ଭୁବନେଶ୍ବର: କେବଳ ଅନ୍‌ଲାଇନ୍‌ରେ ପଞ୍ଜୀକରଣ, ନବୀକରଣ ଓ ସହାୟତା ପ୍ରଦାନକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଆଜି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ମଞ୍ଚର ଏକ ଶୋଭାଯାତ୍ରା ରାଜମହଲ ଛକରୁ ବାହାରି ଗାନ୍ଧୀମାର୍ଗଠାରେ ପହଞ୍ଚିବା ପରେ ସେଠାରେ ଏକ ଖୋଲା ଅଧବେଶନ ଆୟୋଜିତ ହୋଇଥିଲା।
ମଞ୍ଚର ଅଭିଯୋଗ, ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗ ଅନ୍‌ଲାଇନ୍‌ ମାଧ୍ୟମରେ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ ବ୍ୟବସ୍ଥା ଲାଗି ଏକ ଆପ୍ ତିଆରି କରିଛି। ଏହାକୁ ୩ ମାସ ବିତିଯାଇଥିଲେ ମଧ୍ୟ ଶ୍ରମିକଙ୍କ ପଞ୍ଜୀକରଣ ଓ ସହାୟତା ପ୍ରଦାନ ଏକରକମ‌ର ସ୍ଥାଣୁ ପାଲଟିଛି। ପ୍ରଯୁକ୍ତିବିଦ୍ୟା ନାମରେ ଶ୍ରମିକମାନଙ୍କ ଉପରେ ଏହା ଏକପ୍ରକାର ଅତ୍ୟାଚାର। ତେଣୁ ଅନ୍‌ଲାଇନ୍ ବ୍ୟବସ୍ଥା ସହ ଅଫ୍‌ଲାଇନ୍ ବ୍ୟବସ୍ଥା କରି ସରକାର ସମାଧାନର ବାଟ ବାହାର ନ କଲେ ନିର୍ମାଣ ଶ୍ରମିକମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ସହ ଜିଲ୍ଲା ଶ୍ରମ କାର୍ଯ୍ୟାଳୟଗୁଡ଼ିକୁ ତାଲା ପକାଇ ଦିଆଯିବ ବୋଲି ମଞ୍ଚ ଚେତାବନୀ ଦେଇଛି।

Advertisment

ଆଜିର ଏହି ବିକ୍ଷୋଭରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ମଦନ ମୋହନ ଧଳ, ଏଆଇଟିୟୁସିର ସୁବାସ ମହାପାତ୍ର, ଜୟସେନ ମେହେର, ରାଜକିଶୋର ମଲ୍ଲିକ, ବ୍ରଜବନ୍ଧୁ ପ୍ରଧାନ ଓ ଚନ୍ମମୟୀ ସାହାଣୀ, ଏଆଇସିସିଟିୟୁର ମହେନ୍ଦ୍ର ପରିଡ଼ା, ରାଧାକାନ୍ତ ସେଠୀ, ଏଚ୍‌ଏମ୍ଏସ୍‌ର କୃଷ୍ଣଚନ୍ଦ୍ର ପାତ୍ର, ରାଜେନ୍ଦ୍ର ଦାସ, ସି.ଆଇ.ଟି.ୟୁ.ର ବିଷ୍ଣୁ ମହାନ୍ତି, ଲୋଭାକାନ୍ତ ସ୍ୱାଇଁ, ଆଇଏନ୍‌ଟିୟୁସିର ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, କିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ।