ଭୁବନେଶ୍ବର/ବୁଗୁଡ଼ା : ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ବିରୋଧୀ ବିଜେପି ଓ କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମନ୍ତ୍ରୀଙ୍କ ଇସ୍ତଫା ତାତି ବୁଗୁଡ଼ାରୁ ଭୁବନେଶ୍ବର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି।
ଶନିବାର ଦିନ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ଓ ଭୁବନେଶ୍ବର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ମା’କୁ ସମ୍ମାନ ପ୍ରତାରଣାରେ ପରିଣତ ହୋଇଛି। ୨୩ବର୍ଷର ଶାସନ କାଳରେ ଶାସକ ଦଳର ବିଧାୟକ, ମନ୍ତ୍ରୀ, ଓ ବହୁ ନେତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସଂପୃକ୍ତ ଥିବାବେଳେ ସେମାନଙ୍କୁ ଘଣ୍ଟ ଘୋଡ଼ାଯାଉଛି। ବେବିନା, ଇତିଶ୍ରୀ, ମାଧବୀଲତା, ପରୀ, କୁନ୍ଦୁଲି ଛାତ୍ରୀଙ୍କଠାରୁ ଆରମ୍ଭ କରି ମମିତା ମେହେର ପର୍ଯ୍ୟନ୍ତ କୌଣସି ଘଟଣାରେ ପୀଡ଼ିତାଙ୍କ ପରିବାରକୁ ନବୀନ ସରକାର ନ୍ୟାୟ ଦେଇପାରିଲେ ନାହିଁ। ଏବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ସୁରକ୍ଷା ଦେବାକୁ ଚକ୍ରାନ୍ତ ଚାଲିଛି। ମନ୍ତ୍ରୀଙ୍କ ଅପରାଧକୁ ଧରିବା ବଦଳରେ ପୀଡ଼ିତାଙ୍କ ଉପରେ ଚାପ ପକାଯାଉଛି। ତେଣୁ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଘଟଣାର ଏସ୍ଆଇଟି ତଦନ୍ତ କରାଯାଉ। ଏଥିରେ ପ୍ରକାଶ ମିଶ୍ର, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ଦୀପକ ମହାପାତ୍ର, ରଣଜିତ ପାତ୍ର, ରଣଜିତ ସେନାପତି, ସାଗର ପଟ୍ଟନାୟକ, ନଳିନୀକାନ୍ତ ନାୟକ, ଅଖିଳେଶ ଯାଦବ, ସମୀର ରାଉତ, ଉଦିତ ପ୍ରଧାନ, ଆର୍ଯ୍ୟାନ ଶାସମଲ, ବିଶ୍ବଭୂଷଣ ମହାପାତ୍ର, ପ୍ରଭାବତୀ ପଟ୍ଟନାୟକ, ପୁଷ୍ପିତା ଦାଶ, ଚୈତାଳି ପଟ୍ଟନାୟକ, କୁସୁମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ବରେ ରାମ ମନ୍ଦିର ସମ୍ମୁୂଖରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ମନ୍ଦାକିନୀ ପାତ୍ର, ସ୍ୱୟଂ ସେବକ ରାୟ, ଉପେନ୍ଦ୍ର ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ। ବୁଗୁଡ଼ାରେ ବିଜେପିର ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ବିଜେପି ଅଫିସ୍ରୁ ବାହାରି ହାଇସ୍କୁଲ ଛକରେ ବିକ୍ଷୋଭ ପ୍ରଦର୍ଶନ ସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି। ଏଥିସହ ବୁଗୁଡ଼ା ଥାନାରେ ଏକ ଏତଲା ଦିଆଯାଇଛି। ବିକ୍ଷୋଭରେ ରାଜ୍ୟ ବିଜେପି ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଦୀପକ ପ୍ରଧାନ, ବିନାୟକ ତ୍ରିପାଠୀ, ହରପ୍ରସାଦ ଦାଶ ଓ ପ୍ରକାଶ ମହାରଥାଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ।