ଅଲ୍‌ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗୀ ମହାସଂଘର ବିକ୍ଷୋଭ

ଭୁବନେଶ୍ବର: କିନ୍ନରଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ଆସୁଥିବା ସରକାରୀ ଅନୁଦାନକୁ ହରିଲୁଟ୍‌ କରିଥିବା କିନ୍ନରଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବିରେ ଆଜି ଅଲ୍‌ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗୀ ମହାସଂଘ ରାସ୍ତାକୁ ଓହ୍ଲାଇଛି। ଆଜି ପୂର୍ବାହ୍ନ‌ରେ ମହାସଂଘ ପକ୍ଷରୁ ଲୋୟର୍‌ ପିଏମ୍‌ଜିରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମହାସଂଘର ଅଭିଯୋଗ, କିନ୍ନରମାନଙ୍କ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଆସିଥିବା ପାଖାପାଖି ୧ କୋଟିରୁ ଊର୍ଧ୍ବ ଟଙ୍କା ହଡ଼ପ କରାଯାଇଛି।

‘ସଖା’ ଓ କୋଲକାତାର ଏକ ଏନ୍‌ଜିଓ ‘ସିଫା’ ଏହି ଟଙ୍କା ହଡ଼ପ କରିଛନ୍ତି। ଖାଲି ସେତିକି ନୁହେଁ, ‘ସଖା’ ଓଡ଼ିଶାର ୧୮ଟି ଜିଲ୍ଲାରୁ ଓ ‘ସିଫା’ ଦୁଇଟି ଜାଗାରୁ କିନ୍ନରମାନଙ୍କ ନାମରେ ଟଙ୍କା ଆଣି ହରିଲୁଟ୍ କରିଛନ୍ତି। ତେଣୁ ଏହି ମାମଲାରେ ସିବିଆଇ ତଦନ୍ତ କରାଯାଉ ବୋଲି ମହାସଂଘ ଦାବି କରିଛି। ଏନେଇ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଆଜିର ଏହି ବିକ୍ଷୋଭରେ ମହାସଂଘର ସଭାନେତ୍ରୀ ସୁଇଟି ସାହୁ, ମେନକା କିନ୍ନର, ଲିପ୍ସା, ସୌମ୍ୟା, ବର୍ଷା, ସୁଧା, ପୁନମ, ମିଠିଙ୍କ ସମେତ ବହୁ କିନ୍ନର ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର