ ଆଇନଗତ ପ୍ରକ୍ରିୟା ପାଳନ କରି ଥଇଥାନ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ଆଦେଶକୁ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ, ନଗର ଉନ୍ନୟନ ସଚିବ, ବିଡିଏ ଉପାଧ୍ୟକ୍ଷ, ବିଏମସି କମିସନରଙ୍କୁ ପୃଥକ୍‌ ଭାବରେ ଦିଆଯାଇଛି। ସୂଚନା ଅନୁଯାୟୀ, ସାଇନାଥ ବସ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେର ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗାଇଡ୍‌ଲାଇନ, ବାସଗୃହ ନୀତି ଅନୁସାରେ ଏହି ବସ୍ତିରେ ରହୁଥିବା ସବୁ ପରିବାରଙ୍କୁ ଉଚ୍ଛେଦ ପୂର୍ବରୁ ଥଇଥାନ କରିବାକୁ କୁହାଯାଇଛି।

ଆଜିର ବିକ୍ଷୋଭରେ ସାଇନାଥ ବସ୍ତି କମିଟିର ଦିଲ୍ଲୀପ ସିଂ, ସଚ୍ଛବକାନ୍ତ ଭତ୍ରା, ପ୍ରକାଶ ମହାପାତ୍ର, ପ୍ରଭାତ ମହାରଣା, ମାନସୀ ଓଝା, ଶାରଳା ବିଶ୍ବାଳ, ଦୀପିକା ଭତ୍ରା, ବସ୍ତି ସୁରକ୍ଷା ମଞ୍ଚର ପ୍ରମିଳା, ହେନା ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର