ଜନସମ୍ପର୍କ ପଦଯାତ୍ରାରେ ଅପରାଜିତାଙ୍କୁ ପୁଣି ବିରୋଧ

ଭୁବନେଶ୍ୱର : ଶନିବାର ପୁରୁଣା ଭୁବନେଶ୍ବର ଅଞ୍ଚଳରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଜନସମ୍ପର୍କ ପଦଯାତ୍ରା କରୁଥିବା ବେଳେ ପୁଣି ବିରୋଧର ସମ୍ମୁଖୀନ ହୋଇଥିଲେ। ଖଣ୍ଡୁଆଳ ବସ୍ତିର ମହିଳାମାନେ ରାସ୍ତାରେ ଗ୍ୟାସ୍‌ ଟାଙ୍କି ରଖିବା ସହ ଚୁଲିରେ ରୋଷେଇ କରି ଗ୍ୟାସ୍‌ ଦର ବୃଦ୍ଧିର ଅଭିନବ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଏହାକୁ ସାଂସଦଙ୍କ ସାଙ୍ଗରେ ଥିବା କର୍ମୀମାନେ ବିରୋଧ କରିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ମହିଳାମାନଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସେମାନଙ୍କର ଅଭିଯୋଗ ଶୁଣିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଅପାରଗତାକୁ ନେଇ ପାଲଟା କିଛି ପ୍ରଶ୍ନ କରିଥିଲେ। ୨୦ ବର୍ଷ ହେଲା ବସ୍ତିରେ ରହି ବି ରାଜ୍ୟ ସରକାର ସେମାନଙ୍କୁ ଘର କିମ୍ବା ଜମି ଦେଇନାହାନ୍ତି ବୋଲି କହିଥିଲେ। ବିଦ୍ୟୁତ ଦର ଏତେ ଅଧିକ କାହିଁକି ବୋଲି ପଚାରିଥିଲେ। ପାଠ ପଢ଼ି ଘରେ ବସି ଥିବା ପିଲାଙ୍କୁ ରାଜ୍ୟ ସରକାର ଚାକିରି କାହିଁକି ଦେଇ ପାରୁନାହାନ୍ତି ବୋଲି ପଚାରିଥିଲେ ଓ ଏସବୁ ପ୍ରଶ୍ନ ରାଜ୍ୟ ସରକାରଙ୍କୁ ପଚାରିବାକୁ ସେମାନଙ୍କୁ ବୁଝାଇଥିଲେ। ଏଭଳି ଚତୁରତାର ସହ ପାଲଟା ପ୍ରଶ୍ନ ପଚାରି ସେ ପ୍ରତିବାଦକୁ ଏଡ଼ାଇ ଯାଇଥିଲେ।

ସେ ଆହୁରି କହିଥିଲେ ଯେ ସବୁ ପ୍ରକାରର ବିରୋଧ ଓ ପ୍ରତିବାଦକୁ ସେ ସ୍ୱାଗତ କରୁଛନ୍ତି। ମହିଳାମାନଙ୍କ ବିରୋଧକୁ ସେ ଅଭିମାନ ବୋଲି କହିଥିଲେ। ଅଣ୍ଡା, ଟମାଟୋ ଓ ପଥର ମାଡ଼ କରିବା ଠିକ୍‌ ନୁହେଁ। ଆଚାର୍ଯ୍ୟବିହାର ଘଟଣା ପରେ ମୁଁ ଅସୁରକ୍ଷିତ ମନେ କରୁଥିଲି। ତେବେ ମୋତେ ସୁରକ୍ଷା ପ୍ରଦାନ କରିବା‌ରେ ରାଜ୍ୟ ସରକାର ତାଙ୍କ କର୍ତ୍ତବ୍ୟ କରିଛନ୍ତି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବାବୁ ସିଂ, ସୁରେନ୍ଦ୍ର ପ୍ରଧାନ, ସୁବାସିନୀ ପୃ‌ଷ୍ଟି, ଶିବ ପ୍ରସାଦ ବେହେରା, ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର