ଭୁବନେଶ୍ୱର: ବସ୍ତିବାସିନ୍ଦାଙ୍କ ଏକତା ମଞ୍ଚ ତରଫରୁ ରାଜ୍ୟର ସମସ୍ତ ସହରାଞ୍ଚଳ ବସ୍ତିବାସିନ୍ଦାମାନଙ୍କୁ ନିର୍ବାଚନ ପୂର୍ବରୁ ଜମି ପଟ୍ଟା ସହ ପକ୍କାଘର ଯୋଗାଇବା ଦାବିରେ ଆଜି ପୂର୍ବାହ୍ନରେ ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଏକତା ମଞ୍ଚର ସଭାପତି ଶେଖ୍ ଅବଦୁଲ୍ଲା କହିଥିଲେ ଯେ, ରାଜ୍ୟ ସରକାର ସମୁଦାୟ ୬୫ ହଜାର ପଟ୍ଟା ବାଣ୍ଟିବେ। ସେଥିମଧ୍ୟରୁ ଭୁବନେଶ୍ବର ପାଇଁ ୫୧ ହଜାର ରହିଛି। ମାତ୍ର ୧୪ ହଜାର ପଟ୍ଟା ଅନ୍ୟ ୪ଟି ମହାନଗର ନିଗମ ବସ୍ତିବାସିନ୍ଦାଙ୍କ ନିମନ୍ତେ ଘୋଷଣା କରିଛନ୍ତି। କଟକ ସହର ରାଜ୍ୟର ପୁରାତନ ସହର।

Advertisment

ଏଠାରେ ବସ୍ତିବାସିନ୍ଦାଙ୍କ ପରିବାର ସଂଖ୍ୟା ୫୦ ହଜାର। କଟକ ମହାନଗର ନିଗମ ୨୦୨୦ରେ ବସ୍ତିବାସିନ୍ଦା ଏକତା ମଞ୍ଚକୁ ୧୫୧୫୯ ପରିବାରକୁ ଚିହ୍ନଟ କରି ଚିଠି ଦ୍ୱାରା ଜଣାଇଥିଲେ। ତେଣୁ ବାକି ୩ଟି ମହାନଗର ଯଥା ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ପ୍ରତି ଅନ୍ୟାୟ କରାଯାଇଛି। ତେଣୁ ପଟ୍ଟା ସଂଖ୍ୟା ବୃଦ୍ଧି କରାଯିବା ପାଇଁ ଏକତା ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଆଇନଜୀବୀ ହେମେନ୍ଦ୍ର ସାମଲ କହିଲେ, ବର୍ତ୍ତମାନ ରାଜ୍ୟ ସରକାର ଯେଉଁ ପଟ୍ଟା ଦେଉଛନ୍ତି ତାହା ପଟ୍ଟା ନୁହେଁ, ଏଲ୍ଆରସି। ଏହା ଆସନ୍ତା ନିର୍ବାଚନରେ ଭୋଟ ପାଇଁ ସରକାରଙ୍କ ଏକ ଚାଲ। ଆଜିର ଏହି ବିକ୍ଷୋଭରେ ଅଜୟ ପତି, ଗିରିବାଳା ବେହେରା, ବାସନ୍ତୀ ବିଶ୍ବାଳ, ଅନିଲ ସାହୁ, ଶାନ୍ତି ବଗର୍ତ୍ତି, ମନୋଜ ଶର୍ମା, ମଣ୍ଟୁ ମୁଣ୍ଡା, ରବୀନ୍ଦ୍ର ବେହେରା, ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ‌ଯୋଗ ଦେଇ ଥିଲେ। ବିକ୍ରମ ସିଂ, ଭି. ଲିଙ୍ଗରାଜୁ, ରାଜୁ ରାଓ, ମହେନ୍ଦ୍ର ପରିଡ଼ା, ଶାନ୍ତି ଦେବୀ, ଖୁର୍ସିଦା ବେଗମ ପ୍ରମୁଖ ନେତୃତ୍ବ ନେଇଥିଲେ।